ସବୁ ରାଜ୍ୟରେ ରକ୍ତଦାନ ଅଭିଯାନରେ ଚଣ୍ଡୀଗଡ଼ର ରଣଦୀପ୍, ୧୨୫ତମ ରକ୍ତଦାନ କଲେ ଭୁବନେଶ୍ବରରେ

ଭୁବନେଶ୍ବର: ଚଣ୍ଡୀଗଡ଼ର ୫୨ ବର୍ଷୀୟ ରଣଦୀପ୍ ବତ୍ତାଙ୍କ ପାଇଁ ରକ୍ତଦାନ ଏକ ନିଶା ପାଲଟିଛି। ତାଙ୍କ ‘କାଶ୍ମୀରରୁ କନ୍ୟାକୁମାରୀ’ ମିସନ୍ ଅନୁଯାୟୀ ସେ ଲକ୍ଷ୍ୟ ରଖିଛନ୍ତି ଭାରତର ସବୁ ରାଜ୍ୟକୁ ଯାଇ ରକ୍ତଦାନ କରିବେ ଓ ଅନ୍ୟମାନଙ୍କୁ ରକ୍ତଦାନ କରିବା ପାଇଁ ଅନୁପ୍ରେରିତ କରିବେ। ରକ୍ତଦାନର ଏହି ମହତ ଉଦ୍ଦେଶ୍ୟ ନେଇ ସେ ଭୁବନେଶ୍ବର ଆସି ଆଜି ସ୍ଥାନୀୟ ‘ଏମ୍ସ’ରେ ରକ୍ତଦାନ କରିଛନ୍ତି।

ପ୍ରତି ତିନି ମାସରେ ରକ୍ତ ଦେବାକୁ ଭୁଲନ୍ତି ନାହିଁ ରଣଦୀପ୍। ସେ ୧୭ ବର୍ଷ ବୟସରେ ଏନ୍‍ସିସି କ୍ୟାମ୍ପ୍୍ରେ ଯୋଗ ଦେଇଥିବା ବେଳେ ନିଜ ବୟସ ୧୮ ବୋଲି ମିଛ କହି ପ୍ରଥମେ ରକ୍ତଦାନ କରିଥିଲେ। ୩୫ ବର୍ଷ ହେଲା ସେ ନିୟମିତ ଭାବେ ରକ୍ତ ଦେଇ ଚାଲିଛନ୍ତି। ଏଯାବତ ୧୪ଟି ରାଜ୍ୟକୁ ଯାଇ ୧୨୫ ଥର ରକ୍ତ ଦେଇସାରିଲେଣି। ପେସାରେ ଜଣେ ମାର୍ବଲ ବ୍ୟବସାୟୀ ରଣଦୀପ୍ ନିଜ ଖର୍ଚ୍ଚ ଓ ଉଦ୍ୟମରେ ଦେଶର ବିଭିନ୍ନ ରାଜ୍ୟ ବୁଲି ଏହି ଅଭିଯାନ ଚାଲୁ ରଖିଥିବା କହିଛନ୍ତି। କାହାର ନା କାହାର ରକ୍ତ ଦରକାର ହୋଇଥାଏ, ତେଣୁ ସମାଜର ସମସ୍ତ ସୁସ୍ଥ ବ୍ୟକ୍ତି ରକ୍ତଦାନ ଦ୍ବାରା ମଣିଷ ମଣିଷ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ଼ କରିପାରିବେ ବୋଲି ତାଙ୍କ ମତ। ଧର୍ମପତ୍ନୀ ନୀଲୁ ବତ୍ତା ତାଙ୍କ ଏହି ଅଭିଯାନ ପାଇଁ ପ୍ରେରଣା ବୋଲି ସେ କୁହନ୍ତି। ପତିପତ୍ନୀ ଦୁହେଁ ଚଣ୍ଡିଗଡ଼ର ଏକ ଡାକ୍ତରଖାନାକୁ ତାଙ୍କ ଶରୀର ଦାନ କରିଛନ୍ତି ବୋଲି ରଣଦୀପ୍ ‘ସମ୍ବାଦ’କୁ କହିଛନ୍ତି। ରକ୍ତଦାନର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ସେ ବିଭିନ୍ନ ସମୟରେ ହରିୟାଣା, ପଞ୍ଜାବ ଓ ଗୁଜୁରାଟ ସରକାରଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି। ‘ସମ୍ବାଦ’ର ସହଯୋଗୀ ସଂସ୍ଥା ‘ଆମ ଓଡ଼ିଶା’ର ବୃହତ୍ ରକ୍ତଦାନ ଅଭିଯାନକୁ ରଣଦୀପ୍ ଭୂୟସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର