ଧୁମ୍‌ଧାମ୍‌ରେ ପାଳିତ ହେଲା ରାମନବମୀ: ‘ଜୟ ଶ୍ରୀରାମ ଧ୍ବନି’ରେ କମ୍ପିଲା ସହର

ଭୁବନେଶ୍ବର: ଜୟ ଶୀରାମ…, ଭଜମନ ରାମ ନାମ.. ଧ୍ବନିରେ ଆଜି କମ୍ପୁଥିଲା ମଠ, ମନ୍ଦିର ଓ ସାରା ସହର। ଭକ୍ତମୟ ହୋଇଉଠିଥିଲା ସାରା ପରିବେଶ। ଶ୍ରୀୟା ଛକରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଓ ରାମ ମନ୍ଦିର ପଛପାଖ ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିଲା। ତୁଣ୍ଡରେ ଥିଲା ରାମ ନାମ। ମନରେ ଥିଲା ଭକ୍ତି ଭାବ। ରାମଚରିତ ମାନସର ନବାହ୍ନ ପାରାୟଣର ଗୁଞ୍ଜରିତ ପଂକ୍ତି ମନରେ ଭରି ଦେଉଥିଲା ପୁଲକ। ପବିତ୍ର ଶ୍ରୀରାମ ନବମୀରେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ ଥରେ ଆଖି ପୂରେଇ ଦେଖି ନେବାର ଅଭିପ୍‌ସା ହଜାର ହଜାର ଭକ୍ତଙ୍କୁ ମନ୍ଦିର ଯାଏ ଟାଣି ଆଣିଥିଲା। କେବଳ ଏହି ଗୋଟିଏ ମନ୍ଦିର ନୁହେଁ, ରାମ ନବମୀରେ ଚଳଚଞ୍ଚଳ ହୋଇ ଉଠିଥିଲା ସହରର ଏକାଧିକ ମଠ ଓ ମନ୍ଦିର।

ୟୁନିଟ୍‌-୩ସ୍ଥିତ ରାମ ମନ୍ଦିରରେ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନିର୍ଧାରିତ ନୀତିକାନ୍ତି ଅନୁଯାୟୀ ପ୍ରାତଃ ସାଢ଼େ ୫ଟାରେ ମଙ୍ଗଳ ଆଳତି ପରେ ଠାକୁରଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ସକାଳ ୭ଟାରେ ଶୃଙ୍ଗାର ଆଳତି ହୋଇଥିଲା। ସକାଳ ପ୍ରାୟ ୯.୩୦ରୁ ରାମଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ଠାକୁରଙ୍କ ଜନ୍ମୋତ୍ସବ ଆଳତି ତଥା ଅଭିଷେକ କରାଯାଇଥିଲା। ଅପରାହ୍ନ ସାଢ଼େ ୧ଟାରୁ ୪ଟା ପର୍ଯ୍ୟନ୍ତ ପହୁଡ଼ ପଡ଼ିବା ପରେ ଅପରାହ୍‌ଣ ୪ଟାରୁ ଆରମ୍ଭ ହୋଇଯାଇଥିଲା ଦ୍ୱିତୀୟ ପର୍ଯ୍ୟାୟ ଦର୍ଶନ। ସଞ୍ଜ ଯେତେ ପାଖଉଥିଲା ଭକ୍ତଙ୍କ ସଂଖ୍ୟା ସେତେ ବଢ଼ି ବଢ଼ି ଚାଲିଥିଲା। ସନ୍ଧ୍ୟା ୭ଟାରେ ଶୃଙ୍ଗାର ଆଳତି କରାଯାଇଥିଲା। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ବୋଲି ମନ୍ଦିର ପରିଚାଳନା କମିଟିର ପରିଚାଳକ ମହାବୀର ପ୍ରସାଦ ଶର୍ମା କହିଛନ୍ତି।

ଭକ୍ତଙ୍କ ଭିଡ଼ ଯୋଗୁଁ ସନ୍ଧ୍ୟାରେ ଟ୍ରାଫିକ୍‌ ଜାମ୍‌କୁ ଏଡ଼ାଇବାକୁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଭକ୍ତଙ୍କ ସମାଗମକୁ ନଜରରେ ରଖି ମନ୍ଦିର ନିକଟରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ୧୫ ପ୍ଲାଟୁନ୍‌ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପ୍ରାଙ୍ଗଣ ଭିତରେ ଓ ବାହାରେ ୧୬ଟି ସିସିଟିଭି କ୍ୟାମେରା ଖଞ୍ଜା ଯାଇଥିଲା।

ଅନୁକଳ୍ପ ପ୍ରସାଦ ଖାଇଲେ ଶ୍ରଦ୍ଧାଳୁ
ସହରର ସମସ୍ତ ମଠ ମନ୍ଦିରରୁ ରାମ ଧୁନ୍‌ ଗୁଞ୍ଜରିତ ହୋଇଥିଲା। ଶ୍ରୀରାମଙ୍କ ଆବାହନ ପାଇଁ ସିଆର୍‌ପିଛକସ୍ଥିତ ଇସ୍କନ ମନ୍ଦିର ସମ୍ପୂର୍ଣ୍ଣ ଭାବେ ଫୁଲ ଓ ରଙ୍ଗିନ ଆଲୋକରେ ସଜେଇ ହୋଇଥିଲା। ସେଠାରେ ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆଳତି ତଥା ଅଭିଷେକ କରାଯାଇଥିଲା। ଏହାପରେ ଉପବାସ କରିଥିବା ଶ୍ରଦ୍ଧାଳୁଙ୍କୁ ସ୍ୱତନ୍ତ୍ର ଭାବେ ଫଳ ଓ ସିଝା ପରିବାରେ ତିଆରି ‘ଅନୁକଳ୍ପ ପ୍ରସାଦ’ ବଣ୍ଟନ କରାଯାଇଥିଲା ବୋଲି ମନ୍ଦିର ଅଧିକାରୀ ରାଧାକାନ୍ତ ଦାସ କହିଛନ୍ତି। ସଂଧ୍ୟାରେ ଭଜନ କୀର୍ତ୍ତନ ସହ ରାତି ସାଢ଼େ ୧୦ ଯାଏ ଠାକୁର ଦର୍ଶନ ପାଇଁ ଭିଡ଼ ଜମିଥିଲା। ସେହିପରି ସହରର ଅନ୍ୟ ସମସ୍ତ ମଠ ମନ୍ଦିର ବିଶେଷ କରି ୧ ନମ୍ବର ହାଟସ୍ଥିତ ଶ୍ରୀରାମ ମନ୍ଦିର, ୯ ତାଲା ପଛ ପାର୍ଶ୍ୱରେ ଥିବା ଶ୍ରୀରାମ ମନ୍ଦିର, ଲକ୍ଷ୍ମୀସାଗର ବ୍ରିଟ୍‌ କଲୋନି ନିକଟସ୍ଥ ଶ୍ରୀରାମ ମନ୍ଦିର ସମେତ ବହୁ ମନ୍ଦିରରେ ପ୍ରଭୁଙ୍କ ଜନ୍ମୋତ୍ସବ ଉପଲକ୍ଷେ ସଂକୀର୍ତ୍ତନ ଓ ରାମଚରିତ ମାନସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥର ବି ବନ୍ଦ ରହିଲା ‘ଛପନ ଭୋଗ ସ୍ବତନ୍ତ୍ର ଥାଳି’
ପୂର୍ବରୁ ଭକ୍ତଙ୍କ ପାଇଁ ଛପନ ଭୋଗର ସ୍ୱତନ୍ତ୍ର ଥାଳି ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତ କରାଯାଉଥିଲା। ଥାଳି ପିଛା ୯୦୦ ଟଙ୍କା ରହୁଥିଲା। ଏହି ଥାଳିରେ ବିଭିନ୍ନ ମିଠା, ପିଠା ସହ ୫୬ ପ୍ରକାର ବ୍ୟଞ୍ଜନ ପରସା ଯାଉଥିଲା। ଦାମ୍‌ ଆକାଶ ଛୁଆଁ ସତ୍ତ୍ୱେ ଏହାକୁ କିଣିବାକୁ ଭକ୍ତଙ୍କ ଭିଡ଼ ବେଶ୍‌ ଜମୁଥିଲା। କିନ୍ତୁ ଏହା ଏବେ ବନ୍ଦ ଥିବାରୁ ଭକ୍ତ ମନଉଣା କରିଥିଲେ। ଆଜି ଭକ୍ତମାନଙ୍କ ଉଦ୍ଦେଶ୍ୟରେ ବୁନ୍ଦି ମିଠେଇ ପ୍ରସାଦ ବଣ୍ଟନ କରାଯାଇଥିଲା। ଏଥିସହ ମଧ୍ୟାହ୍ନରେ ଭକ୍ତ ଓ ପୁଲିସ ଅଧିକାରୀମାନଙ୍କ ପାଇଁ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

 

ସମ୍ବନ୍ଧିତ ଖବର