ରମାଦେବୀ ବିଶ୍ୱବିଦ୍ୟାଳୟ ଅଧୀନ କଲେଜର ଯୁକ୍ତ୩ ଫଳ ପ୍ରକାଶ : ପାସ୍‌ହାର ୮୧.୨୯%, ସ୍ଥିତପ୍ରଜ୍ଞା ଟପର୍‌

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ୩ କଲେଜଗୁଡ଼ିକର ଶେଷବର୍ଷ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ ୭ ହଜାର ୪୫୧ ଜଣ ପରୀକ୍ଷା ଦେଇଥିବା ବେଳେ ୬ ହଜାର ୪୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୮୧୬ ଜଣ ଡିଷ୍ଟିଙ୍ଗ୍‌ସନ୍‌ ସହ ପ୍ରଥମ ଶ୍ରେଣୀ, ୭୨୬ ଜଣ ପ୍ରଥମ ଶ୍ରେଣୀ, ୩୬୩ ଜଣ ଡିଷ୍ଟିଙ୍ଗ୍‌ସନ୍‌ ସହ ଦ୍ୱିତୀୟ ଶ୍ରେଣୀ, ୧୧୯୨ ଜଣ ଦ୍ୱିତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ୧୦୫ ଜଣ ଛାତ୍ରୀ ବିନା ଅନର୍ସରେ କୃତକାର୍ଯ୍ୟ ହୋଇଛନ୍ତି। ୨୫୧୩ ଜଣ ସାଧାରଣ(ଜେନେରାଲ) ଓ ୩୩୪ ଜଣ ସାଧାରଣ ସହ ଡିଷ୍ଟିଙ୍ଗସନ୍‌ରେ ପାସ୍‌ କରିଛନ୍ତି। କମଳା ନେହେରୁ ମହିଳା ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଛାତ୍ରୀ ସ୍ଥିତପ୍ରଜ୍ଞା ନାଥଶର୍ମା ଅନର୍ସରେ ୭୨୧ ନମ୍ବର ରଖି ବିଶ୍ୱବିଦ୍ୟାଳୟ ଟପର୍‌ ହୋଇଛନ୍ତି।

କଳା ବିଭାଗରେ ପାସ୍‌ହାର ୮୦.୪୦% ରହିଛି। ଏହି ବିଭାଗରେ ପରୀକ୍ଷା ଦେଇଥିବା ୬ ହଜାର ୪୪୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ ହଜାର ୧୭୪ ଜଣ ପାସ୍‌ କରିଛନ୍ତି। ୬୧୯ ଜଣ ଡିଷ୍ଟିଙ୍ଗ୍‌ସନ୍‌ ସହ ପ୍ରଥମ ଶ୍ରେଣୀ, ୫୫୧ ଜଣ ପ୍ରଥମ ଶ୍ରେଣୀ, ୩୬୦ ଜଣ ଡିଷ୍ଟିଙ୍ଗ୍‌ସନ୍‌ ସହ ଦ୍ୱିତୀୟ ଶ୍ରେଣୀ, ୧୧୨୩ ଜଣ ଦ୍ୱିତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ୧୦୫ ଜଣ ଛାତ୍ରୀ ବିନା ଅନର୍ସରେ କୃତକାର୍ଯ୍ୟ ହୋଇଛନ୍ତି। ୨୨୩୪ ଜଣ ସାଧାରଣ ଓ ୧୮୨ ଜଣ ସାଧାରଣ ସହ ଡିଷ୍ଟିଙ୍ଗ୍‌ସନ୍‌ରେ ପାସ୍‌ କରିଛନ୍ତି। ଲାଇବ୍ରେରି ସାଇନ୍ସ ଓ ଉର୍ଦୁରେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରୀ ପାସ୍‌ କରିଥିବା ଜଣାପଡ଼ିଛି।

ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୮୪୫ ଜଣ ଛାତ୍ରୀଙ୍କ ମଧ୍ୟରୁ ୭୪୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୮୮.୧୬% ରହିଛି। ୧୮୬ ଜଣ ଛାତ୍ରୀ ଡିଷ୍ଟିଙ୍ଗ୍‌ସନ୍‌ ସହ ପ୍ରଥମ ଶ୍ରେଣୀ, ୧୫୯ ଜଣ ପ୍ରଥମ ଶ୍ରେଣୀ, ଦୁଇ ଜଣ ଡିଷ୍ଟିଙ୍ଗ୍‌ସନ୍‌ ସହ ଦ୍ୱିତୀୟ ଶ୍ରେଣୀ, ୫୧ ଜଣ ଦ୍ୱିତୀୟ ଶ୍ରେଣୀ, ୨୦୫ ଜଣ ସାଧାରଣ, ୧୪୨ ଜଣ ସାଧାରଣ ସହ ଡିଷ୍ଟିଙ୍ଗସନ୍‌ରେ ପାସ୍‌ କରିଛନ୍ତି। ବାୟୋ-ଟେକ୍ନୋଲୋଜିରେ ପରୀକ୍ଷା ଦେଇଥିବା ଜଣେ ମାତ୍ର ଛାତ୍ରୀ ପାସ୍‌ କରିଛନ୍ତି। ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୧୬୨ ଛାତ୍ରୀଙ୍କ ମଧ୍ୟରୁ ୧୩୦ ଜଣ ପାସ୍‌ କରିଛନ୍ତି। ୧୧ ଜଣ ଡିଷ୍ଟିଙ୍ଗ୍‌ସନ୍‌ ସହ ପ୍ରଥମ ଶ୍ରେଣୀ, ୧୬ ଜଣ ପ୍ରଥମ ଶ୍ରେଣୀ, ଜଣେ ଡିଷ୍ଟିଙ୍ଗ୍‌ସନ୍‌ ସହ ଦ୍ୱିତୀୟ ଶ୍ରେଣୀ, ୧୮ ଜଣ ଦ୍ୱିତୀୟ ଶ୍ରେଣୀ, ୭୪ ଜଣ ସାଧାରଣ ଓ ୧୦ ଜଣ ସାଧାରଣ ସହ ଡିଷ୍ଟିଙ୍ଗ୍‌ସନ୍‌ରେ ପାସ୍‌ କରିଥିବା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ଅଜିତ୍‌ କର ସୂଚନା ଦେଇଛନ୍ତି।

ଅଧ୍ୟାପିକା ହେବାର ଲକ୍ଷ୍ୟ ରହିଛି: ସ୍ଥିତପ୍ରଜ୍ଞା

ପରିଶ୍ରମ ଅନୁସାରେ ଫଳ ମିଳିଥିବାରୁ ଖୁସି ଲାଗୁଛି ବୋଲି କହିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍‌ ସ୍ଥିତପ୍ରଜ୍ଞା ନାଥଶର୍ମା। ଶୈଳବାଳା ମହିଳା ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ସମ୍ମାନରେ ପରୀକ୍ଷା ଦେଇଥିବା ସ୍ଥିତପ୍ରଜ୍ଞା ୮ଶହରୁ ୭୨୧ ନମ୍ବର ରଖି ବେଷ୍ଟ ଗ୍ରାଜୁଏଟ୍‌ ହୋଇଛନ୍ତି। ନିଜ ପ୍ରତିକ୍ରିୟାରେ ସ୍ଥିତପ୍ରଜ୍ଞା କହିଛନ୍ତି ଯେ ପଢିବା ପାଇଁ ସେ କିଛି ନିର୍ଦ୍ଦିଷ୍ଟ ସମୟ ରଖୁ ନ ଥିଲେ ବି ତିନି ବର୍ଷ ହେଲା ନିୟମିତ ଭାବେ ପରିଶ୍ରମ କରୁଥିଲେ। ସବୁ ବିଷୟକୁ ଓଭରଲୁକ୍‌ ନ କରି ଗୁରୁତ୍ୱର ସହ ପଢୁଥିଲେ। ଏହା ପରୀକ୍ଷାରେ ଭଲ ନମ୍ବର ରଖିବା ସହ ବିଭିନ୍ନ ବିଶ୍ୱବିଦ୍ୟାଳର ପ୍ରବେଶିକା ପରୀକ୍ଷା ପାଇଁ ସାହଯ୍ୟ କରିଥାଏ ବୋଲି ସ୍ଥିତିପ୍ରଜ୍ଞା କହିବା ସହ ନିଜର ସଫଳତାର ଶ୍ରେୟ ପରିବାର ଲୋକ, କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦେଇଛନ୍ତି। ସେ ରେଭେନ୍ସାରେ ପିଜି କରିବା ସହ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି। ସ୍ଥିତପ୍ରଜ୍ଞା ହେଉଛନ୍ତି ତୁଳସୀପୁର ଶ୍ରୀବିହାର କଲୋନିର ବାସିନ୍ଦା ସାମ୍ବାଦିକ ରମାକାନ୍ତ ନାଥଶର୍ମା ଓ ଅଧ୍ୟାପିକା ଅନସୂୟା ନାଥଶର୍ମାଙ୍କ ଝିଅ।

ସମ୍ବନ୍ଧିତ ଖବର