ଇନ୍‌ଫୋଭ୍ୟାଲିରେ ରାମୁ-ଖଣ୍ଡି ଯୋଡ଼ି: ଅରିଶଲରେ ଆତଙ୍କ, ବନ କର୍ମଚାରୀ ବେହାଲ୍

ଖଣ୍ଡଗିରି: ଶୁକ୍ରବାର ରାତିରୁ ଭରତପୁର ସଂରକ୍ଷିତ ଜଙ୍ଗଲ ଛାଡ଼ିଥିବା ଦନ୍ତା ହାତୀ ରାମୁ-ଖଣ୍ଡି ଯୋଡ଼ି ଇନ୍‌ଫୋଭ୍ୟାଲିରେ ଡେରା ପକାଇଥିଲେ। ଇନ୍‌ଫୋସିଟି-୨ର ପାଚେରି ଭଙ୍ଗାରୁଜା କରିବା ସହ ସ୍ଥାନୀୟ ଅରିଶଲ ଝମକା ମାଳ ଗହୀରରେ ଦଳାଚକଟା କରି ବ୍ୟାପକ ଧାନଫସଲ ନଷ୍ଟ କରିଥିଲେ। ଶନିବାର ସକାଳୁ ଏହି ଘଟଣା ଜଣାପଡ଼ିବା ପରେ ଚନ୍ଦକା ଥାନା ଛତାବର ପଞ୍ଚାୟତର ଅରିଶଲ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଶନିବାର ଦିନ ତମାମ୍ ବନ କର୍ମଚାରୀମାନେ ସେମାନଙ୍କ ଉପରେ ନଜର ରଖି ଜଗି ରହିଥିଲେ। ରାତିରେ ବାଣ ଓ ଲାଇଟ୍ ଦ୍ବାରା ହାତୀ ଦୁଇଟିଙ୍କୁ ଦେଉଳିଆ ମୁଣ୍ଡିଆ ଆଡ଼କୁ ମୁହାଁଇ ଭରତପୁର ଜଙ୍ଗଲକୁ ଫେରାଇ ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଅମାନିଆ ଦନ୍ତାଦ୍ବୟ ଏକମୁହାଁ ହୋଇ ଗ୍ରାମଡିହ ଗଙ୍ଗପଡ଼ା ଗହୀର ଦେଇ ରତନୁପର ଜଙ୍ଗଲ ଆଡ଼କୁ ମୁହାଁଇଥିଲେ।

ଖଣ୍ଡି ଡରରେ ଚାଷ କାମ ଠପ୍: ୨୦୧୨ ମସିହା ପୂର୍ବରୁ ଏହି ଅଞ୍ଚଳ ଚନ୍ଦକା ହାତୀମାନଙ୍କ ଚରାଭୂଇଁ ଥିଲା। ଧାନ ଅମଳ ସମୟରେ ହାତୀମାନେ ସପ୍ତାହ ସପ୍ତାହ ଧରି ଏଠାରେ ଡେରା ପକାଇ ରହୁଥିଲେ। ମାତ୍ର ଇନ୍‌ଫୋସିଟି-୨ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରଠାରୁ ପ୍ରାୟ ୬/୭ ବର୍ଷ ହେବ ଏଠାରେ ଆଉ ହାତୀମାନଙ୍କୁ ଦେଖିବାକୁ ମିଳୁନାହିଁ। ତେଣୁ ଶନିବାର ସକାଳୁ ହାତୀଙ୍କୁ ଦେଖିବା ପାଇଁ ଅରିଶଲ, ଦୁର୍ଗାପୁର, ହରେକୃଷ୍ଣପୁର, ଗୌଡ଼କାଶୀପୁର, ହରପୁର ଓ ଛତାବର ଆଦି ଗାଁର ଲୋକମାନେ ଜମା ହୋଇଥିଲେ। ଖବର ପାଇ ଭୁବନେଶ୍ବର ସିଟି ରେଞ୍ଜ, ଚନ୍ଦକା ଓ ହଳଦିଆ ରେଞ୍ଜ୍‌ର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳେ ଜଣାପଡ଼ିଥିଲା ଯେ ରାମୁ-ଖଣ୍ଡି ଦନ୍ତା ଯୋଡ଼ି ଜଙ୍ଗଲକୁ ଫେରି ନପାରି ରହି ଯାଇଛନ୍ତି। ଖଣ୍ଡି ସ୍ବଭାବରେ ଉଗ୍ର ଓ ଲୋକଙ୍କୁ ଆକ୍ରମଣ କରିବା ପୂର୍ବରୁ ନଜିର ଥିବାରୁ ବନ କର୍ମଚାରୀମାନେ ଲୋକଙ୍କୁ ସେଠାରୁ ଚାଲି ଯିବା ପାଇଁ ବୁଝାଇଥିଲେ। ଖଣ୍ଡି କଥା ଶୁଣିବା ପରେ ଭୟରେ ଲୋକେ ସେଠାରୁ ଚାଲି ଯାଇଥିଲେ। ଖୋର୍ଧାମୁହାଁ ରାମୁ-ଖଣ୍ଡି: ଶନିବାର ରାତି ପ୍ରାୟ ୭ଟା ବେଳକୁ ହାତୀମାନଙ୍କୁ ଘଉଡ଼ାଇବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗୌଡ଼କାଶୀପୁର ପଟୁ ବନ କର୍ମଚାରୀମାନେ ଜଗି ରହିଥିଲେ। ସେହିଭଳି ଛତାବର ପଳାସପୁର ଗହୀର ପଟୁ ମଧ୍ୟ ଲାଇଟ୍ ପକାଯାଇଥିଲା। ସେମାନେ ଭରତପୁର ଜଙ୍ଗଲରୁ ଦାସପୁର ଓ ଦେଉଳିଆ ମୁଣ୍ଡିଆ ଦେଇ ଅରିଶଲକୁ ଆସିଥିଲେ। ତେଣୁ ସେମାନଙ୍କୁ ପୁଣି ସେହି ବାଟରେ ଫେରାଇବାକୁ ବନ କର୍ମଚାରୀମାନେ ଉଦ୍ୟମ କରିଥିଲେ। ମାତ୍ର ଦୁର୍ଦାନ୍ତ ଖଣ୍ଡି ବନ କର୍ମଚାରୀମାନଙ୍କ ବାଣ ଓ ଲାଇଟ୍‌କୁ ଖାତିର କରିନଥିଲା। ଏକାମୁହାଁ ହୋଇ ସେମାନେ ଗ୍ରାମଡିହ ଗମେଇ ଗହୀରରେ ପଶିଥିଲେ ଓ ଗଙ୍ଗପଡ଼ା –ଭାତଖୁରୀ ଦେଇ ରତନପୁର କାଜୁ ଜଙ୍ଗଲ ଆଡ଼କୁ ଯାଇଥିଲେ। ଏହାପରେ ସେମାନେ ଖୋର୍ଧାମୁହାଁ ହେଲେଣି ଓ ସେମାନେ ବରୁଣେଇ ପାହାଡ଼ କିମ୍ବା ଜରିପଡ଼ା ମୁଣ୍ଡିଆରେ ଡେରା ପକାଇବା ଆଶା କରାଯାଉଛି।

ବାଇନାକୁଲାରରେ ଦେଖିଲେ ଓପିଟିସିଏଲ୍ କର୍ମଚାରୀ: ରାମୁ-ଖଣ୍ଡି ଯୋଡ଼ି ଝୁମକା ଜଳାଶୟରେ ରହିଥିବାରୁ ଗାଁ ଲୋକମାନଙ୍କ ପାଇଁ ଦେଖିବା ସୁଯୋଗ ନଥିଲା। ଦୂରରୁ ଲୋକମାନେ କେବଳ ହାତୀମାନଙ୍କ ମୁଣ୍ଡ କିମ୍ବା ପିଠି ଦେଖିପାରିଥିଲେ। ମାତ୍ର ଓପିଟିସିଏଲ୍ କୋଠା ଉପରୁ କର୍ମଚାରୀମାନେ ବାଇନାକୁଲାର ଦ୍ବାରା ବେଶ୍ ଭଲଭାବରେ ହାତୀଙ୍କୁ ଦେଖିଥିଲେ।

ସମ୍ବନ୍ଧିତ ଖବର