ରାମ୍‌କିର ନୋଟିସ୍‌, ଅଡ଼ୁଆରେ ବିଏମ୍‌ସି

ଭୁବନେଶ୍ବର: ବିଏମ୍‌ସିରେ ନିର୍ମାଣ ସୌଧ ସ୍ଥିତି ପୁନରାବୃତ୍ତି ହେବାକୁ ଯାଉଛି। ଦିନ ଆସିବ, ୱାର୍ଡ ସଫେଇ ଦାୟିତ୍ବ ନେଇଥିବା ରାମ୍‌କି ସଂସ୍ଥା ବିଏମ୍‌ସିର ସମ୍ପତ୍ତି ଜବତ କରିବ। ଅଫିସ୍‌ରେ ତାଲା ପଡ଼ିବ। ଅଫିସର ବି ବନ୍ଧା ହେବେ। ବିଏମ୍‌ସିରେ ବାକି ପଡ଼ିଥିବା ୫୬ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅସୁଲ କରିବାକୁ ରାମ୍‌କି କୋର୍ଟ ନୋଟିସ୍‌ ପଠାଇଛି। କୋର୍ଟ ନୋଟିସ୍‌ ପାଇବା ପରେ ବିଏମ୍‌ସିରେ ମାନସ ମନ୍ଥନ ଆରମ୍ଭ ହୋଇଛି। ଅର୍ଥ ପ୍ରଦାନରେ ବିଳମ୍ବ କଲେ କିମ୍ବା କୋର୍ଟ ପରେ କୋର୍ଟ ଦଉଡ଼ିଲେ ବିଏମ୍‌ସିରେ ନିର୍ମାଣ ସୌଧ ଘଟଣାର ପୁନରାବୃତ୍ତି ହେବାର ଆଶଙ୍କା ଦେଖାଦେଇଛି।
୨୦୧୩ ମସିହାରେ ହାଇଦ୍ରାବାଦର ‘ରାମ୍‌କି ଏନ୍‌ଭାଇରୋ ଇଞ୍ଜିନିୟର୍ସ ଲିମିଟେଡ୍‌’ ବିଏମ୍‌ସି ସହ ଆବର୍ଜନା ସଫେଇ, ସଂଗ୍ରହ ଓ ପରିବହନ ପାଇଁ ଚୁକ୍ତି କରିଥିଲା। ପ୍ରଥମେ ୧୨ଟି ଓ ପରେ ଆଉ ୩ଟି ଅତିରିକ୍ତ ୱାର୍ଡ ସଫେଇ କରିବାକୁ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା‌। ୭ ବର୍ଷ ପାଇଁ ହୋଇଥିବା ଚୁକ୍ତିନାମାରେ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ବଢ଼ିବାକୁ ସ୍ଥିର ହୋଇଥିଲା। ହେଲେ ବିଏମ୍‌ସି ଏହି ବର୍ଦ୍ଧିତ ଅର୍ଥ ସଂସ୍ଥାକୁ ପ୍ରଦାନ କରିନଥିଲା।

କିନ୍ତୁ ଚୁକ୍ତି ମୁତାବକ ରାମ୍‌କି କାମ କରି ଚାଲିଥିଲା। ତେବେ ବିଭିନ୍ନ ସମୟରେ ବକେୟା ଅର୍ଥ ପ୍ରଦାନ କରିବାକୁ ରାମ୍‌କି ବିଏମ୍‌ସିକୁ ଚିଠି ଲେଖିଥିଲା। ଏଥିପାଇଁ ଉଭୟଙ୍କ ମଧ୍ୟରେ ଏକାଧିକବାର ଆଲୋଚନା ହୋଇଥିଲା। କିନ୍ତୁ କୌଣସି ଆଲୋଚନାରୁ ସୁଫଳ ମିଳିନଥିଲା। ଏଥିରୁ ବାହାରିଥିବା ନିଷ୍କର୍ସ କେବଳ କାଗଜପତ୍ରରେ ରହିଥିଲା। ବିଏମ୍‌ସି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରେ ଶେଷ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଟଣାଓଟରା ଚାଲିଲା। ରାମ୍‌କିର ହିସାବ ମୁତାବକ, ସୁଧ ସହ ବିଏମ୍‌ସିରୁ ୫୬କୋଟି ୧୭ ଲକ୍ଷ ୯୫ ହଜାର ୮୧୬ ଟଙ୍କା ପାଇବାକୁ ଥିଲା। ଟେଣ୍ଡର ଚୁକ୍ତି ମୁତାବକ ଏହି ହିସାବ କରାଯାଇଥବାରୁ ଏହାକୁ ଫାଙ୍କିବାକୁ ବିଏମ୍‌ସି ପାଖରେ କୌଣସି ବାଟ ନଥିଲା‌। ତଥାପି ଚୁକ୍ତି ମୁତାବକ ଅନେକ ସମୟରେ କାମ ହୋଇନଥିବା ଦର୍ଶାଇ କିଛି ଟଙ୍କା ବିଏମ୍‌ସି କାଟି ଦେଇଥିଲା।

କିନ୍ତୁ ବକେୟା ରାଶି ୫୬ କୋଟିରୁ କମିନଥିଲା। ଫଳରେ ବିଏମ୍‌ସିର ଅକଲ ଗୁଡ଼ୁମ୍‌ ହୋଇଥିଲା। ଏତେ ଗୁଡ଼ାଏ ଟଙ୍କା ଦେବାପାଇଁ ବିଏମ୍‌ସି ସକ୍ଷମ ମଧ୍ୟ ନଥିଲା। ପୂର୍ବରୁ ଥିବା କମିସନରଙ୍କ ସମୟରେ ଚୁକ୍ତିନାମା ହୋଇଥିବାରୁ ନୂଆ ଦାୟିତ୍ବ ନେଉଥିବା ଅଧିକାରୀମାନେ ମଧ୍ୟ ଏହି ପ୍ରସଙ୍ଗରେ ବିଶେଷ ମୁଣ୍ଡ ଖେଳାଇନଥିଲେ। ଫଳରେ ପ୍ରସଙ୍ଗ ଅଣାୟତ୍ତ ହୋଇଯାଇଥିଲା‌। ଅନ୍ୟପଟେ ମୋଟା ଅଙ୍କର ଦେୟ ନ ପାଇ ରାମ୍‌କି ହତାଶ ହୋଇଥିଲା। ଶେଷ‌ରେ ଗତ ମେ’ ମାସରେ ସଂସ୍ଥା ଭୁବନେଶ୍ବର କମର୍ସିଆଲ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇ ଚୁକ୍ତିନାମାର କ୍ଲଜ୍‌ ୩.୩୦(ଖ) ବଳରେ ସୁଟ୍‌ ଫାଇଲ କରିଥିଲା। ବାକି ଥିବା ୫୬କୋଟି ୧୭ ଲକ୍ଷ ୯୫ ହଜାର ୮୧୬ ଟଙ୍କା ବିଏମ୍‌ସିରୁ ଆଦାୟ କରିବା ପାଇଁ ପ୍ରାର୍ଥନା କରିଥିଲା। ଏହି ଆଧାରରେ ଗତ ମେ ମାସ ୨୦ ତାରିଖରେ ବିଏମ୍‌ସିକୁ ନୋଟିସ୍‌ ହୋଇଛି। ବିଏମ୍‌ସି କୋର୍ଟରେ ଉତ୍ତର ରଖିବାକୁ ପ୍ରସ୍ତୁତ ହେଉଛି।

ବିଏମ୍‌ସିରେ ତିନିଟି ସଂସ୍ଥା ଆବର୍ଜନା ସଂଗ୍ରହ, ସଫେଇ ଓ ପରିବହନ ଦାୟିତ୍ବ ନେଇଛନ୍ତି। ଏହି ଗୋଟିଏ ସଂସ୍ଥା(ରାମ୍‌କି)କୁ ଛାଡ଼ିଦେଲେ ଅନ୍ୟ ଦୁଇଟି ସଂସ୍ଥାଙ୍କୁ ମଧ୍ୟ ବିଏମ୍‌ସି ପ୍ରତିବର୍ଷ ବଢ଼ୁଥିବା ଅର୍ଥ ପ୍ରଦାନ କରିନାହିଁ। ଅନ୍ୟ ଦୁଇ ସଂସ୍ଥା ପାଇବାକୁ ଥିବା ଅର୍ଥକୁ ହିସାବକୁ ନେଲେ ବିଏମ୍‌ସି ପାଖାପାଖି ଶହେ କୋଟି ଟଙ୍କା ଦେବାକୁ ରହିଛି। ଯଦିଓ ଅନ୍ୟ ଦୁଇ ସଂସ୍ଥା କୋର୍ଟ ଯାଇନାହାନ୍ତି, ରାମ୍‌କି ମାମଲାର ରାୟ ଆଧାରରେ ଅନ୍ୟମାନଙ୍କୁ ମଧ୍ୟ ଏହି ଅର୍ଥ ପ୍ରଦାନ କରିବାକୁ ପଡ଼ିପାରେ ବୋଲି ବିଏମ୍‌ସି ଆକଳନ କରୁଛି।

ସରକାର ବିଭିନ୍ନ ସମୟରେ ସଫେଇ କର୍ମଚାରୀଙ୍କ ପାରିଶ୍ରମିକ ବଢ଼ାଉଥିବାରୁ ବିଏମ୍‌ସି ଚୁକ୍ତି ଅନୁଯାୟୀ ଠିକା ସଂସ୍ଥାଙ୍କୁ ବର୍ଦ୍ଧିତ ପ୍ରାପ୍ୟ ଦେବା କଥା। ବିଭିନ୍ନ ସ‌ମୟରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ କଲା ବେଳେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଠିକା ସଂସ୍ଥାମାନେ ଏହି ପ୍ରସଙ୍ଗ ଉଠାଇଛନ୍ତି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ବର ସହ ନେଇନାହାନ୍ତି। ଫଳରେ ଏବେ ବକେୟା ପରିମାଣ ଅହେତୁକ ଭା‌ବେ ବଢ଼ିଯାଇଛି। ଯଦି ଠିକା ସଂସ୍ଥାଗୁଡ଼ିକ ସୁଧ, ମୂଳ ହିସାବ କରନ୍ତି, ତେବେ ତାହା ଆହୁରି ବଢ଼ିଯିବ। ବିଭିନ୍ନ ସମୟରେ ଦାୟିତ୍ବରେ ଥିବା ଅଧିକାରୀମାନେ କାହିଁକି ନିଜ ଚୁକ୍ତିକୁ ଖିଲାପ କରି ପୂରା ବିଏମ୍‌ସିକୁ ଅଡ଼ୁଆରେ ପକାଉଛନ୍ତି, ତାହା ବୁଝାପଡ଼ୁନି।

ଏଠାରେ ସୂଚାଇ ଦିଆଯାଇ ପାରେ, ଠିକ୍‌ ଅନୁରୂପ ଘଟଣା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗରେ ଘଟିଥିଲା। ସମ୍ବଲପୁରରୁ ରାଉରକେଲା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିଥିବା ସଂସ୍ଥା ଏଲ୍‌ ଆଣ୍ଡ ଟିକୁ ସରକାର ଚୁକ୍ତି ମୁତାବକ ଟଙ୍କା ନ ଦେବାରୁ ସଂସ୍ଥା କୋର୍ଟ ଯାଇଥିଲା। କୋର୍ଟରେ ସରକାର ହାରିବା ପରେ ପୂର୍ତ୍ତ ବିଭାଗରୁ ଏହି ଅର୍ଥ ଅସୁଲ କରିବାକୁ ଆଦେଶ ହୋଇଥିଲା। ଅର୍ଥ ପ୍ରଦାନ ନ କରିବାରୁ ନିର୍ମାଣ ସୌଧରେ ଥିବା କାର୍ଯ୍ୟାଳୟରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଜବତ କରାଯାଇଥିଲା‌। ଏହା ପରେ ଦାୟିତ୍ବରେ ଥିବା ସରକାରୀ ଅଧିକାରୀଙ୍କୁ ଗିରଫ କରିବା ସମ୍ଭାବନା ମଧ୍ୟ ରହିଛି। ଏବେ ବିଏମ୍‌ସିରେ ଅନୁରୂପ ଅବସ୍ଥା ହେବାକୁ ଯାଉଛି। ଅଧିକାରୀମାନଙ୍କର ଦୂରଦୃଷ୍ଟିର ଅଭାବ ଓ ପରିଚାଳନାଗତ ତ୍ରୁଟି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର