ଭୁବନେଶ୍ବର: ବାହାରେ ତାଲା ଝୁଲୁଛି। ହେଲେ ଭିତରେ ଜମୁଛି ମଦ ଆସର। ଡିଜେ ତାଳେ ତାଳେ ମତୁଆଲା ହେଉଛନ୍ତି ଯୁବକ, ଯୁବତୀ। ରଙ୍ଗ ବେରଙ୍ଗ ଆଲୁଅର ଲୁଚକାଳି ଭିତରେ ବାର୍‌ ଗାର୍ଲ ନାଚୁଛନ୍ତି। ଏସବୁ ଚାଲୁଛି ଅନେକ ରାତିଯାଏ। ଯଦିଓ ନିର୍ଦ୍ଧାରିତ ୧୨ଟା ପର୍ଯ୍ୟନ୍ତ ବାର୍‌ ଖୋଲିବାର ନିୟମ ରହିଛି। ହେଲେ ଯେଉଁମାନେ ଚାହିବେ, ସେମାନେ ଅବକାରୀ ବିଭାଗ ଠାରୁ ସ୍ବତନ୍ତ୍ର ଅନୁମତି ନେଇ ଅତିବେଶୀରେ ରାତି ୧.୩୦ ପର୍ଯ୍ୟନ୍ତ ବାର୍‌ ଖୋଲିପାରିବେ। କିନ୍ତୁ ଶନି ଓ ରବିବାର ତଥ‌ା ଛୁଟିର ପୂର୍ବଦିନଗୁଡ଼ିକରେ ଏ ରଙ୍ଗିନ ଆସରର ଅବଧି ଆହୁରି ଲମ୍ବି ଯାଉଛି। ଅଧିକାଂଶ ବାର୍‌ରେ ଗ୍ରାହକଙ୍କ ଖୁସି ପାଇଁ ଭୋର୍ ପର୍ଯ୍ୟନ୍ତ ମଦ ପରଷା ଯାଉଛି ଓ ବାର୍‌ ଗାର୍ଲମାନଙ୍କୁ ନୃତ୍ୟ ଜାରି ରଖିବାକୁ ବାଧ୍ୟ କରାଯାଉଛି। ଏ ଖବର ଆଉ ନୂଆ ହୋଇ ରହିନାହିଁ। ବାର୍‌ ମାଲିକ ଅବକାରୀ ବିଭାଗ ଓ କମିସନରେଟ୍‌ ପୁଲିସର ନିୟମ ବା ମାର୍ଗଦର୍ଶିକାକୁ ଫୁ’ କରି ରାଜଧାନୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ ଚାଳାଉଛନ୍ତି। ଅଳ୍ପ କିଛି ଅନ୍‌ ସପ୍‌ ବାର୍‌ ସଂଯୁକ୍ତ ରେସ୍ତୋରାଁ ସରକାରୀ କଟକଣାକୁ ମାନୁଥିବାବେଳେ ଅନେକ ପୁଲିସ ଆଖି‌ରେ ଆଙ୍ଗୁଠି ଗେଞ୍ଜି ଏଭଳି ବେଆଇନ କାମ କରିଚାଲିଛନ୍ତି। ବାହାରେ ତାଲା ପକାଇ ଭିତରେ ସାରାରାତି ରଙ୍ଗଶାଳାର ଆୟୋଜନ କରୁଛନ୍ତି।

Advertisment

ରାଜଧାନୀରେ ଡ୍ୟାନ୍ସ ବାର ଓ ପବ୍‌ ସଂସ୍କୃତି ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସହରରେ ୭୬ଟି ବାର୍ ଆଣ୍ଡ ରେସ୍ତୋରାଁ ଥିବାବେଳେ ୨୨ଟି ହୋଟେଲରେ ମଧ୍ୟ ବାର୍‌ ରହିଛି। ଏବେ ଏହାର ସୁଯୋଗ ନେଇ କଞ୍ଚା ପଇସା ରୋଜଗାର ପାଇଁ ବାର ଓ ପବ୍‌ ମାଲିକ ସବୁ ନୀତି ନିୟମକୁ ମାଡ଼ିମକଚି ଦେଉଛନ୍ତି। ବାର୍‌ ବନ୍ଦ କରିବା ସମୟ, ବାର୍‌ ଗାର୍ଲ ନିଯୁକ୍ତି, ଗ୍ରାହକଙ୍କ ସୁରକ୍ଷା ନେଇ ଯାହା ସବୁ ନିୟମ ରହିଛି, ସେସବୁକୁ ସହରର କ୍ବଚିତ୍‌ ବାର୍‌ ପାଳନ କରୁଛନ୍ତି। ଅଧିକାଂଶ ଖୋଲାଖୋଲି ଭାବେ ନିୟମ ଉଲ୍ଲଂଘନ କରି ଚାଲିଛନ୍ତି। ତେଣୁ ଡ୍ୟାନ୍ସରଙ୍କୁ ନିର୍ଯାତନା, ଗଣ୍ଡଗୋଳ, ଦାଦାଗିରି ଓ ଗ୍ରାହକଙ୍କୁ ଆକ୍ରମଣ ଆଦି ଅଭିଯୋଗ ନିୟମିତ ଆସିବାରେ ଲାଗିଛି। ଏମିତିକି ବାର୍‌ଗାର୍ଲଙ୍କୁ ନିର୍ଯାତନା, ପ୍ରେମ ପ୍ରତାରଣା ଭଳି ଘଟଣାରେ ଜୀବନ ଯାଇଛି। ବିଳମ୍ବିତ ରାତିରେ ବାର୍‌ରୁ ଫେରିବା ଯୋଗୁଁ ଅନେକ ସମୟରେ ରାସ୍ତାରେ ହଣାକଟା ହୋଇ ରକ୍ତାକ୍ତ ହେଉଛନ୍ତି। ଏସବୁ ବଢ଼ୁଥିବାରୁ ନାଗରିକ ସମାଜର ଚିନ୍ତାର କାରଣ ପାଲଟିଛି।

ଗ୍ରାହକଙ୍କ ସହ ସମ୍ପର୍କ ନରଖିଲେ ଦିଆଯାଉଛି ନିର୍ଯାତନା

ଗତ ଅକ୍ଟୋବର ମାସରେ ଅଶୋକନଗର ଅଞ୍ଚଳରେ ଥିବା ଏକ ବାର୍‌ରେ ଦୁଇଜଣ ଡ୍ୟାନ୍ସରଙ୍କୁ ପାରିଶ୍ରମିକ ବଦଳରେ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ସେମାନଙ୍କୁ ଭୋର ପର୍ଯ୍ୟନ୍ତ ନୃତ୍ୟ ପରିବେଷଣ କରିବାକୁ ବାଧ୍ୟ କରାଯାଇଥିଲା। ସେମାନେ ମାଲିକଙ୍କ କଥାରେ ରାଜି ନହେବାରୁ ନିସ୍ତୁକ ମାଡ଼ ମରାଯାଇଥିଲା। ଖାଲି ଏତିକି ନୁହେଁ ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ କୁହାଯାଇଥିଲା। କୌଶଳ କ୍ରମେ ଦୁଇ ବାର୍‌ଗାର୍ଲ ସେଠାରୁ ଖସିଆସି କ୍ୟାପିଟାଲ୍‌ ଥାନାରେ ଅଭିଯୋଗ ‌ପରେ ଘଟଣା ପଦାକୁ ଆସିଥିଲା। ରିପୋର୍ଟ ହୋଇନଥିବା ଏଭଳି ଅନେକ ଘଟଣା ରହିଛି ବୋଲି ଅଭିଯୋଗ ହୁଏ।

ନାଚୁଛନ୍ତି ୨୧ରୁ କମ୍‌ ବୟସର ଯୁବତୀ

ବାର୍‌ର ରଙ୍ଗିନ ଆଲୋକରେ ଉଚ୍ଚା ସଙ୍ଗୀତର ତାଳେ ତାଳେ ମିଳିଥିବା ଅନୁମତିଠାରୁ ଅଧିକ ସମୟ ଯାଏ ଝୁମୁଛନ୍ତି ଗ୍ରାହକ। ନିଶା ଚଢ଼ିବା ପରେ ନାଚୁଥିବା ବାର୍‌ ଗାର୍ଲଙ୍କ ଉପରେ ନକଲି ଟଙ୍କା ଉଡ଼ାଉଛନ୍ତି। କିଛିଦିନ ତଳେ ଅବକାରୀ ବିଭାଗ ପକ୍ଷରୁ ରାଜଧାନୀର ବାର୍‌ଗୁଡ଼ିକ ଉପରେ ଚଢ଼ଉ ବେଳେ ଏଭଳି ଘଟଣା ପଦାକୁ ଆସିଥିଲା। ବାର୍‌ରେ ନକଲି ଟଙ୍କା ପଶିପାରିବ ନାହିଁ କି ୨୧ ବର୍ଷରୁ କମ୍‌ ଯୁବତୀ ନୃତ୍ୟ କରିପାରିବେ ନାହିଁ ବୋଲି ନିୟମ ରହିଥିଲେ ମଧ୍ୟ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ବିଶେଷ କରି କଟକ ରୋଡ୍‌ ଓ ପଟିଆ ଅଞ୍ଚଳରେ ଥିବା କିଛି ବାର୍‌ ଏହି ନିୟମକୁ ଉଲ୍ଲଂଘନ କରିଥିଲେ। ଯେଉଁଥିପାଇଁ ୫ଟି ବାର୍‌କୁ ‌ନୋଟିସ୍‌ ମଧ୍ୟ କରାଯାଇଥିଲା। ପ୍ରଶ୍ନ ଉଠୁଛି, ଏହି ବାର୍‌ଗୁଡ଼ିକ କାହା ଛତ୍ରଛାୟା ତଳେ ରହିଛନ୍ତି ଯେ ସବୁ ନିୟମକୁ ମାଡ଼ିମକଚି ଅବକାରୀ ବିଭାଗ ଓ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ଆହୁରି ସାଂଘାତିକ କଥା ହେଉଛି, ୨୧ ବର୍ଷ ନୁହେଁ, ବାର୍‌ରେ ନାଚୁଥିବା କିଛି ବାର୍‌ ଗାର୍ଲଙ୍କ ବୟସ ୧୮ ବର୍ଷରୁ ମଧ୍ୟ କମ୍। ଏକଥା ସମସ୍ତେ ଜାଣନ୍ତି। ଏକ୍ଷେତ୍ରରେ ସରକାରଙ୍କର ଏକାଧିକ ବିଭାଗ ଏଥିରେ ହସ୍ତକ୍ଷେପ କରିବା ଉଚିତ ବୋଲି ଆଇନ କହୁଛି। କିନ୍ତୁ ପୁଲିସ ଓ ଅବକାରୀ ବିଭାଗକୁ ଛାଡ଼ିଦେଲେ ଏଥିରେ ଅନ୍ୟ କୌଣସି ବିଭାଗ କେବେ ମୁଣ୍ଡ ଖେଳାଇବାର ଉଦାହରଣ ନାହିଁ।

