୮୫ ବର୍ଷରେ ରମାକାନ୍ତ

ଭୁବନେଶ୍ବର: ସାରସ୍ବତ ଜଗତର ମହାନାୟକ ପଦ୍ମଭୂଷଣ ରମାକାନ୍ତ ରଥ ଆଜି ୮୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ମହାନାୟକଙ୍କୁ ଜନ୍ମ ଦିନର ଅଭିନନ୍ଦନ ଓ ଦୀର୍ଘ ଜୀବନ କାମନା କରି ତଥା ସାରସ୍ବତ ଜଗତ ପ୍ରତି ତାଙ୍କ ଅବଦାନକୁ ମନେ ପକାଇ ଦିନତମାମ ଶୁଭେଚ୍ଛାର ସୁଅ ଛୁଟିଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ତାଙ୍କ ବାସଭବନରେ ଭେଟି ଅଭିନନ୍ଦନ ଜଣାଇଥିବା ବେ‌ଳେ ସ୍ଥାନୀୟ ଗୀତଗୋବିନ୍ଦ ସଦନ ଓ ଭାରତୀୟ ବିଦ୍ୟାଭବନଠାରେ ତାଙ୍କ ଜନ୍ମଦିନ ଉପଲକ୍ଷେ ୨ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରମାକାନ୍ତଙ୍କ କବିତା ଓ ସଙ୍ଗୀତର ଚମତ୍କାର ମୂର୍ଚ୍ଛନାରେ ମୁଖରିତ ହୋଇ ପଡ଼ିଥିଲା ଗୀତଗୋବିନ୍ଦ ସଦନ। ମୁଣ୍ଡରେ ହାପି ବାର୍ଥ ଡେ’ କ୍ୟାପ୍‌ ପିନ୍ଧିଥିବା କୁନି କୁନି ପିଲା, ପାଶ୍ଚାତ୍ୟ ସଙ୍ଗୀତର ତାଳେ ତାଳେ କେକ୍‌ କାଟୁଥିବା ଶ୍ରୀ ରଥଙ୍କୁ ଦେଖିଲେ ସାଂସ୍କୃତିକ ଭାବ ବିନିମୟ ଓ ଭାରତୀୟ ସଂସ୍କୃତି ସହ ପାଶ୍ଚାତ୍ୟ ସଂସ୍କୃତିର ମିଳନକୁ ସ୍ପଷ୍ଟ ବାରି ହେଉଥିଲା। ଏହି ଅବସରରେ ‘କବି କଥନ’ ପୁସ୍ତକ ବହୁ ବିଶିଷ୍ଟ ସାହିତ୍ୟିକଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ଶ୍ରୀ ରଥଙ୍କ ପ୍ରିୟ ସଙ୍ଗୀତ ‘ଦେବୀ ବନ୍ଦନା’କୁ ନିଜସ୍ବ ସ୍ବର ସଂଯୋଜନାରେ ପରିବେଷଣ କରିଥିଲେ। ପରେ ପରେ ରମାକାନ୍ତ ରଥଙ୍କ ଦ୍ବାରା ରଚିତ ବହୁ କବିତା ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଶ୍ରୀ ରଥଙ୍କ ଧର୍ମପତ୍ନୀ ଶାନ୍ତି ରଥ ଉପସ୍ଥିତ ଥିଲେ। ସାହିତ୍ୟିକ ମିହିର ସାହୁ, ବନୋଜ ତ୍ରିପାଠୀ, ଅପର୍ଣ୍ଣା ମହାନ୍ତି ଓ ପ୍ରୀତିଧାରା ସାମଲ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ଅବସରରେ ବହୁ ବିଶିଷ୍ଟ ସାହିତ୍ୟିକ ଉପସ୍ଥିତ ରହି ଶ୍ରୀ ରଥଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିଭଳି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ରମାକାନ୍ତଙ୍କ ଜନ୍ମତିଥିରେ ‘ସାମ୍ପ୍ରତିକ ଓଡ଼ିଆ କବିତା ଓ କବି ରମାକାନ୍ତ ରଥ’ ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ବାଉରୀବନ୍ଧୁ କରଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡ. ଫନୀ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦାଶରଥି ଦାସ, ପ୍ରଫେସର ବାବାଜୀ ପଟ୍ଟନାୟକ, ପ୍ରଫେସର ବିଜୟ ଶତପଥୀ, ଡ. ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଡ. ଚିତ୍ତରଞ୍ଜନ ମିଶ୍ର, ପ୍ରଫେସର ରାଜକିଶୋର ମିଶ୍ର ଓ ଡ. ସୁଷମା ମିଶ୍ର ପ୍ରମୁଖ ରମାକାନ୍ତଙ୍କୁ ଯୁଗପୁରୁଷ ବୋଲି ବର୍ଣ୍ଣନା କରିଥିଲେ। ଏହି ଅବସରରେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଦାଶରଥି ଦାସଙ୍କ ସମେତ ଶ୍ରୀ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ. ବିମ୍ବାଧର ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡ. ସନ୍ଦୀପ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର