ପୁରୁଣା ଭୁବନେଶ୍ୱର: ଗତକାଲିଠାରୁ କପାଳି ମଠ ନିକଟରେ ଅଟକିଥିବା ରୁକୁଣା ରଥ ଆଜି ମାଉସୀ ମା’ରେ ପହଞ୍ଚିଛି। ଗତକାଲି ଭଳି ଆଜି ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ଭିଡ଼ରେ ରଥଦାଣ୍ଡ ଉଛୁଳିପଡ଼ିଥିଲା। ଭକ୍ତ ଓ ଶ୍ରଦ୍ଧାଳୁମାନେ ରଥକୁ ଟାଣିଟାଣି ମାଉସୀ ମା’ ମନ୍ଦିରରେ ଲଗାଇଥିଲେ। ବିଧି ମୁତାବକ ପ୍ରଭୁ ରାମେଶ୍ବର ରଥାରୂଢ଼ ତ୍ରିମୂର୍ତ୍ତିଙ୍କୁ ପାଛୋଟି ନେଇଥିଲେ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ଶ୍ରୀ ଦୋଳଗୋବିନ୍ଦ ଓ ମା ରୁକ୍ମିଣୀ ପ୍ରଭୁ ରାମେଶ୍ବର ମନ୍ଦିରକୁ ବିଜେ କରିଛନ୍ତି।
ଗତକାଲି ବିଭିନ୍ନ କାରଣରୁ ରଥଟଣା ବିଳମ୍ବିତ ହୋଇଥିଲା। ବିଶେଷକରି ଲିଙ୍ଗରାଜଙ୍କ ମନ୍ଦିର ତିନି ତିନି ଥର ମାରା ହେବାରୁ ନୀତିକାନ୍ତି ବିଳମ୍ବିତ ହୋଇଥିଲା ଏବଂ ପରେପରେ ରଥଟଣା ଡେରିରେ ଆରମ୍ଭ ହୋଇଥିଲା। ତେଣୁ ରଥ କପାଳି ମଠରେ ପହଞ୍ଚିବା ବେଳକୁ ସୂର୍ଯ୍ୟାସ୍ତ ହୋଇଗଲା ଏବଂ ବିଧି ଅନୁସାରେ ରଥଟଣା ବନ୍ଦ କରାଗଲା। ଆଜି ଅପରାହ୍ଣ ୨ଟାରେ ରଥଟଣା ହେବ ବୋଲି ଧାର୍ଯ୍ୟକରାଯାଇଥିଲା। କିନ୍ତୁ ସମସ୍ତ ସେବାୟତମାନେ ଏକାଠି ହେବା ବେଳକୁ ଅପରାହ୍ଣ ୩ଟା ବାଜିଯାଇଥିଲା। ଅପରାହ୍ଣ ୩ଟା୧୦ ମିନିଟ୍ରେ ରଥ ଭିଡ଼ା ହୋଇଥିଲା। ସନ୍ଧ୍ୟା ପ୍ରାୟ ୬ଟାରେ ରଥ ଅସୁଲକିଆରିଠାରେ ପହଞ୍ଚିଥିଲା। ଏତିକିବେଳେ କିଛି ସମୟ ପାଇଁ ରଥକୁ ଅଟକାଇ ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପ କରାଯାଇଥିଲା। ଏହାପରେ ସାମାନ୍ୟ ଅନ୍ଧାର ହୋଇଥିଲେ ହେଁ ଲୋକେ ରଥ ଭିଡ଼ି ସନ୍ଧ୍ୟା ପ୍ରାୟ ୭ଟା୧୫ମିନିଟରେ ରାମେଶ୍ବର ମନ୍ଦିରରେ ପହଞ୍ଚାଇଥିଲେ।
ଆଜି ରଥଟଣା ବେଳେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ରପ୍ରସାଦ ମହାନ୍ତି ଓ ସେବାୟତମାନେ ସହଯୋଗ କରିଥିଲେ। ଡାହୁକ ବାବୁ ଖୁଣ୍ଟିଆଙ୍କ ବୋଲି ରଥ ଟାଣୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିଥିଲା। ରଥ ମାଉସୀ ମା’ରେ ଲାଗିବା ପରେ ଚାରାମାଳ ବନ୍ଧା ଯାଇଥିଲା ଏବଂ ପରେପରେ ଠାକୁରଙ୍କୁ ପହଣ୍ଡି କରାଯାଇ ରାମେଶ୍ବର ମନ୍ଦିରକୁ ନିଆଯାଇଥିଲା। ରାମେଶ୍ବରଙ୍କ ସହ ବିଗ୍ରହମାନଙ୍କ ଭେଟ ଆଳତି କରାଯାଇଥିଲା। ରାତି ପ୍ରାୟ ସାଢ଼େ ୮ଟାରେ ଶ୍ରୀଜିଉ ସିଂହାସନ ବିଜେ କରିଥିଲେ।
ସୂଚନାଯୋଗ୍ୟ ଯେ ଆଜି ସକାଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ରଥ ଉପରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ କରାଯାଇଥିଲା। ପୂବାହ୍ଣରେ ରଥ ଉପରେ ମହାପ୍ରଭୁଙ୍କ ସ୍ନାନ ବିଧି ସହିତ ବେଶ ଓ ସକାଳ ଧୂପ କରାଯାଇଥିଲା। ସକାଳୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/07/CG8S4uF3hGiXgRgK6ro8.jpg)