ବକେୟା ପାଉଣା ପାଇଁ ରାମ୍‌କିର ନୋଟିସ୍‌, ବାବୁଙ୍କ ଅହଙ୍କାର ପାଇଁ ଭୋଗିବ ବିଏମ୍‌ସି

ଭୁବନେଶ୍ବର: ବିଏମ୍‌ସିରେ ସଫେଇ ଦାୟିତ୍ବ ନେଇଥିବା ରାମ୍‌କି ସଂସ୍ଥାର ୫୬ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବାକି ପଡ଼ିଛି। ଏହି ମୋଟା ଅଙ୍କର ଟଙ୍କା ଅସୁଲ କରିବାକୁ ରାମ୍‌କି କୋର୍ଟ ନୋଟିସ୍‌ ପଠାଇଛି। ୨୦୧୩ ମସିହାରୁ ବିଏମ୍‌ସି ଟଙ୍କା ନ ଦେବାରୁ ଏହା ବଢ଼ି ବଢ଼ି ୫୦ କୋଟି ଡେଇଁଛି। ଚୁକ୍ତି କରିଥିବା କମିସନର ପ୍ରଥମ ବର୍ଷରୁ ହିଁ ଏହି ବର୍ଦ୍ଧିତ ଅର୍ଥ ଦେଇନଥିଲେ। ‘ଏଣୁ ସେ କରିନାହାନ୍ତି, ଆମେ କାଇଁ କରିବୁ’ ଭାବି ପରବର୍ତ୍ତୀ ଅଧିକାରୀମାନେ ନିଜ ଅହଙ୍କାରରେ ରହିଛନ୍ତି। ଏଣୁ ବାବୁମାନଙ୍କର ତୁଚ୍ଛା ଅହଙ୍କାର ପାଇଁ ବିଏମ୍‌ସି ଏବେ ଦଣ୍ଡ ଭୋଗିବାକୁ ଯାଉଛି। କେବଳ ରାମ୍‌କି ନୁହେଁ, ଆଉ ଦୁଇଟି ସଂସ୍ଥାକୁ ମଧ୍ୟ ବିଏମ୍‌ସି ବର୍ଦ୍ଧିତ ହାରରେ ବକେୟା ଦେବ।

୨୦୧୩ ମସିହା ନଭେମ୍ବର ୬ ତାରିଖରେ ‘ରାମ୍‌କି ଏନ୍‌ଭାଇରୋ ଇଞ୍ଜିନିୟର୍ସ ଲିମିଟେଡ୍‌’ ବିଏମ୍‌ସି ସହ ଆବର୍ଜନା ସଫେଇ, ସଂଗ୍ରହ ଓ ପରିବହନ ପାଇଁ ଚୁକ୍ତି କରିଥିଲା। ଦିନକୁ ଦିନ ମଜୁରି, ପରିବହନ ଖର୍ଚ୍ଚ ପ୍ରଭୃତି ବଢ଼ୁଥିବାରୁ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ବଢ଼ିବାକୁ ୭ ବର୍ଷ ପାଇଁ ହୋଇଥିବା ଚୁକ୍ତିନାମାରେ ସର୍ତ୍ତ ରହିଥିଲା। ସେତେବେଳେ କମିସନର ଥିଲେ ସଞ୍ଜୀବ କୁମାର ମିଶ୍ର। ୨୦୧୪ ମସିହା ଫେବ୍ରୁଆରି ୨୪ ତାରିଖରେ ତାଙ୍କର ବଦଳି ହେଲା। ହେଲେ ସେତେବେଳକୁ ବର୍ଷେ ପୂରିନଥିଲା। ଏଣୁ ବର୍ଦ୍ଧିତ ଅର୍ଥ ବାବଦରେ ଆଲୋଚନା ହୋଇନଥିଲା। ଏହା ପରେ କମିସନର ଭାବେ ଯୋଗଦେଲେ କ୍ରିଷନ କୁମାର। ୨୦୧୮ ମସିହା ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ସେ ଦାୟିତ୍ବରେ ରହିଲେ। ୪ ବର୍ଷ କାଳ ସେ ସଂସ୍ଥାକୁ ଟେଣ୍ଡର ଚୁକ୍ତି ମୁତାବକ ଟଙ୍କାଟିଏ ଦେଲେ ନାହିଁ। ବରଂ ବିଭିନ୍ନ ବାହାନା କରି ବା ସଂସ୍ଥା ଚୁକ୍ତି ମୁତାବକ କାମ କରିନଥିବା ଦର୍ଶାଇ ଟଙ୍କା କାଟି ଦେଲେ।

ଏହା ପରେ ଦାୟିତ୍ବ ନେଲେ ଶୁଭମ୍‌ ସକ୍‌ସେନା। ସେ ମାତ୍ର ୩୭ ଦିନ(୨୬/୧୨/୧୮ରୁ ୧୨/୦୨/୧୯) ଦାୟିତ୍ବରେ ରହିବାରୁ ଏଥିରେ ମୁଣ୍ଡ ଖେଳାଇଲେ ନାହିଁ। ତାଙ୍କ ପରେ ସମର୍ଥ ବର୍ମା କମିସନର ଭାବେ ଯୋଗଦେଲେ। ସେ ମଧ୍ୟ ୪ ମାସ(ଫେବ୍ରୁଆରିରୁ ଜୁନ୍‌) ରହିଲେ। ଏଣୁ ଏ ବାବଦରେ ଆଲୋଚନା ମଧ୍ୟ କଲେ ନାହିଁ। ଏହା ପରେ ପ୍ରେମଚନ୍ଦ୍ର ଚୌଧରୀ ଦାୟିତ୍ବ ନେଲେ। ତାଙ୍କର ୨୦୨୧ ମସିହା ମେ ୧୨ ତାରିଖରେ ବଦଳି ହେଲା। ତାଙ୍କର ପ୍ରାୟ ୨ ବର୍ଷର ଅବଧି ମଧ୍ୟରେ ସେ ୪ ଥର ଆପୋଷ ସମାଧାନ ପାଇଁ ଉଦ୍ୟମ କଲେ। କିନ୍ତୁ ତାହା ସଫଳ ହେଲା ନାହିଁ। ଏହା ପରେ ଦାୟିତ୍ବ ନେଲେ ସଞ୍ଜୟ ସିଂହ। ୨୦୨୧ ମେ ମାସରୁ ଚଳିତ ଜୁନ୍‌ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷାଧିକ କାଳ ସେ ଏଥିପ୍ରତି ନଜର ଦେଲେ ନାହିଁ। ବରଂ ସଂସ୍ଥା ଚୁକ୍ତି ମୁତାବକ କାମ କରୁନି କହି ମୂଳ ଟେଣ୍ଡର ଅର୍ଥରୁ କିଛି ପ୍ରତିଶତ ପ୍ରତି ମାସରେ କାଟିଲେ। ଫଳରେ ସ୍ଥିତି ବିଗିଡ଼ିଗଲା। ଆଉ ବୁଝାମଣା ହେଲା ନାହିଁ।

କମିସନର ଶ୍ରୀ ସିଂହଙ୍କ ସମୟରେ ଶେଷ ଥର ପାଇଁ ମାର୍ଚ୍ଚ ୨୩ ତାରିଖରେ ବୁଝାମଣା ବୈଠକ ବସିଥିଲା। ହେଲେ ସମାଧାନ ପରିବର୍ତ୍ତେ ପ୍ରସଙ୍ଗ ଜଟିଳ ହୋଇଗଲା। ଏବଂ ମାମଲା କୋର୍ଟକୁ ଗଲା। କୋର୍ଟ ଯିବା ପରେ ‘ନେଡ଼ି ଗୁଡ଼ କହୁଣୀକୁ ବୋହି ଯିବା’ ଭଳି ପରିସ୍ଥିତି ହେଲା। ଯେଉଁ ସବୁ ଆଲୋଚନା ବା ଆପୋଷ ବୁଝାମଣା ଉଦ୍ୟମ ହୋଇଥିଲା ସେଥିରେ କମିସନରମାନେ ପ୍ରଶ୍ନ କରୁଥିଲେ କି ପୂର୍ବ କମିସନରଙ୍କ କାଳରେ କାହିଁକି ଏହାକୁ କ୍ଲିୟର କଲେ ନାହିଁ? ଏବେ ଏତେଗୁଡ଼ାଏ ଟଙ୍କା ଆସିବ କେଉଁଠୁ? ପୂର୍ବ ଅଧିକାରୀଙ୍କ ଆଡ଼କୁ କଥା ଠେଲି ଦେଇ ନୂଆ ଅଧିକାରୀ ଖସି ଯିବାକୁ ଚାହୁଥିଲେ ବୋଲି ଏଥିରୁ ସ୍ପଷ୍ଟ ହୋଇଥିଲା।
ଏବେ ସଂସ୍ଥା ମଧ୍ୟ ଆପୋଷ ବୁଝାମଣା ଅବସ୍ଥାରେ ନାହିଁ। ଯେ କୌଣସି ପରିସ୍ଥିତିରେ ସେ ଏହି ଅର୍ଥ ବିଏମ୍‌ସିରୁ ଆଦାୟ କରିବାକୁ ଯୋଜନା କରିଛି। ଏବେ ଏହି ବକେୟା ଅର୍ଥ ୫୬କୋଟି ୧୭ ଲକ୍ଷ ୯୫ ହଜାର ୮୧୬ ଟଙ୍କାରେ ପହଞ୍ଚିଛି। ରାମ୍‌କି ଛଡ଼ା ବିଏମ୍‌ସିରେ ଆଉ ଦୁଇଟି ସଂସ୍ଥା ଆବର୍ଜନା ସଂଗ୍ରହ, ସଫେଇ ଓ ପରିବହନ ଦାୟିତ୍ବ ନେଇଛନ୍ତି। ଅନ୍ୟ ଦୁଇଟି ସଂସ୍ଥାଙ୍କ ବକେୟା ଅର୍ଥ ହିସାବକୁ ନେଲେ ବିଏମ୍‌ସି ପାଖାପାଖି ଶହେ କୋଟି ଟଙ୍କା ଦେବାକୁ ରହିଛି। ଏଣୁ ବିଏମ୍‌ସିରେ ମଧ୍ୟ ନିର୍ମାଣ ସୌଧ ଘଟଣାର ପୁନରାବୃତ୍ତି ହେବାକୁ ଯାଉଛି।

ସମ୍ବନ୍ଧିତ ଖବର