ଆରମ୍ଭ ହେଲା ପବିତ୍ର ରମଜାନ୍‌

ଭୁବନେଶ୍ୱର: ଆଜିଠାରୁ ପବିତ୍ର ‘ରମଜାନ୍‌ ମାସ’ ଆରମ୍ଭ ହୋଇଛି। ଗତକାଲି ସଂଧ୍ୟା ସାଢ଼େ ୫ଟାରୁ ୬ଟା ମଧ୍ୟରେ ଚନ୍ଦ୍ରଦର୍ଶନ ପରେ ଏହି ପବିତ୍ର ମାସର ଆରମ୍ଭ ହୋଇଛି। ଏହା ଆସନ୍ତା ୨୯ରୁ ୩୦ ଦିନ ଧରି ଚାଲୁ ରହିବ। ଏହି ସମୟ ମଧ୍ୟରେ ମୁସଲମାନ ଭାଇମାନେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଉପବାସ ରହି କଠୋର ବ୍ରତ ପାଳନ କରିବେ। ସମସ୍ତ ସୁସ୍ଥ ଓ ପ୍ରାପ୍ତବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଏହି ବ୍ରତକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଶିଶୁ, ଅସୁସ୍ଥ ବ୍ୟକ୍ତି, ବୃଦ୍ଧ, ଗର୍ଭବତୀ ମହିଳା ଓ ରଜସ୍ୱାଳା ମହିଳାଙ୍କୁ ଏଥିରୁ ବାଦ୍‌ ଦିଆଯାଇଥାଏ ବୋଲି ୟୁନିଟ୍‌-୩ ଜାମା ମସ୍‌ଜିଦ୍‌ର ସଭାପତି ହାଜି ମହମ୍ମଦ ଶାହନୱାଜ କହିଛନ୍ତି।

ଆଜି ରମଜାନ୍‌ ମାସର ପ୍ରଥମ ଦିନ ଥିଲା। ଭୋର୍‌ ୪ଟା ୩୧ମିନିଟ୍‌ ଭିତରେ ସୂର୍ଯ୍ୟ ଉଇଁବା ପୂର୍ବରୁ ‘ସେହ୍‌ରି’ ଖାଇ ରୋଜା ରଖାଯାଇଥିଲା। ଭୋରୁ ଭୋରୁ ଉଠି ଶ୍ରଦ୍ଧାଳୁମାନେ ନିଜ ନିତ୍ୟକର୍ମ ସାରି କିଛି ହାଲ୍‌କା ଖାଦ୍ୟ ଖାଇ ଏହି କଠୋର ବ୍ରତ ଆରମ୍ଭ କରିଦେଇଥିଲେ। ଏଥିରେ ପାଣି, ସର୍ବତ ଏପରିକି ଛେପ ନ ପକାଇବା ଭଳି କଠୋର୍‌ ନିୟମ ରହିଛି। ଦିନସାରା ଉପବାସ ରହିବା ପରେ ସନ୍ଧ୍ୟା ୬ଟା ୨ମିନିଟ୍‌ରେ ସୂର୍ଯ୍ୟାସ୍ତ ପ‌ରେ ‘ଇଫ୍‌ତାର’ ଖାଇ ରୋଜା ଖୋଲିଥିଲେ। ଏହି ଇଫ୍‌ତାର୍‌ରେ ସମସ୍ତେ ଏକାଠି ମିଶି ବିଭିନ୍ନ ପ୍ରକାର ଫଳ ଯଥା, ଖଜୁରା, ସେଓ, ଅଙ୍ଗୁର ଓ ମିଠା ସରବତ ପିଇ ଶ୍ରଦ୍ଧାଳୁମାନେ ରୋଜା ଖୋଲିଥିଲେ।

ଅନ୍ୟ ଦିନମାନଙ୍କ ଭଳି ରମ୍‌ଜାନ୍‌ ମାସରେ ମଧ୍ୟ ଦିନକୁ ୫ଥର ନମାଜ ପଢ଼ାଯାଇଥାଏ। ଏହାସହ ‘ତରାବି ନମାଜ’ ନାମକ ଆଉ ଏକ ନମାଜ ମଧ୍ୟ ପାଠ କରାଯାଇଥାଏ। ଏହି ମାସ ହେଉଛି ଦାନଧର୍ମର ମାସ। ବିଶ୍ବାସ ରହିଛି, ଏହି ମାସରେ ବ୍ୟକ୍ତି ଯାହା ଦାନଧର୍ମ କରନ୍ତି, ତାହାର ୭୦ ଗୁଣା ଫେରିପାଆନ୍ତି। ଏଣୁ ଏହି ମାସରେ ଦୁଃଖୀରଙ୍କିର ସେବା ଓ ଦାନଧର୍ମ କରାଯାଏ ବୋଲି ମହମ୍ମଦ ଶାହନୱାଜ କହିଛନ୍ତି। ଦୀର୍ଘ ୩୦ଦିନ ଧରି ଏହି ବ୍ରତ ଚାଲିବା ପରେ ‘ଇଦ୍‌’ ଦିନ ଏହାର ଅବସାନ ହୋଇଥାଏ।

ସମ୍ବନ୍ଧିତ ଖବର