ପୁରୁଣା ଭୁବନେଶ୍ୱର: ରାମେଶ୍ବର ବାରିକ ସାହିରେ ୧୯୭୨ ମସିହାରେ ମାତ୍ର ୨୦ଟି ଘର ଥିଲା। ସେଥିରୁ ବାରିକ ଘର ଥିଲା ୩ଟି। ଏହି ବାରିକମାନେ ଲିଙ୍ଗରାଜ ମହାପ୍ରଭୁଙ୍କ ସେବାରେ ଥିଲେ। ଠାକୁରଙ୍କ ଯିବା ବେଳେ ଏମାନେ ମଶାଲ ଧରି ଯାଉଥିଲେ। ଏହି ଜାଗାରେ ଏକ ବେହେରା ଘର, ଦୁଇଟି ବୁଣାକାର ତନ୍ତିଘର ଓ ଅନ୍ୟ କିଛି ପରିବାର ମିଶି ମିଶି ୨୦ଟି ଘର ଥିଲା। କ୍ରମେ ବିଭିନ୍ନ ସେବାୟତଙ୍କୁ ମିଳିଥିବା ଜାଗାକୁ କିଣି ଏଠାରେ ଘର ଦ୍ବାର ବଢ଼ିଲା। ଏବେ ଏଠାରେ ରହୁଥିବା ପରିବାର ସଂଖ୍ୟା ୧ ଶହ ଟପିଲାଣି। ଏଠାରେ ଜଣେ ବାବଜି ପୂର୍ବରୁ ଏକ ମଠ କରି ରହୁଥିବା ଜଣାପଡ଼େ। ବାବାଜି ଜଣକ ମଠ ଛାଡ଼ି ଚାଲିଯିବାରୁ ଏହି ସ୍ଥାନରେ ସ୍ଥାନୀୟ ଯୁବକମାନେ ଏକ କ୍ଲବ୍ ଗଠନ କରିଥିଲେ। ସାହିରେ ଗ୍ରାମ ଦେବତୀ ଭାବେ ମୋହିନୀ ଠାକୁରାଣୀ ଥିବାରୁ ଏହି କ୍ଲବ୍ର ନାଁ ମୋହିନୀ କ୍ଲବ୍ ରଖାଯାଇଥିଲା। ମା’ ସାହିକୁ ସାହା ବୋଲି ସ୍ଥାନୀୟ ଅଧିବାସୀମାନେ କହନ୍ତି।
ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ପାଇଁ ମା’ଙ୍କ ପାଖରେ ପୂଜା ହେବା ସହ ମାଜଣା କରାଯାଏ। ଗଢ଼ିଉଠିଥିବା ବିଭିନ୍ନ ଡ୍ଲୁପ୍ଲେକ୍ସ ଓ କଲୋନି ଲୋକେ ମଧ୍ୟ ମା’ଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ବିବାହ, ବ୍ରତଘର ହେଲେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଆଯାଏ। ବିବାହ ବେଳେ ଦିଅଁ ମଙ୍ଗୁଳା ପାଇଁ ମା’ଙ୍କ ପୀଠକୁ ଗ୍ରାମବାସୀ ପୂଜା ପାଇଁ ଯାଆନ୍ତି। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯାଏ। କୌଣସି ବିପଦ ପଡ଼ିଲେ ମା’ଙ୍କ ପାଖରେ ଅଧିଆ ପଡ଼ି ମାନସିକ କରି ଲୋକେ ଆସନ୍ତି। ବିପଦରୁ ମୁକ୍ତି ପାଇବା ପରେ କିମ୍ବା ମାନସିକ ପୂରଣ ହେଲେ ମା’ଙ୍କ ପାଖରେ ସେମାନେ ବିଭିନ୍ନ ଫଳ ଭୋଗ କରନ୍ତି। ତେବେ ରାମେଶ୍ବର ମନ୍ଦିର ନିକଟରେ ଏହି ସାହିରେ ପୂର୍ବରୁ ବାରିକମାନେ ରହୁଥିବାରୁ ରାମେଶ୍ବର ପାଟଣା ବାରିକସାହି କୁହାଯାଏ। ପୁରୁଣା ଭୁବନେଶ୍ବରରେ ବିଭିନ୍ନ ସେବାୟତ ସମ୍ପ୍ରଦାୟର ଲୋକ ନିର୍ଦ୍ଦିଷ୍ଟ ସାହିରେ ରହୁଥିବା ବେଳେ ରାମେଶ୍ବର ପାଟଣା ବାରିକ ସାହିରେ କଥା ଭିନ୍ନ। ଏହି ସାହିରେ ପ୍ରଥମେ ଛୋଟ ଗଳି ଥିଲା। ଲୋକ ପାଖ ବିଲକୁ କିଣିବା ପରେ ରାସ୍ତା ବଢ଼ିଲା, ଜନବସତି ବଢ଼ିଲା। ସାହିକୁ ଛାଡ଼ି ଦେଲେ ବାକି ଟ୍ରେନ୍ ଲାଇନ୍ କଡ଼ ପର୍ଯ୍ୟନ୍ତ ବିଲ ଥିଲା। ଏହି ଚାଷ ଜମିରେ ପାଣି ଜମି ରହୁଥିଲା।
୧୯୯୫ ମସିହା ପରେ ପରେ ଏଠାରେ ଘର ସଂଖ୍ୟା ବଢ଼ିଲା। ରାମେଶ୍ବର ବାରିକ ସାହି ଅଞ୍ଚଳ ରାଜସ୍ବ ବିଭାଗରେ ଗ୍ରିନ୍ ଜୋନ୍ ଥିଲା। ତେବେ ପରେ ହଳଦିଆ ଜୋନ୍ ହେବା ପରେ ଘରବାରି ପାଇଁ ଅନୁମତି ମିଳିଲା। ଆମେ ଏଠାରେ ବିଦ୍ୟୁତ୍ ଖୁଣ୍ଟ ହାତରୁ ଚାନ୍ଦା କରି ପକାଇଥିଲୁ। କିଛି ବର୍ଷ ହେଲା ଏଠାରେ ବିଲ ଉପରେ ଘର ହୋଇଥିବା ରାସ୍ତା ପିଚୁ ଓ କଂକ୍ରିଟ୍ ହେଲା।
ଲକ୍ଷ୍ମୀଧର ଦାଶ, ଆଇନଜୀବୀ
ଏଠାରେ ୧୯୯୮ମସିହା ପରେ ରେଳ ଲାଇନ୍ କଡ଼ରେ ବସ୍ତି ମାଡ଼ି ଆସିଲାଣି। ଧାନ ବିଲ ଗହୀର କାଦୁଅ ପଙ୍କ ଥିଲା। ଏହା ମଧ୍ୟରେ ଏକ ଫେର(ବିଲ ମଝିରେ ବାଲି ପଡ଼ିଥିବା ରାସ୍ତା) ଥିଲା। ଏହି ଫେରରେ ଲୋକେ ମା’ ମେହିନୀଙ୍କ ନିକଟକୁ ଯାଉଥିଲେ। ଏଠାରେ ଥିବା ବିଲରେ ଏତେ ପାଣି ଥିଲା ଯେ, ଏହି ପାଣିରୁ ମାଛ ଧରା ହେଉଥିଲା। କେବଳ ମାଛ ନୁହେଁ କଇଁଚ ମଧ୍ୟ ମାରୁଥିଲେ।
ଦୁର୍ଗାମାଧବ ମିଶ୍ର, ଆଇନଜୀବୀ
ଏହି ସାହିର ମୁଖ୍ୟ ରାସ୍ତାରେ କିଛି ଆଇଏଏସ୍ ଅଫିସର ଜାଗା ଲିଜ୍ ନେଇ ରହୁଥିଲେ। ରାମେଶ୍ବର ବାରିକ ସାହି ମାଉସୀମା’ ମନ୍ଦିର ପର୍ଯ୍ୟନ୍ତ ଏହି ଅଧିକାରୀମାନେ ରହୁଥିଲେ। ଏହି ଅଞ୍ଚଳରେ ସେ ସମୟର ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକ ରହୁଥିଲେ। ଏଠାରେ ଡ୍ଲୁପ୍ଲେକ୍ସ ଓ କଲୋନିରେ ରହୁଥିବା ଲୋକଙ୍କ ସହ ସାହି ଲୋକ ମିଶିକରି ଚଳନ୍ତି।
ଗଦାଧର ଦାସ, ସମାଜସେବୀ