ସସ୍ମିତା ସାହୁ
ଭୁବନେଶ୍ବର: ୮୦ ଦଶକର ପ୍ରାରମ୍ଭର କଥା। ନୂଆ କରି ଗଠନ ହେଉଥାଏ ଜୟଦେବବିହାର। ସରକାର ବିଭିନ୍ନ ପ୍ଲଟ୍ କରି ସରକାରୀ ଚାକିରିଆଙ୍କୁ ଜାଗା ଆବଣ୍ଟନ କରୁଥା’ନ୍ତି। କିଛି କିଛି ଘର ମଧ୍ୟ ତିଆରି ହୋଇସାରିଥାଏ। ଅଞ୍ଚଳର କିଛି ଜ୍ଞାନୀଗୁଣୀ ଲୋକ ଏକାଠି ହୋଇ ସେଠାରେ ଏକ ମନ୍ଦିର ନିର୍ମାଣ ପାଇଁ ଚିନ୍ତା କରିଥିଲେ। ହେଲେ ମନ୍ଦିର କେଉଁଠି ହେବ ତାହା ନିଷ୍ପତ୍ତି ହୋଇପାରୁନଥାଏ। ଅନ୍ୟପଟେ ଜୟଦେବବିହାରର କିଛି ଅଞ୍ଚଳ ପାହାଡ଼ କାଟି ତିଆରି ହୋଇଥିବାରୁ ଏକ ଉଚ୍ଚା ପାହାଡ଼ିଆ ଅଞ୍ଚଳକୁ ପ୍ଲଟିଂ କରାଯାଇଥିଲେ ବି ଏହି ସ୍ଥାନଟି କାହାରିକୁ ଆବଣ୍ଟିତ ହୋଇପାରି ନଥିଲା। ସରକାର ଏହି ସ୍ଥାନକୁ ଜନସାଧାରଣଙ୍କ ବ୍ୟବହାର ପାଇଁ ଛାଡ଼ି ଦେଇଥିଲେ। ଅଞ୍ଚଳବାସୀ ଏଠାରେ ଏକ ମନ୍ଦିର ନିର୍ମାଣର ନିଷ୍ପତ୍ତି ନେଲେ। ସେହି ସ୍ଥାନକୁ ଖୋଳାଖୋଳି କରାଯିବାରୁ ହାଡ଼, ଖପୁରି ଆଦି ବାହାରିଥିଲା। ଏଣୁ ଏଠାରେ ଶିବ ମନ୍ଦିର ପ୍ରତିଷ୍ଠା ପାଇଁ ସ୍ଥିର ହେଲା। ଏହି ମନ୍ଦିର ‘ରାମେଶ୍ବର ମନ୍ଦିର’ ଭାବେ ଜୟଦେବବିହାରରେ ପରିଚିତ ହେଲା।
ଜୟଦେବବିହାର ସାଂସ୍କୃତିକ ଉନ୍ନୟନ ପରିଷଦ ମନ୍ଦିରର ପରିଚାଳନା ଦାୟିତ୍ବରେ ରହିଛି। ସଭାପତି ମନୋରଞ୍ଜନ ମିଶ୍ର କହିଛନ୍ତି, ୧୯୮୩ ମସିହାରେ ଜୟଦେବବିହାରର ବାସିନ୍ଦା ମହେନ୍ଦ୍ରନାଥ ମହାପାତ୍ର, ଈଶ୍ବରଚନ୍ଦ୍ର ଦେହୁରୀ, ରାଧାଶ୍ୟାମ ପତ୍ରୀ, ଶରତଚନ୍ଦ୍ର ତ୍ରିପାଠୀ, ଭାଗବତ ମହାନ୍ତି, ଗନ୍ଧର୍ବସେନ ମହାପାତ୍ର, ବୃନ୍ଦାବନ ସାହୁ ଓ ବଂଶୀଧର ପରିଡ଼ା ପ୍ରମୁଖ ମିଶି ମନ୍ଦିର ନିର୍ମାଣ କରିବାକୁ ଚିନ୍ତା କରିଥିଲେ। ମହେନ୍ଦ୍ର ମହାପାତ୍ର ଓ ତାଙ୍କ ଘରେ ଭଡ଼ାରେ ରହୁଥିବା ବଂଶୀଧର ପରିଡ଼ା ସବୁଦିନେ ଏହି ଜାଗାକୁ ବୁଲି ଆସୁଥିଲେ। ବର୍ତ୍ତମାନ ଯେଉଁଠାରେ ରାମେଶ୍ବର ମନ୍ଦିର ଦଣ୍ଡାୟମାନ, ତାହା ଉଚ୍ଚ ଶୃଙ୍ଖ ଭଳି ଥିଲା। ତାଙ୍କ ମନକୁ ସେତେବେଳେ ଆସିଥିଲା ଯେ କୈଳାସ ଭଳି ଏହାର ଶୃଙ୍ଖ ହୋଇଛି। ଅନ୍ୟପଟେ ହାଡ଼, ଖପୁରି ବି ବାହାରିଛି। ଏଣୁ ଏହି ସ୍ଥାନରେ ଶିବ ମନ୍ଦିର ପ୍ରତିଷ୍ଠା କରିବା। ୧୯୮୩ ମସିହାରେ ହିଁ ମନ୍ଦିର ନିର୍ମାଣର ନିଅଁ ପଡ଼ିଥିଲା। ୧୯୮୫ ମସିହା ସେପ୍ଟେମ୍ବର ମାସରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ନୟାଗଡ଼ର ପଣ୍ଡିତ ଉଦୟନାଥ ଷଡ଼ଙ୍ଗୀ, ଉତ୍ତରାର ପଣ୍ଡିତ ଅନାଦି ଦାସ, ଖଣ୍ଡଗିରିର ପଣ୍ଡିତ ସୁଦର୍ଶନ ରଥଶର୍ମାଙ୍କ ସମେତ ଆଉ ୨ ଜଣ ସ୍ଥାନୀୟ ବ୍ରାହ୍ମଣ ମନ୍ଦିର ପ୍ରତିଷ୍ଠା କରିଥିଲେ। ସେହିଠାରେ ପଣ୍ଡିତମଣ୍ଡଳୀ ଶିବଙ୍କ ନାମ ରାମେଶ୍ବର ରଖିଥିଲେ। ସେହିଦିନଠାରୁ ମନ୍ଦିର ରାମେଶ୍ବର ଦେବ ମନ୍ଦିର ନାମରେ ପ୍ରସିଦ୍ଧି ଲାଭ କରିଥିଲେ।
ରାମେଶ୍ବରଦେବ ମନ୍ଦିର, ଜୟଦେବ ବିହାର
ପରିଷଦର ପୂର୍ବତନ ସାଧାରଣ ସମ୍ପାଦକ ବେଣୁଧର ପରିଡ଼ା କହିଛନ୍ତି, ମନ୍ଦିର ପ୍ରତିଷ୍ଠା ହେବା ସମୟରେ ପ୍ରଥମେ କେବଳ ଶିବ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ପରେ ମନ୍ଦିର ପରିସରରେ ଗଣେଶ, ନାରାୟଣ, ରୁଦ୍ର ଓ ଅମ୍ବିକା ମନ୍ଦିର ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଥିଲା। ପ୍ରଫୁଲ୍ଲ ସାହୁ ନାମକ ଜଣେ ଠିକାଦାର ଗଣେଶ ମନ୍ଦିର ପ୍ରତିଷ୍ଠା ପାଇଁ କିଛି ଅନୁଦାନ ଦେଇଥିବା ବେଳେ ଭାଗବତ ମହାନ୍ତି ପାର୍ବତୀ ମନ୍ଦିର ନିର୍ମାଣ ପାଇଁ ୩ ହଜାର ଟଙ୍କା ଦାନ କରିଥିଲେ। ଅବଶିଷ୍ଟ ଟଙ୍କା ଚାନ୍ଦା ଭେଦା କରି ଆଦାୟ କରାଯାଇଥିଲା। ପରେ ଲକ୍ଷ୍ମୀ ନାରାୟଣ, ସୂର୍ଯ୍ୟ ମନ୍ଦିର ଓ ନବଗ୍ରହ, ଗାୟତ୍ରୀ, ସରସ୍ବତୀ ମନ୍ଦିର, ହନୁମାନ, ରାମ, ସୀତା ଓ ଲକ୍ଷ୍ମଣ ମନ୍ଦିର ନିର୍ମିତ ହୋଇଥିଲା। ଶ୍ରୀ ପରିଡ଼ା କହିଛନ୍ତି, ମନ୍ଦିରର ସବୁଠାରୁ ବଡ଼ ରୋଚକ କଥା ହେଉଛି, ମନ୍ଦିର ଫାଟକ ବାହାରୁ ଯଦି କେହି ଠାକୁରଙ୍କ ଦର୍ଶନ କରିବାକୁ ଚାହେ, ତେବେ ନିହାତି ଭାବେ ମନ୍ଦିର ଭିତରେ ଅଧିଷ୍ଠିତ ସମସ୍ତ ଠାକୁରଙ୍କୁ ଏକାସାଥେ ଦେଖିପାରିବ। ଏଥିସହ ମନ୍ଦିର ପରିସରରେ ଥିବା ବଡ଼ବଡ଼ ବୃକ୍ଷ ସହ ବିଶାଳ ପାର୍କିଂ ମନ୍ଦିରର ଅନ୍ୟତମ ଆକର୍ଷଣ। ମନ୍ଦିର ପରିସର ଏବେ ପ୍ରାୟ ୨ ଏକର ଜମିରେ ରହିଛି। ମନ୍ଦିର ମଧ୍ୟରେ ଥିବା ୨ଟି କମ୍ୟୁନିଟି ହଲ୍ରେ ବିବାହ, ବ୍ରତଭଳି ବହୁ ସାମାଜିକ କାର୍ଯ୍ୟ ଅନୁଷ୍ଠିତ ହୁଏ। ମନ୍ଦିରରେ ୧୨ ମାସରେ ୧୩ ପର୍ବ ପାଳିତ ହେଉଥିବା ବେଳେ ପ୍ରତ୍ୟେକ ମାସର ତୃତୀୟ ଶନିବାରେ ସୁନ୍ଦରାକାଣ୍ଡ ପାଠ ହୋଇ ପ୍ରସାଦ ସେବନ ବ୍ୟବସ୍ଥା ହୁଏ ବୋଲି ପରିଷଦର ଉପସଭାପତି ଗଜେନ୍ଦ୍ର ବେହେରା, ସାଂସ୍କୃତିକ ସମ୍ପାଦକ ସୁବାସ ଚନ୍ଦ୍ର ବିଶ୍ବାଳ କହିଛନ୍ତି।