ଯୁବଶକ୍ତିର ସାମର୍ଥ୍ୟ ଉପଯୋଗ ପାଇଁ ପରିବେଶ ନିର୍ମାଣ ହେଉ: ରାଜ୍ୟପାଳ

ରାମକୃଷ୍ଣ ମିସନ୍‌ ପକ୍ଷରୁ ଜାତୀୟ ଯୁବ ଦିବସ ସମାରୋହ

ଭୁବନେଶ୍ୱର : ଯୁବଶକ୍ତିର ବିକାଶ ହେଉଛି ଆଜିର ଆବଶ୍ୟକତା। ବିକାଶ ପ୍ରକ୍ରିୟାର କେନ୍ଦ୍ରରେ ସେମାନଙ୍କୁ ରଖି ସେମାନଙ୍କର ଶକ୍ତି ଓ ସାମର୍ଥ୍ୟର ସଫଳ ଉପଯୋଗ ନିମନ୍ତେ ପରିବେଶ ନିର୍ମାଣ ହେବା ଦରକାର। ରାମକୃଷ୍ଣ ମିସନ୍‌ ପକ୍ଷରୁ ଅନୁଷ୍ଠାନ ପରିସରରେ ଆୟୋଜିତ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡ. ଏସ୍‌.ସି ଜମିର୍‌ ଏପରି ମତପ୍ରକାଶ କରିଛନ୍ତି।

ଡ. ଜମିର୍‌ ଆହୁରି କହିଲେ, ସ୍ୱାମୀ ବିବେକାନନ୍ଦ ଯୁବ ସମାଜ ପାଇଁ ଚିର ପ୍ରେରଣାର ଉତ୍ସ। ଯୁବ ସମାଜକୁ ଦୃଢ଼, ନିର୍ଭୀକ, ଦୟାବାନ ହେବା ସହ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଡ. ଜମିର୍‌ ଆହ୍ଵାନ ଦେଇଥିଲେ। ଏହି ଅବସରରେ ରାଜ୍ୟପାଳ ବିବେକାନନ୍ଦଙ୍କ ଏକ ପ୍ରତିମୂର୍ତିିକୁ ଅନାବରଣ କରିଥିଲେ। ରାମକୃଷ୍ଣ ମିସନ୍‌ ଭୁବନେଶ୍ୱରର ସମ୍ପାଦକ ଆତ୍ମପ୍ରଭାନନ୍ଦଜୀ ସମାରୋହରେ ଅଧ୍ୟକ୍ଷତା କରିଥିଲେ। ପୂର୍ବତନ ସମ୍ପାଦକ ବ୍ରହ୍ମୋଶନନ୍ଦଜୀ, ଓୟୁଏଟିର କୁଳପତି ସୁରେନ୍ଦ୍ରନାଥ ପଶୁପାଳକ ପ୍ରମୁଖ ସ୍ୱାମୀ ବିବେକାନନ୍ଦଙ୍କ ଜୀବନାଦର୍ଶ ସମ୍ପର୍କରେ ମତ ରଖିଥିଲେ। ରାଜ୍ୟପାଳ ଡ. ଜମିର୍‌ କପିଳ ଆଚାର୍ଯ୍ୟ ଓ ଶ୍ରୀଧର ସାହୁଙ୍କୁ ଯୁବ ସ୍ୱେଚ୍ଛାସେବୀ ପୁରସ୍କାର ପ୍ରଦାନ କରିଥିଲେ। ସ୍ୱାମୀ ଅଦ୍ୱେୟାନନ୍ଦ ଉତ୍ସବ ପରିଚାଳନା କରିଥିଲେ। ପ୍ରଫେସର ତତ୍ତ୍ୱକନ୍ଦର ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର