୩ ମାସ ପାଇଁ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ସୁରକ୍ଷା ମିଳୁ: ରଣେନ୍ଦ୍ର ସ୍ବାଇଁ

କେନ୍ଦ୍ର ଖାଦ୍ୟ ମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଲୋଚନା, ଏବେସୁଦ୍ଧା ୫୫ ଲକ୍ଷରୁ ଊର୍ଦ୍ଧ୍ବ ପରିବାରଙ୍କୁ ଖାଦ୍ୟଶସ୍ୟ ପ୍ରଦାନ

ଭୁବନେଶ୍ବର: ତାଲାବନ୍ଦ ସମୟରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ୩ ମାସ ପାଇଁ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସାମିଲ କରାଯାଉ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସହାୟତା ବଣ୍ଟନ କାର୍ଯ୍ୟ ନେଇ ଭିଡିଓ କନଫରେନ୍‌ସିଂ ଜରିଆରେ ସମୀକ୍ଷା ଅବସରରେ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କ ନିକଟରେ ଏପରି ଦାବି କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏହାସହିତ କୋଭିଡ-୧୯ ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଲୋକମାନଙ୍କୁ ଖାଦ୍ୟ ସୁରକ୍ଷିତ କରିବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ୯୨ ଲକ୍ଷ ୮୫ ହଜାର ୫୫୬ ପରିବାରର ୩ କୋଟି ୨୪ ଲକ୍ଷ ୭୦ ହଜାର ୪୯୯ ଜଣ ହିତାଧିକାରୀ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ୧ ଲକ୍ଷ ୧୬ ହଜାର ୭ଟି ପରିବାରର ୩ ଲକ୍ଷ ୭୮ ହଜାର ୮୨୯ ଜଣ ହିତାଧିକାରୀଙ୍କୁ ଆଗୁଆ ୩ ମାସର ରାସନ୍‌ ସାମଗ୍ରୀ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ମାସକୁ ମୁଣ୍ଡ ପିଛା ୫ କିଲୋ ଚାଉଳ ଓ କାର୍ଡ ପିଛା ୧ କିଲୋ ହରଡ଼ ଡାଲି ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି। ଏଥିପାଇଁ ୯୩% ଖାଦ୍ୟଶସ୍ୟ ଉଠାଣ ହୋଇଛି। ଚଳିତ ମାସ ୩୦ ତାରିଖ ସୁଦ୍ଧା ବିତରଣ କାର୍ଯ୍ୟ ଶେଷ ପାଇଁ ପଦକ୍ଷେପ ନିଆଯାଇଛି।

ତାଲାବନ୍ଦ ସମୟରେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ କଡ଼ାକଡ଼ି ଲାଗୁ କରାଯାଇଛି। ବଜାରରେ ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରକୁ ନିୟନ୍ତ୍ରଣରେ ରଖାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାର୍ଚ୍ଚ ୨୧ରୁ ଅପ୍ରେଲ୍‌ ୧୨ ତାରିଖ ମଧ୍ୟରେ ୨୧ ହଜାର ୭୫୪ଟି ପରିବାରର ୫୯ ହଜାର ୬୧୨ ଜଣ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ପ୍ରତି ରାସନ କାର୍ଡଧାରୀ ପରିବାରଙ୍କୁ ୧୦୦୦ ଟଙ୍କା ନଗଦ ଅର୍ଥ ରିଲିଫ୍‌ ଆକାରରେ ପ୍ରଦାନ କରାଯାଇଛି। ଆଜି ପର୍ଯ୍ୟନ୍ତ ୫୬ ଲକ୍ଷ ୧୪ ହଜାର ୯୪୧ ଜଣ ପିଡିଏସ୍‌ ରାସନ୍ କାର୍ଡ଼ଧାରୀଙ୍କୁ ମୋଟ୍‌ ୫୬୧ କୋଟି ୪୯ ଲକ୍ଷ ୪୧ ହଜାର ଟଙ୍କା ବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ସୂଚନା ଦେଇଥିଲେ।ରାଜ୍ୟରେ ୨୦୧୯-୨୦ ବିପଣନ ଋତୁ ପାଇଁ ୧.୪୫ ଲକ୍ଷ ଗାଣ୍ଠି ଝୋଟ ଅଖା ଆବଶ୍ୟକ ଥିବାବେଳେ ରାଜ୍ୟକୁ ଏ ପର୍ଯ୍ୟନ୍ତ ୧.୦୩ ଲକ୍ଷ ଗାଣ୍ଠି ଯୋଗାଣ ହୋଇଛି। ଅଖା ଯୋଗାଇବାକୁ ଜୁଟ୍‌ କମିସନରଙ୍କ ନିକଟରେ ଅର୍ଥ ଜମା କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବାକିଥିବା ୪୨ ହଜାର ଗାଣ୍ଠି ଅଖା ମିଳିନାହିଁ। ଏସବୁ ଅଖାକୁ ତୁରୁନ୍ତ ଯୋଗାଇ ଦେବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପାଶ୍ବାନ୍‌ଙ୍କୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ଜଣାଇଥିଲେ। ଏହାସହିତ ଧାନ ସଂଗ୍ରହ ବାବଦକୁ କେନ୍ଦ୍ର ସରକାରଙ୍କ ଠାରୁ ମିଳିବାକୁ ଥିବା ବକେୟା ସବସିଡି ଅର୍ଥ ବାବଦକୁ ୬ ହଜାର ୧୩୨ କୋଟି ୮୬ ଲକ୍ଷ ଟଙ୍କା ରାଜ୍ୟକୁ ପ୍ରଦାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିଲେ। ଭାରତ ସରକାରଙ୍କ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ବାରା ଆୟୋଜିତ ଭିଡିଓ କନ୍‌ଫରେନ୍‌ସିଂ ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶ୍ବାନ୍‌ ଅଧ୍ୟକ୍ଷତା କରିଥିବାବେଳେ ଲୋକସେବା ଭବନରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କମିସନର ତଥା ଶାସନ ସଚିବ ବୀର ବିକ୍ରମ ଯାଦବ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର