ଭୁବନେଶ୍ବର: ବିଏମ୍ସିରେ ସଫେଇ ଦାୟିତ୍ବ ନେଇଥିବା ‘ରାମ୍କି’ର ବାକି ପଡ଼ିଥିବା ୫୬ କୋଟିରୁ ଅଧିକ ଟଙ୍କା ଅସୁଲ କରିବାକୁ ସଂସ୍ଥା କୋର୍ଟ ନୋଟିସ୍ ପଠାଇଛି। ଏହାକୁ ପାଇବା ପରେ ବିଏମ୍ସିର ନିଦ ହଜିଛି। ସଂସ୍ଥାର ଭୁଲ୍ ଦର୍ଶାଇ ଏହି ମୋଟା ଅଙ୍କର ଟଙ୍କା ନ ଦେବାକୁ ଯୋଜନା କରିଥିବା ବିଏମ୍ସି ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। ନୋଟିସ୍ ପାଇବା ପରେ ପରେ ବିଏମ୍ସି କୋର୍ଟରୁ ମାସେ ସମୟ ମାଗିଥିଲା। ଗତ ୧୨ ତାରିଖ ଦିନ ଏହି ସମୟ ପୂରିଯିବା ପରେ ବିଏମ୍ସି ପୁଣି ଥରେ ୧୫ ଦିନ ସମୟ ମାଗିଛି। ଅର୍ଥାତ୍ ଚଳିତ ମାସ ୨୭ ତାରିଖ ସୁଦ୍ଧା ଆପୋଷ ବୁଝାମଣା ହେଉ ବା ବକେୟା ପ୍ରଦାନ କରି ହେଉ ଘଟଣାର ସମାଧାନ କରିବ। ନ ହେଲେ ନିର୍ମାଣ ସୌଧରେ ଠିକା ସଂସ୍ଥା ତାଲା ପକାଇ ସମ୍ପତ୍ତି ଜବତ କଲା ଭଳି ପରିସ୍ଥିତି ମଧ୍ୟ ବିଏମ୍ସିରେ ସୃଷ୍ଟି ହେବା ଥୟ ହୋଇଛି।
୨୦୧୩ ମସିହା ନଭେମ୍ବର ୬ ତାରିଖରେ ‘ରାମ୍କି ଏନ୍ଭାଇରୋ ଇଞ୍ଜିନିୟର୍ସ ଲିମିଟେଡ୍’ ବିଏମ୍ସି ସହ ଆବର୍ଜନା ସଫେଇ, ସଂଗ୍ରହ ଓ ପରିବହନ ପାଇଁ ଚୁକ୍ତି କରିଥିଲା। ଚୁକ୍ତି ଥିଲା କି ଦିନକୁ ଦିନ ମଜୁରି, ତେଲ ଦର ଓ ପରିଚାଳନା ଖର୍ଚ୍ଚ ବଢ଼ୁଥିବାରୁ ଟେଣ୍ଡର ଦର ଠାରୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ବିଏମ୍ସି ପ୍ରତିବର୍ଷ ପ୍ରଦାନ କରିବ। ୭ ବର୍ଷ ପାଇଁ ଏଭଳି ଚୁକ୍ତି ହୋଇଥିଲା। ହେଲେ ୭ ବର୍ଷ ଧରି ବିଏମ୍ସି ଏହି ଅର୍ଥ ଦେଲା ନାହିଁ। ବରଂ ଟେଣ୍ଡର ଅବଧି ଆଉ ଦୁଇବର୍ଷ ବଢ଼ାଇଲା। ଫଳରେ ୯ ବର୍ଷରେ ଏହି ଏହି ବକେୟା ଅର୍ଥ ୫୬କୋଟି ୧୭ ଲକ୍ଷ ୯୫ ହଜାର ୮୧୬ ଟଙ୍କାରେ ପହଞ୍ଚିଲା। ବିଭିନ୍ନ ସମୟରେ ଆପୋଷ ସମାଧାନ ପାଇଁ ଆଲୋଚନା ହୋଲା। କିନ୍ତୁ ବିଏମ୍ସି ଟଙ୍କା ଦେଲା ନାହିଁ। ଶେଷରେ ରାମ୍କି କୋର୍ଟର ଦ୍ବାରସ୍ଥ ହୋଇଛି। ଟଙ୍କା ପ୍ରଦାନ କରିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ବିଏମ୍ସି ଟଙ୍କା ନ ଦେଇ ସମୟ ଗଡ଼ାଇ ଚାଲିଛି। ତେବେ କେବଳ ଏହି ସଂସ୍ଥା ନୁହେଁ, ବରଂ ସଫେଇ ଦାୟିତ୍ବ ନେଇଥିବା ଆଉ ଦୁଇଟି ସଂସ୍ଥାଙ୍କ ବକେୟା ଅର୍ଥ ମଧ୍ୟ ବିଏମ୍ସି ଦେଇ ନାହିଁ। ତିନିଟି ସଂସ୍ଥାର ବକେୟା ଅର୍ଥ ହିସାବକୁ ନେଲେ ପାଖାପାଖି ଶହେ କୋଟି ଟଙ୍କା ଦେବାକୁ ରହିଛି।
ଉଲ୍ଲେଖଯୋଗ୍ୟ, ଚଳିତ ମାସ ୧୬ରୁ ରାମ୍କିର ସଫେଇ ଚୁକ୍ତି ଅବଧି ଶେଷ ହେଉଥିଲା। କିନ୍ତୁ ତିନିଟି ପ୍ୟାକେଜ୍ରେ ସଫେଇ ଟେଣ୍ଡରକୁ ନେଇ ମାମଲା କୋର୍ଟକୁ ଯିବାରୁ ବିଏମ୍ସି ରାମ୍କିର ଅବଧି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି।