ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ: କାମ କଲାନି ଉଚ୍ଚଶିକ୍ଷା ସଚିବଙ୍କ ଲବି, ନିଷ୍ପତ୍ତି ବଳବତ୍ତର ରହିଲା

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳସଚିବ ଇତିଶ୍ରୀ ଦାଶ ଓ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ୟାମଳୀ ମହାପାତ୍ରଙ୍କ ବଦଳି ରୋକିବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଗତ ମାସରେ ସାଧାରଣ ପ୍ରଶାସନ ବିଭାଗକୁ ଯେଉଁ ଚିଠି ଲେଖିଥି‌ଲେ, ତାହା କାମ ଦେଲା ନାହଁ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ପୂର୍ବ ବିଜ୍ଞପ୍ତିରେ କୌଣସି ପରିବର୍ତନ କରାଗଲା ନାହିଁ। ବରଂ ପୂର୍ବ ବିଜ୍ଞପ୍ତିକୁ ବଳବତ୍ତର ରଖାଗଲା। ପରିଣାମସ୍ବରୂପ ଉଭୟ ଅଧିକାରୀ ନିଜ ନିଜ ପଦରେ ଯୋଗ ଦେଇଥିବା ଜଣାପଡ଼ିଛି।

ଜାନୁଆରି ୨୧ରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ୫ଟି ବିଶ୍ବବିଦ୍ୟାଳୟରେ ନୂତନ କୁଳସଚିବଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏଥିରେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ୟାମଳୀ ମହାପାତ୍ରଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ବଦଳି କରାଯାଇଥିଲା। ତେବେ ଫେବ୍ରୁଆରି ୨୦ରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ଚିଠି ଲେଖି ଶ୍ରୀମତୀ ମହାପାତ୍ରଙ୍କ ବଦଳି ନିର୍ଦେଶ ବାତିଲ୍‌ କରିବାକୁ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଶ୍ରୀ ମିଶ୍ର ଦର୍ଶାଇଥ‌ିଲେ ଯେ ଶ୍ୟାମଳୀ ମହାପାତ୍ରଙ୍କୁ ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗରୁ ଭାରମୁକ୍ତ କରାଯାଇ ନାହିଁ। ବର୍ତମାନ ସମୟରେ ସେ ଏହି ବିଭାଗରେ କାର୍ଯ୍ୟ କରିବା ଗୁରୁତ୍ବପୂର୍ଣ୍ଣ। ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଇ ନାହିଁ। ଉଚ୍ଚଶିକ୍ଷା ବିଭାଗରେ ସେ ୪ ବର୍ଷ କାର୍ଯ୍ୟ କରିନାହାନ୍ତି। ବିଭାଗର କେତେକ ପ୍ରମୁଖ କାର୍ଯ୍ୟକୁ ସେ ସମ୍ଭାଳୁଛନ୍ତି। ମାର୍ଚ୍ଚ ୩୧ରୁ କର୍ମଚାରୀଙ୍କ ଅବସର ଆରମ୍ଭ ହେଉଥିବାରୁ ଶ୍ରୀମତୀ ମହାପାତ୍ର ଏବେ କଠିନ ପରିଶ୍ରମ, ତତ୍ପରତାପୂର୍ବକ ଓ ଅତି ସାବଧାନତାର ସହ କାର୍ଯ୍ୟ କରୁଛନ୍ତି। ତାଙ୍କ ଦ୍ବାରା ସରକାରୀ କଲେଜ ଶିକ୍ଷକଙ୍କ ଅନେକ ବକେୟା ପେନ୍‌ସନ୍‌ କାର୍ଯ୍ୟର ସମାଧାନ ହୋଇଛି। ସେ ନ ଥିଲେ ଏହି କାର୍ଯ୍ୟ କରାଯାଇପାରି ନ ଥାନ୍ତା ବୋଲି ସଚିବ ଚିଠିରେ ଉଲ୍ଲେଖ କରିଥିଲେ। କୁଳସଚିବ ଥିବା ଇତିଶ୍ରୀ ଦାଶଙ୍କ ସମ୍ପର୍କରେ ସଚିବ ଶ୍ରୀ ମିଶ୍ର କହିଥିଲେ ଯେ କୁଳସଚିବ ଭାବେ ସେ ଦୁଇ ବର୍ଷ ପୂରଣ କରିନାହାନ୍ତି। ତେଣୁ ତାଙ୍କୁ ଏତେ ଶୀଘ୍ର ବଦଳି କରିବାର ଆବଶ୍ୟକତା ନାହିଁ। ବିଶ୍ବବିଦ୍ୟାଳୟରେ କୁଳସଚିବ ଏକ ପ୍ରମୁଖ ପଦ ହୋଇଥିବାରୁ ସେଠାରେ ଜଣେ ଅଧିକାରୀ ଅତିବେଶିରେ ୪ରୁ ୫ବର୍ଷ ରହିବା ଦରକାର। ଏହି ସବୁ କାରଣକୁ ଦୃଷ୍ଟିରେ ରଖି ଶ୍ରୀମତୀ ମହାପାତ୍ରଙ୍କ ବଦଳିକୁ ବାତିଲ୍‌ କରାଯାଉ। ଏଥିସହ ରମାଦେବୀ ବିଶ୍ବବିଦ୍ୟାଳୟ କୁଳସଚିବ ଶ୍ରୀମତୀ ଦାଶଙ୍କ କାର୍ଯ୍ୟକାଳକୁ ଆଉ ଦୁଇ ବର୍ଷ ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ରୀ ମିଶ୍ର ସୁପାରିସ୍‌ କରିଥିଲେ।

ସମ୍ବନ୍ଧିତ ଖବର