ନକଲି ଡାକ୍ତର ରମେଶର କାରନାମା: ଜାଲ୍ ପରିଚୟପତ୍ରରେ କିଣିଥିଲା କାର

ମେଡିକାଲ୍ ପଢ଼ିବା ଆଶା ଧୂଳିସାତ୍

ଭୁବନେଶ୍ବର: ନକଲି ଡାକ୍ତର ରମେଶ ବିଷୟରେ ଯେତିକି ଖୋଳତାଡ଼ ଚାଲିଛି, ସେତିକି ସେତିକି ନୂଆ ତଥ୍ୟ ମିଳିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉପ-ମହାନିର୍ଦ୍ଦେଶକ ପରିଚୟ ଦେଇ ଠକୁଥିଲା ବେଳେ ନାଁ ରଖିଥିଲା ଡାକ୍ତର ବିଜୟଶ୍ରୀ ରମେଶ। ମହିଳାଙ୍କ ସହ ବିବାହ ପାଇଁ ପ୍ରସ୍ତାବ ପକାଉଥିଲାବେଳେ ମାଟ୍ରିମୋନି ସାଇଟ୍‌ରେ ନାଁ ରଖୁଥିଲା ବିଧୁ ପ୍ରକାଶ ସ୍ବାଇଁ।

ଏମିତି ଭିନ୍ନ ଭିନ୍ନ ନାଁରେ ରମେଶର ଏକାଧିକ ଠକେଇ ସାମ୍ନାକୁ ଆସିଛି। ଜାଲିଆତି କରି ପ୍ରସ୍ତୁତ କରିଥିଲା ନକଲି ଭୋଟର ପରିଚୟପତ୍ର, ପାନ୍ କାର୍ଡ। ରମେଶର ଜବତ ହୋଇଥିବା ଫୋର୍ଡ ଇକୋ ସ୍ପୋର୍ଟସ୍ କାର୍ (ଓଡି୦୨ଏଆର-୦୭୯୩) ଜାଲ ପରିଚୟପତ୍ର ଦେଇ କିଣିଥିବା ଜଣାପଡ଼ିଛି। ଗାଡ଼ିର ମାଲିକାନା ବିଧୁ ପ୍ରକାଶ ସ୍ବାଇଁ ନାଁରେ ଥିବା ଜଣାପଡ଼ିଛି। ଠକେଇ କରିବା ଉଦ୍ଦେଶ୍ୟରେ ସେ ଏପରି କରିଥିବା ସନ୍ଦେହ କରୁଛି ପୁଲିସ। ସେହିପରି ଜବତ ହୋଇଥିବା ଅନ୍ୟ ଏକ କାର୍‌ରେ ଜାଲ ନମ୍ବର ଲଗାଯାଇଥିବା ପୁଲିସ ଅନୁମାନ କରୁଛି।

ଚାରା ନାଁରେ ୪ ଲକ୍ଷର ଚୂନ

ଓଡ଼ିଶା, ଆନ୍ଧ୍ର, କୋଲକାତା, କେରଳ, ଝାଡ଼ଖଣ୍ଡ, ଛତିଶଗଡ଼ ଏମିତି ୧୩ ରାଜ୍ୟକୁ ଲମ୍ବିଛି ରମେଶର ଠକେଇ ଚେର। ଆନ୍ଧ୍ରର ଚାରା ଓ ଫଳ ବ୍ୟବସାୟୀଙ୍କୁ ୪ଲକ୍ଷ ଟଙ୍କାର ଚୂନ ଲଗାଇଛି ରମେଶ। ଠକାମିର ଶିକାର ହୋଇଥିବା ଭେଙ୍କଟ ରମଣ ଆଜି ଭୁବନେଶ୍ବରରେ ପହଞ୍ଚି ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରମେଶ ନିଜକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉପମହାନିର୍ଦ୍ଦେଶକ ପରିଚୟ ଦେଇ ଚାରା ଅର୍ଡର୍‌ କରିଥିଲା। ୪ଲକ୍ଷ ଟଙ୍କାର ଚାରା ଆଣିଥିଲା। ଏ ବାବଦରେ ଯେଉଁ ଚେକ୍ ଦେଇଥିଲା, ତାହା ବାଉନ୍ସ କରି ଯାଇଥିଲା। ରମେଶର ଗିରଫଦାରୀ ପରେ ପୁଲିସ ତା’ର ମୋବାଇଲ ଫୋନ୍ ଚାଟିଂରୁ ତଥ୍ୟ ପାଇ ଭେଙ୍କଟଙ୍କ ସହ ଯୋଗାଯୋଗ କରିବା ପରେ ଠକେଇ ସଂକ୍ରାନ୍ତରେ ଜଣାପଡ଼ିଥିଲା।

ସାମ୍ନାକୁ ଆସିଲାଣି ୮ଟି ତରିକାରେ ଠକେଇ

ରମେଶ ୮ଟି ତରିକାରେ ଠକେଇ କରିଥିବା ସାମ୍ନାକୁ ଆସିଲାଣି। ମିଛ କହି ମହିଳାଙ୍କୁ ବିବାହ, ପ୍ରତାରଣା କରିବା, ମେଡିକାଲ ଆଡମିସନ୍, ଚାକିରି ନାଁରେ ଠକେଇ, ବ୍ୟବସାୟୀଙ୍କୁ ଠକେଇ, ଗାଡ଼ି ଭଡ଼ା ନ ଦେବା, କ୍ଲିନିକରେ ଡାକ୍ତରଙ୍କୁ ନିଯୁକ୍ତି ଦେଇ ତାଙ୍କୁ ଦରମା ନ ଦେବା ଭଳି ଠକେଇ ସାମ୍ନାକୁ ଆସିଲାଣି। ଖଣ୍ଡଗିରି, ଭରତପୁର, ମହିଳା ଥାନାରେ ରୁଜୁ ହୋଇଥିବା ମାମଲା ଆଧାରରେ ପୁଲିସ ପୁଣି ରମେଶକୁ ରିମାଣ୍ଡରେ ଆଣିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସିଂହାଳରେ କମିସନରେଟ୍‌ ପୁଲିସର ଚଢ଼ଉ

ଠକ ରମେଶର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ସିଂହାଳ ଗ୍ରାମରେ ଥିବା ଘରେ ଆଜି ବିଳମ୍ବିତ ରାତିରେ କମିସନରେଟ୍‌ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରିଛି। ଚଢ଼ଉ ସମୟରେ ଘରେ ଥିବା ମା’, ଭାଇଙ୍କୁ ପୁଲିସ ପଚରାଉଚରା କରିଛି। ସେହିପରି ସେଠା‌ରେ କରିଥିବା ଏକ ଫାର୍ମ ହାଉସ୍‌‌‌‌ରେ ମଧ୍ୟ ଚଢ଼ଉ କରି ତଦନ୍ତକାରୀ ଟିମ୍‌ ସିଲ୍‌ କରିଦେଇଥିବା ଜଣାଯାଇଛି।

 

ସମ୍ବନ୍ଧିତ ଖବର