ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କ୍ୟାମ୍ପସ। ପ୍ରବେଶ ପଥରୁ ପ୍ରେକ୍ଷାଳୟ ପର୍ଯ୍ୟନ୍ତ ସବୁଠି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଆଲୋକମାଳାରେ ଝଲସୁଛି ସାରା ପରିବେଶ। ସାଧବବୋହୂ ବେଶରେ ସଜେଇ ହୋଇଛି ରାଜ୍ୟର ଏହି ଏକମାତ୍ର ମହିଳା ବିଶ୍ବବିଦ୍ୟାଳୟ। ଦେଶର ପ୍ରଥମ ନାଗରିକ ତଥା ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରୀ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ ଲାଗି କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଲାଗି ରାଷ୍ଟ୍ରପତିଙ୍କ ୩୦ଜଣ ସହପାଠୀଙ୍କୁ ନିମନ୍ତ୍ରଣ କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୋଗଦେବେ ବୋଲି ଜଣାପଡ଼ିଛି। ଗତ ୫ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ୨୫ଜଣ ଛାତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରିତ ଅତିଥିମାନେ କିଏ କେଉଁଠି ବସିବେ ତାହାର ରୂପରେଖ ପ୍ରସ୍ତୁତ କରାଯାଇଛି।

Advertisment

୩୦ ସହପାଠିନୀଙ୍କୁ ଡାକିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ
ଛାତ୍ରୀ ପିନ୍ଧିବେ ହାଲୁକା ରଙ୍ଗର ଶାଢ଼ି/ସାଲୱାର କୁର୍ତ୍ତା
କ୍ୟାମ୍ପସର ସୁରକ୍ଷା ଯାଞ୍ଚ କଲେ ପୁଲିସ କମିସନର

୨୪ ଘଣ୍ଟା ପରେ ଉତ୍ସବ ହେବାକୁ ଥିବାରୁ ଗୁରୁବାର ଦିନ ରିହର୍ସଲ୍‌ ହୋଇଛି। ଯେଉଁଥିରେ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ସଦସ୍ୟ, ଏକାଡେମିକ କାଉନସିଲ୍‌ ସଦସ୍ୟମାନେ ସାମିଲ ହୋଇଥିଲେ। ଡ୍ରେସିଂରୁମ୍‌ରୁ ମଞ୍ଚକୁ କିଭଳି ଆସିବେ ସେନେଇ ଅଭ୍ୟାସ କରାଯାଇଥିଲା। ମଞ୍ଚକୁ ଆସିବାକୁ ଥିବା ସଦସ୍ୟମାନେ ବିଭିନ୍ନ ରଙ୍ଗର ଗାଉନ୍‌ ପିନ୍ଧିବାକୁ ଥିବା ବେଳେ ସ୍ବର୍ଣ୍ଣ ପଦକ ପାଇଥିବାକୁ ଥିବା ଛାତ୍ରୀଙ୍କ ଲାଗି ଡ୍ରେସ୍‌କୋର୍ଡ କରାଯାଇଛି। ଛାତ୍ରୀମାନେ ହାଲୁକା ରଙ୍ଗର ଶାଢ଼ୀ କିମ୍ବା ସାଲୱାର କୁର୍ତ୍ତା ପିନ୍ଧିବେ, ଯାହାର ରଙ୍ଗ ଧଳା କିମ୍ବା ଫିକା ଧଳା ହୋଇଥିବା ଆବଶ୍ୟକ। ସେମାନେ ଉତ୍ତରୀୟ ପକାଇବେ। ପଦକ ପାଇଥିବା ଥିବା ଛାତ୍ରୀମାନେ ସାଙ୍ଗରେ କୌଣସି ବି ବୈଧ ପ୍ରମାଣପତ୍ର(ଆଧାର କାର୍ଡ, ପାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ) ଆଣି ଆସିବାକୁ କୁହାଯାଇଛି। ରାଷ୍ଟ୍ରପତି ମୁର୍ମୁ ମଞ୍ଚ ଉପରେ ୪ଜଣ ବିଶିଷ୍ଟ ମହିଳାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରିବେ। ବାକି ସ୍ବର୍ଣ୍ଣ ପଦକକୁ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳପତି ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

