ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ: ୟୁଜିସି ୧୨(ବି)ରେ ସାମିଲ ଲକ୍ଷ୍ୟ

ବିକାଶ ଲାଗି ପୁରାତନ ଛାତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ବର: ୨୦୧୫ ମସିହାରେ ଜନ୍ମ ନେଇଥିଲା ପ୍ରଥମ ମହିଳା ବିଶ୍ବବିଦ୍ୟାଳୟ। ପରେ ରମାଦେବୀ ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଥିଲେ। ଆଉ ସୃଷ୍ଟି ହୋଇଥିଲା ଓଡ଼ିଶାର ପ୍ରଥମ ତଥା‌ ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ। ଇତିମଧ୍ୟରେ ୬ ବର୍ଷ ବିତିଛି। ସ୍ୱଳ୍ପ ସମୟରେ ଏକ ସମୃଦ୍ଧ ଗୁଣାତ୍ମକ ଶୈକ୍ଷିକ ପରିସର ସୃଷ୍ଟି କରି ଆଗକୁ ବଢ଼ୁଛି ରାଜ୍ୟର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନ। ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ନୂତନ ପାଠ୍ୟକ୍ରମ ଖୋଲୁଛି। ୫ ବର୍ଷ ମଧ୍ୟରେ ୧୦ରୁ ଅଧିକ ପିଜି ବିଭାଗ ଖୋଲିବା ସହ ଛାତ୍ରୀଙ୍କ ଲାଗି ବିଏଡ୍‌ ପାଠ୍ୟକ୍ରମ, ଶିକ୍ଷା ବିଭାଗରେ ସ୍ନାତକ, ପିଏଚ୍‌ଡି ପାଠ୍ୟକ୍ରମ, ଜନ ସଂଚାର ଏବଂ ସାମ୍ବାଦିକତା, ସ୍ୱଳ୍ପ ଅବଧିଭିତ୍ତିକ ବୈଦେଶିକ ଭାଷା, ପ୍ରକାଶନ, ଆଡଭାନ୍ସ କମ୍ପୁଟର୍ ଡିପ୍ଲୋମା ପାଠ୍ୟକ୍ରମ ଖୋଲାଯାଇଛି। ବାୟୋ-ଟେକ୍ନୋଲୋଜି ବିଭାଗ ଡିବିଟି-ଜିଓଆଇ ଅନ୍ତର୍ଭୁକ୍ତ ବି ହୋଇଛି। ସିଓଇ ପକ୍ଷରୁ ଅନୁବାଦ ଓ ଜୀବନୀ ଲିଖନ, ଇ.ଲର୍ଣ୍ଣିଙ୍ଗ ଲ୍ୟାବ୍, ଅତ୍ୟାଧୁନିକ ଭାଷା ପରୀକ୍ଷାଗାର ଓ କୌଶଳ ବିକାଶ କେନ୍ଦ୍ର, ସରଳା ଦେବୀ ସେଣ୍ଟର୍ ଫର୍ ଜେଣ୍ଡର୍ ରିସର୍ଚ୍ଚ କେନ୍ଦ୍ର, ବୌଦ୍ଧିକ ସ୍ବତ୍ତ୍ବାଧିକାର କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଆଗକୁ କିଭଳି ଏହା ନାକ୍‌ ମାନ୍ୟତା ହାସଲ କରିପାରିବ ସେଦିଗରେ ପଦକ୍ଷେପ ନିଆଯିବ ବୋଲି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି।

ପ୍ରଫେସର ଚୌଧୁରୀ ଆହୁରି କହିଛନ୍ତି ଯେ ଇଣ୍ଟରନାଲ୍‌ କ୍ବାଲିଟି ଆସ୍ୟୁରାନ୍ସ ସେଲ୍‌(ଆଇକ୍ୟୁଏସି)କୁ ମଜବୁତ କରିବା ଲାଗି ଅଧିକାରୀମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ବିଷୟ ଉପରେ ଆଲୋଚନା ହେବା ସହ ପରାମର୍ଶ ମଧ୍ୟ ନିଆଯାଇଛି। ୟୁଜିସିର ୧୨(ବି) ଓ ୧୨(ଏଫ୍‌)ରେ ବିଶ୍ବବିଦ୍ୟାଳୟକୁ ସାମିଲ କରିବା ଆମ ପାଇଁ ପ୍ରଥମ ଆହ୍ବାନ ରହିବ। ଏହା ଦ୍ବାରା କ୍ୟାମ୍ପସ ଭିତ୍ତିଭୂମି ବିକାଶ ଲାଗି ପ୍ରଚୁର ଅର୍ଥ ମିଳିପାରିବ। ସେହିପରି ଭିତ୍ତିଭୂମି ବିକାଶକୁ ବି ପ୍ରାଥମିକତା ଦିଆଯିବା ସହ ଖାଲି ପଡ଼ିଥିବା ପଦ ପୂରଣ ଲାଗି ଉଚ୍ଚଶିକ୍ଷା ବିଭାଗ ସହ ଆଲୋଚନା ହୋଇଛି। ସମସ୍ତଙ୍କ ମିଳିତ ସହଯୋଗରେ ବିଶ୍ବବିଦ୍ୟାଳୟ ଦେଶର ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନରେ ପରିଣତ ହୋଇପାରିବ। ଇତି ମଧ୍ୟରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ବହୁ ରାଜିନାମା ସ୍ୱାକ୍ଷରିତ ହୋଇଛି। ଭବ୍ୟ ପ୍ରଶାସନିକ ଭବନରେ କାର୍ଯ୍ୟ ଜାରି ରହିଛି। ରୁଷା ଅର୍ଥରେ ଶୈକ୍ଷିକ ଭବନ, ପାଠାଗାର, ଛାତ୍ରୀ ନିବାସ, ଗବେଷଣା କୈନ୍ଦ୍ରିକ ନୂତନ ପରିସର ସ୍ଥାପନା ହୋଇଛି। ୪୦୦ ଶଯ୍ୟା ବିଶିଷ୍ଟ ବୃହତ୍ ଛାତ୍ରୀନିବାସ, ଦିବ୍ୟାଙ୍ଗ ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଛାତ୍ରୀନିବାସ ଆଦି ନିର୍ମାଣ ହୋଇଛି। ଦ୍ବିତୀୟ କ୍ୟାମ୍ପସ ପାଇଁ ଜାଗା ଚିହ୍ନଟ ସହ ଯୁକ୍ତ୨ କଲେଜକୁ କ୍ୟାମ୍ପସରୁ ଅଲଗା କରିବା ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସେ ସୂଚନା ଦେଇଛନ୍ତି।

ବିକାଶ ଲାଗି ପୁରାତନ ଛାତ୍ରୀଙ୍କ ପ୍ରସ୍ତାବ
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ବିକାଶ ଲାଗି ପୂର୍ବତନ ଛାତ୍ରୀମାନଙ୍କର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ‘ମୋ ସ୍କୁଲ’, ‘ମୋ କଲେଜ’ ପରି ‘ମୋ ବିଶ୍ବବିଦ୍ୟାଳୟ’ ପାଇଁ ଡାକରା ଦିଆଯିବା ସହ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ଡିଜିଟାଲ ଲାଇବ୍ରେରିର କାର୍ଯ୍ୟକାରିତା, ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ଥାନାନ୍ତରଣ, ଏକାଡେମିକ ବ୍ଲକ ସହ ଷ୍ଟାଡିୟମ୍‌ର ଉଦ୍‌ଘାଟନ, ବିଶ୍ବବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ରମାଦେବୀଙ୍କ ନାମରେ ନାମିତ, କ୍ୟାମ୍ପସ ଭିତରେ ରମାଦେବୀଙ୍କ ମ୍ୟୁଜିୟମ୍‌, ବିଶ୍ବବିଦ୍ୟାଳୟ ନିକଟରେ ପୁଲିସ-ଏଡ୍‌ ପୋଷ୍ଟ ନିର୍ମାଣ, ୨୪ ଘଣ୍ଟିଆ ମେଡିକାଲ ସୁବିଧା ଉପଲବ୍ଧ କରାଇବା ନେଇ ଆଲୋଚନା ହୋଇଛି। ଏନେଇ ପୁରାତନ ଛାତ୍ରୀମାନେ ବିଶ୍ବବିଦ୍ୟାଳୟ କୁଳପତି ଓ କୁଳସଚିବଙ୍କୁ ଏକ ସ୍ମାରକପତ୍ର ଦେବେ। ପୂର୍ବତନ ଛାତ୍ର ସଂସଦ ସଭାପତି ଅନୁସୂୟା ତ୍ରିପାଠୀ, ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ, ଛାତ୍ରୀ ନେତ୍ରୀ ମଧୁସ୍ମିତା ନାୟକ, ଅଙ୍କିତା ପ୍ରିୟଦର୍ଶିନୀ, ରୋଜା ଘୋଷଙ୍କ ସମେତ ୫୦ରୁ ଅଧିକ ପୁରାତନ ଛାତ୍ରୀ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର