ପୁରୁଣା ଭୁବନେଶ୍ବର: ପ୍ରସିଦ୍ଧ ଶୈବ ପୀଠ ଏକାମ୍ର କ୍ଷେତ୍ରର ଅନ୍ୟତମ ପ୍ରାଚୀନ ପୂଜାସ୍ଥଳ ରାମେଶ୍ବର ମନ୍ଦିର ନୂଆ ରୂପରେ ସଜେଇ ହେଉଛି। ରାଜସ୍ଥାନରୁ ଆସିଥିବା ସ୍ବତନ୍ତ୍ର ବାଲୁକା ପଥର(ସ୍ୟାଣ୍ଡ ଷ୍ଟୋନ୍)ରେ ମନ୍ଦିରର ସୌନ୍ଦର୍ଯ୍ୟୀକରଣ କରାଯାଉଛି। ମନ୍ଦିର ପ୍ରବେଶ ପଥର ପାହାଚ, ଗର୍ଭଗୃହ, ଚଟାଣ ଓ ପୁଷ୍କରିଣୀରେ ବି ଲାଗିବ ରାଜସ୍ଥାନ ପଥର। ମନ୍ଦିର ସହିତ ପରିସରରେ ଥିବା ବାମ୍ଫି, ପୁଷ୍କରିଣୀ ଓ ପାର୍କ ଆଦିକୁ ନୂଆ ରୂପ ଦେବାକୁ କାମ ଜାରି ରହିଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ଏହି ସୌନ୍ଦର୍ଯ୍ୟୀକରଣ କାମ କରାଉଛି ଏବଂ ଏଥିପାଇଁ ୪୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।
ସୂଚନାଯୋଗ୍ୟ ଯେ ବହୁ ଦିନ ହେଲା ଏହି ମନ୍ଦିରର ଅବସ୍ଥା ଖରାପ ହୋଇଯାଇଥିଲା। ବର୍ଷା ହେଲେ ମନ୍ଦିରରୁ ପାଣି ଗଳୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ଗ୍ରାଉଟିଙ୍ଗ୍ କରାଯିବ। ପାଣି ଗଳୁଥିବା ସ୍ଥାନରେ ଛୋଟ ଛୋଟ କଣା କରାଯାଇ ସେଥିରେ ପଲିମର ଗ୍ରାଉଟିଙ୍ଗ୍ ମସଲା ଦେଇ ପ୍ୟାକ୍ କରାଯିବ। ତା’ପରେ ଏହାର ଉପରେ ପଏଣ୍ଟିଙ୍ଗ୍ କରାଯିବ। ମନ୍ଦିରର ପ୍ରବେଶ ପଥ, ଗର୍ଭଗୃହ, ଚଟାଣ ସବୁ ଖଣ୍ଡିଆଖାବରା ହୋଇଯାଇଛି। ଏଠାରୁ ଭଙ୍ଗା ପଥରକୁ ବାହାର କରାଯାଇ ନୂତନ ପଥରରେ କାମ ଆରମ୍ଭ ହୋଇଛି। ରାଜସ୍ଥାନରୁ ଆସିଥିବା ସ୍ୟାଣ୍ଡ୍ ଷ୍ଟୋନ୍ ଲଗାଇ ଏହାକୁ ସୌନ୍ଦର୍ଯ୍ୟୀକରଣ କରାଯାଉଛି। ସେହିଭଳି ମନ୍ଦିର ପରିସରରେ ଥିବା ବାମ୍ପିଂର ପୁନରୁଦ୍ଧାର କାମ ମଧ୍ୟ ଚାଲିଛି। ଏହାର ଚାରିକଡ଼ରେ ବାଲୁକା ପଥର ଲଗାଯାଉଛି। ଏଥିସହିତ ମନ୍ଦିର ପରିସରସ୍ଥ ପୁଷ୍କରିଣୀର ପାହାଚକୁ ମଧ୍ୟ ନୂତନ ରୂପ ଦିଆଯାଉଛି। ଚାରିପଟେ ୧୫ଟି ସୋଲାର ଲାଇଟ୍ ଲଗାଯିବ। ଏହା ନିକଟରେ ଥିବା ପିଇବା ପାଣି ବ୍ୟବସ୍ଥା ଠିକ ନଥିବାରୁ ପୁରୁଣା ମେସିନ୍କୁ ମରାମତି କରାଯିବ।
ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ରରେ ଐତିହ୍ୟର ମୂକସାକ୍ଷୀ ହେଉଛି ରାମେଶ୍ବର ମନ୍ଦିର। ଏହା ଲିଙ୍ଗରାଜ ମନ୍ଦିରଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ। ୧୨ ଶହ ଶତାବ୍ଦୀରେ ସୋମବଂଶୀ ଶାସନ ସମୟରେ ଏହି ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦ୍ବାରା ପ୍ରତିଷ୍ଠିତ ଶିବଲିଙ୍ଗ ପୂଜା ପାଇଆସୁଛି। ମନ୍ଦିରର ପଶ୍ଚିମ ଦିଗରେ ଥିବା ପୋଖରୀକୁ ଅଶୋକ କୁଣ୍ଡ କୁହାଯାଏ। ଏହି କୁଣ୍ଡଟି ଅଷ୍ଟମ ତୀର୍ଥ ରୂପେ ଖ୍ୟାତି ଲାଭ କରିଛି। ଗତ କିଛି ବର୍ଷ ହେଲା ରକ୍ଷଣାବେକ୍ଷଣ ଅଭାବରୁ ଏହି ମନ୍ଦିର ଓ ପୋଖରୀର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥିଲା। ଏବେ ଏଏସ୍ଆଇ ଏହାର ପୁନରୁଦ୍ଧାର କାମ ଆରମ୍ଭ କରିଥିବାରୁ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକମାନଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି।