ଭୁବନେଶ୍ୱର: ଭୁବନେଶ୍ୱର ବାସଗୃହ ଲିଜ୍ ଜମିକୁ ସ୍ଥିତିବାନ କରିବା ପାଇଁ ଅତ୍ୟଧିକ ଦେୟ ବିରୁଦ୍ଧରେ ଶ୍ରୀରାମେଶ୍ୱର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଲୋୟର ପିଏମ୍ଜିଠାରେ ଧାରଣା ଦିଆଯାଇଥିଲା। ସଂଘ ପକ୍ଷରୁ କୁହାଯାଇଛି ଯେ ୧୯୫୦ ମସିହାରେ ଭୁବନେଶ୍ୱରକୁ ଜନବସତିପୂର୍ଣ୍ଣ ସହର ତଥା ରାଜ୍ୟର ରାଜଧାନୀ ରୂପେ ଗଢ଼ି ତୋଳିବା ପାଇଁ ସରକାର ନିଜ କର୍ମଚାରୀଙ୍କୁ ପ୍ରଚଳିତ ମୂଲ୍ୟରେ ସରକାରୀ ଜମି ବାସଗୃହ ଓ ଦୋକାନ ଗୃହ କରିବା ପାଇଁ ଲିଜ ସୂତ୍ରରେ ପ୍ରଦାନ କରିଥିଲେ। ଲିଜ୍ ଡିଡ୍ରେ ଥିବା ଉତ୍ତରାଧିକାରୀ କିମ୍ବା ଅନ୍ୟ କାହାକୁ ହସ୍ତାନ୍ତର କଲେ ସରକାରଙ୍କ ଅନୁମତି ନେବାକୁ ହେବ। ୧୯୭୨ ମସିହାରେ ଲିଜ୍ ପ୍ରଦାନ ସମୟରେ ଜମିର ଦାମ ଏକର ପ୍ରତି କୋଡ଼ିଏ ହଜାର ଟଙ୍କାରୁ ଆରମ୍ଭ କରି ସମୟକ୍ରମେ ବଢ଼ିବଢ଼ି ୨୦୦୩ ସୁଦ୍ଧା ୮୦ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥିଲା। ୨୦୦୩ରେ ଏଭଳି ଜମିର ସରକାରୀ ମୂଲ୍ୟ ଏକର ପ୍ରତି ୩୦ ଲକ୍ଷରୁ ବଢ଼ାଇ ଏହାର ଶତକଡ଼ା ୫ ଓ ୧୦ଭାଗ ସଂପରିର୍ତ୍ତନ ଦେୟ ଦେଇ ଲିଜ ଜମିକୁ ସ୍ଥିତିବାନ କରିବାକୁ ସରକାର ସ୍ଥିର କଲେ। ଭବିଷ୍ୟତରେ ଏହି ଜମି ଅନ୍ୟ କାହାକୁ ହସ୍ତାନ୍ତର କଲାବେଳେ ସରକାରୀ ଅନୁମତିର ଆବଶ୍ୟକତା ବ୍ୟବସ୍ଥା ଉଠାଇ ଦିଆଗଲା। ସେତେବେଳେ ସ୍ୱଳ୍ପ ଆୟକାରୀବର୍ଗ କ୍ରୟ କରିଥିବା ଜମି, ସେଥିରେ ସ୍ଥାୟୀ ଗୃହ ନିର୍ମାଣ ଓ ସନ୍ତାନ, ସନ୍ତତିଙ୍କ ବିବାହ ଓ ଶିକ୍ଷା ଆଦି ନିମନ୍ତେ କରିଥିବା ଋଣ ପରିଶୋଧ କରିପାରି ନଥିବାରୁ ବର୍ଦ୍ଧିତ ହାରରେ ସଂପରିବର୍ତ୍ତନ ଦେୟ ଦେଇ ନପାରି ନିଜାର ଲିଜ୍ ଜମିକୁ ସ୍ଥିତିବାନ କରିପାରି ନଥିଲେ। ଉପରୋକ୍ତ ସରକାରୀ ନିର୍ଦ୍ଦେଶନାମା ସମସ୍ତ ଲିଜ୍ଧାରୀଙ୍କ ପାଖରେ ପହଞ୍ଚିବା ଭଳି ପ୍ରଚାର ପ୍ରସାର ବ୍ୟବସ୍ଥା ବି ହୋଇ ନଥିଲା। ପୁନର୍ବାର ସରକାର ଜମିର ଦର ଏକର ପ୍ରତି ୧୪ କୋଟି ୪୦ ଲକ୍ଷକୁ ବଢ଼ାଇ ବର୍ତ୍ତମାନ ତାର ଶତକଡ଼ା ୫ ଭାଗ ଓ ୧୦ ଭାଗ ରାଶି ସଂପରିର୍ତ୍ତନ ଦେୟ ଦାବି କରିବା ଅନ୍ୟାୟ। ସରକାର ଗରିବ ଶ୍ରେଣୀର ଲୋକଙ୍କ କଲ୍ୟାଣ ପାଇଁ ପ୍ରଚାର କରୁଥିବା ବେଳେ ନିଜର ପ୍ରାକ୍ତନ କର୍ମଚାରୀଙ୍କୁ ବାସଚ୍ୟୁତ କରିବା ନିମନ୍ତେ ପଦକ୍ଷେପ ନେଉଛନ୍ତି ଏବଂ ସମସ୍ତଙ୍କୁ ଜମି ବ୍ୟବସାୟ କରିବାକୁ ଉତ୍ସାହିତ କରୁଛନ୍ତି ବୋଲି ସଂଘ ତରଫରୁ ଅଭିଯୋଗ ହୋଇଛି। ଏହି ଧାରଣାରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ସରକାରଙ୍କ ଏହି ନିୟମକୁ ସମାଲୋଚନା କରିଥିଲେ।
ଶ୍ରୀ ରାମେଶ୍ୱର ବରିଷ୍ଠ ନାଗରିକ ସଂଘର ଧାରଣା
/sambad/media/post_attachments/wp-content/uploads/2018/09/m6-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)