ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ୩ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତଥା ମେଧା ତାଲିକା ପ୍ରକାଶ ପାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ୨୨ଟି ବିଷୟର ୯୪୪ ସିଟ୍ ପାଇଁ ନାମଲେଖା କରାଯିବ। ଏଥିପାଇଁ ୨ ହଜାରରୁ ଅଧିକ ଛାତ୍ରୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୪୪ ଜଣ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଯେଉଁମାନେ କି ଆସନ୍ତା ୧୧ରୁ ୧୩ ତାରିଖ ମଧ୍ୟରେ ୩ଟି ବିଭାଗରେ ନାମ ଲେଖାଇବେ। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସାଧାରଣ ବର୍ଗର ଛାତ୍ରୀଙ୍କ ବ୍ୟତୀତ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ୧୩ ତାରିଖରେ ନାମଲେଖା ହେବ। କଳା ବିଭାଗର ସାଧାରଣ ବର୍ଗ ଛାତ୍ରୀଙ୍କ ଲାଗି ୧୨ ତାରିଖ, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସାଧାରଣ ବର୍ଗ ଛାତ୍ରୀଙ୍କ ପାଇଁ ୧୩ ତାରିଖରେ ନାମଲେଖା ଅନୁଷ୍ଠିତ ହେବ।
ନାମଲେଖା ପାଇଁ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ େଓ୍ଵବସାଇଟ୍ରୁ ଇଣ୍ଟିମେସନ୍ ଲେଟର୍ ଡାଉନ୍ଲୋଡ୍ କରିପାରିବେ। ନାମ ଲେଖାଇବାକୁ ଆସିବା ସମୟରେ ଛାତ୍ରୀମାନେ ଇଣ୍ଟିମେସନ୍ ଲେଟର ସାଙ୍ଗରେ ଆଣିବେ। ଯାଞ୍ଚ ପାଇଁ ସମସ୍ତ ସାର୍ଟିଫିକେଟ୍ର ଓରିଜିନାଲ ଡକ୍ୟୁମେଣ୍ଟ ଆଣିବାକୁ ହେବ। ନାମଲେଖା ଫି’ ବାବଦରେ ଡିମାଣ୍ଡ ଡ୍ରାଫ୍ଟ ମଧ୍ୟ ଆଣିବା ବାଧ୍ୟତାମୂଳକ କରାଯାଇଛି।
ଜୁଲାଇ ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରୀମାନେ ୨୦ରୁ ୨୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ବଳକା ସିଟ୍ ପାଇଁ ୨୫ ତାରିଖରେ ତାଲିକା ପ୍ରକାଶ ପାଇବ। ଏଥିପାଇଁ ଅଗଷ୍ଟ ୨ରେ ନାମଲେଖା ହେବ। ଅଗଷ୍ଟ ୩ରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।