publive-image
ଅନ୍ୟପକ୍ଷରେ ସୁରକ୍ଷା ଉପରେ କମିସନରେଟ୍‌ ପୁଲିସ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁରୁବାର ଦିନ ଦୁଇ ଥର କ୍ୟାମ୍ପସକୁ ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ମଧ୍ୟାହ୍ନରେ ପ୍ରେକ୍ଷାଳୟ ନିକଟରେ ପହଞ୍ଚି ଉପସ୍ଥିତ ଥିବା ପୁଲିସ କର୍ମଚାରୀଙ୍କ ସହ ପୁଲିସ କମିସନର ଶ୍ରୀ ପ୍ରିୟଦର୍ଶୀ ଆଲୋଚନା କରିଥିଲେ। ସନ୍ଧ୍ୟା ସମୟରେ ପୁଣିଥରେ କ୍ୟାମ୍ପସକୁ ଗସ୍ତ କରିଥିବା ଜଣାପଡ଼ିଛି। ପୁଲିସ ପକ୍ଷରୁ ଆଜି କାରକେଡ୍‌ ମଧ୍ୟ ହୋଇଛି। ଯେଉଁ ରାସ୍ତା ଦେଇ ରାଷ୍ଟ୍ରପତି କାର୍ଯ୍ୟକ୍ରମକୁ ଯିବେ ସେଠାରେ ବାରିକେଡ୍‌ କରାଯାଇଛି। ଅପରାହ୍ଣ ୪ଟା ୧୫ରୁ ଉତ୍ସବ ଆରମ୍ଭ ହୋଇ ପାଖାପାଖି ଏକ ଘଣ୍ଟା ଧରି ଚାଲିବ।

ଛାତ୍ରୀ ଗାଇବେ ଜାତୀୟ ସଙ୍ଗୀତ
ରାଷ୍ଟ୍ରପତି ପହଞ୍ଚିବା କ୍ଷଣି ଛାତ୍ରୀମାନେ ଜାତୀୟ ସଙ୍ଗୀତ ପରିବେଷଣ କରିବେ। କୌଣସି ପ୍ରକାର ବ୍ୟାଣ୍ଡ୍‌ କିମ୍ବା ମ୍ୟୁଜିକ୍‌ ବାଜିବ ନାହିଁ। ବରଂ ୩ଜଣ ଛାତ୍ରୀ ଜାତୀୟ ସଙ୍ଗୀତ ଗାନ କରିବେ। ବିଶ୍ବବିଦ୍ୟାଳୟର ସମସ୍ତ ଛାତ୍ରୀ ଯେପରି ଏହି ଉତ୍ସବକୁ ଦେଖିପାରିବେ ସେଥିପାଇଁ ମଧ୍ୟ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଛନ୍ତି। ରମାଦେବୀ ପ୍ରେକ୍ଷାଳୟରେ ୭୦୦ଛାତ୍ରୀ ବସିବା ଲାଗି ବ୍ୟବସ୍ଥା ହୋଇଛି। ବିଶ୍ବବିଦ୍ୟାଳୟ ପୁରୁଣା ପ୍ରେକ୍ଷାଳୟରେ ବଡ଼ ସ୍କ୍ରିନ୍‌ ଲଗାଯାଇ ଉତ୍ସବର ସିଧାପ୍ରସାରଣ କରାଯିବ। ସେଠାରେ ପାଖାପାଖି ଏକ ହଜାର ପିଲା ବସି ସମାବର୍ତ୍ତନ ଉତ୍ସବ ଦେଖିପାରିବେ। ବିଶ୍ବବିଦ୍ୟାଳୟର ସମସ୍ତ ହଷ୍ଟେଲରେ ଉତ୍ସବର ସିଧାପ୍ରସାରଣ କରାଯିବ। ଯେଉଁମାନେ ନ ଆସିପାରିବେ ଘରେ ରହି କାର୍ଯ୍ୟକ୍ରମ ଦେଖିବାକୁ ପରାମର୍ଶ ଦିଆଯାଇଛି।