ସକ୍ରିୟ ବାର୍‌ ଗ୍ୟାଙ୍ଗ୍‌, ମଙ୍ଗ ଧରିଛନ୍ତି ଯୁବତୀ
ବିଳମ୍ବିତ ରାତି ଯାଏ ବେଆଇନ ଭାବେ ବାର୍‌ ଚଳାଇବା ପାଇଁ କିଛି ଗ୍ୟାଙ୍ଗ୍‌ର ହାତ ରହିଛି। ସଙ୍ଗିନ୍‌ ତଥ୍ୟ ହେଉଛି, ବାର୍‌କୁ ଏହି ଗ୍ୟାଙ୍ଗ୍‌ ଯୁବତୀ ଓ ଗ୍ରାହକ ଯୋଗାଉଛନ୍ତି। ବାର୍‌କୁ ଗ୍ରାହକ ଓ ଯୁବତୀ ଯୋଗାଇବା ପାଇଁ ସେମାନେ ମାଲିକଙ୍କଠାରୁ ମୋଟା ଅଙ୍କ ପାଉଛନ୍ତି। ଯାହାକୁ ନେଇ ଗ୍ୟାଙ୍ଗ୍‌ ଗ୍ୟାଙ୍ଗ୍‌ ମଧ୍ୟରେ ଗଣ୍ଡଗୋଳ ଉପୁଜୁଛି। ରାସ୍ତା ଉପରେ ପିଟାପିଟି ହେବା ଯାଏ କଥା ଯାଉଛି। ଗ୍ରାହକ ଓ ଯୁବତୀ ଯୋଗାଇବା ପାଇଁ ଏବେ ପ୍ରତିଯୋଗିତା ତୀବ୍ର ହେବାରେ ଲାଗିଛି। ବଡ଼ କଥା ହେଉଛି କିଛି ଗ୍ୟାଙ୍ଗ୍‌ରେ ଯୁବତୀମାନଙ୍କ ସକ୍ରିୟ ଭୂମିକା ଥିବା ଜଣାପଡ଼ିଛି। ସେମାନେ ହିଁ ବାର୍‌ଗୁଡ଼ିକୁ ନିଜ ନିୟନ୍ତ୍ରଣରେ ରଖିଥିବା ଜଣାପଡ଼ିଛି।

ଜମୁଛି ଅପରାଧୀଙ୍କ ଆଡ଼ା
ବିଳମ୍ବିତ ରାତି ଯାଏ ବାର୍‌ ଖୋଲା ରହିବା ହିଁ ଅପରାଧୀମାନଙ୍କୁ ସୁହାଉଛି। ପାଖରେ ବନ୍ଧୁକ, ଭୁଜାଲି, ଛୁରି, କାତି ରଖି ଗ୍ରାହକ ବେଶରେ ବାର୍‌ରେ ପଶୁଛନ୍ତି। ଭିତରେ ନିଜେ ମତୁଆଲା ହେବା ପରେ ବାହାରକୁ ଆସି ଗଣ୍ଡଗୋଳ କରିବା ବାହାନାରେ ଲୁଟ୍‌ପାଟ୍‌ କରୁଛନ୍ତି। ବହୁ ସମୟରେ ନିଶାସକ୍ତ ଯୁବତୀଙ୍କୁ ନେଇ ବାର୍‌ ଭିତରେ ଗଣ୍ଡଗୋଳ ହେଉଛି ଓ ଉପସ୍ଥିତ ଅପରାଧୀମାନେ ଏହାର ଫାଇଦା ଉଠାଉଛନ୍ତି।

ରାତି ଅଧିଆ ଗୋଷ୍ଠୀ ସଂଘର୍ଷ

କିଛିଦିନ ତଳର କଥା ରାତି ପ୍ରାୟ ୨ଟା ହେବ। ସବୁଆଡ଼ ଶୂନ୍‌ଶାନ୍ ଥିଲା। କିନ୍ତୁ ଚନ୍ଦ୍ରଶେଖରପୁରର ସେହି ବାର୍‌ ସମ୍ମୁଖରେ ଚାଲିଥିଲା ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀ ଭିତରେ ଚାଲିଥିଲା ପିଟାପିଟି ଓ ଧସ୍ତାଧସ୍ତି। ରାସ୍ତାରେ ଗଡ଼ପଡ଼ା ହେଉଥିଲେ ଉଭୟ ଗୋଷ୍ଠୀ‌ର ଯୁବକ ଓ ଯୁବତୀ। ଉଭୟ ପକ୍ଷରୁ କିଛି ଆହତ ବି ହୋଇଥିଲେ। ପୋଷାକପତ୍ରର ଅବସ୍ଥା ନଥିଲା। କାହାର ଫାଡ଼ି ହୋଇ ଦେହରେ ଲାଗିଥିଲା ତ କାହାର ପୂରା ଦେହରୁ ବାହାରି ଯାଇଥିଲା। ବଡ଼ କଥା ହେଉଛି ପିସିଆର୍ ଭ୍ୟାନ୍‌ ସେହି ବାଟ ଦେଇ ଗଲା। କିନ୍ତୁ ସେମାନଙ୍କ ଆଡ଼କୁ ଚାହିଁଲା ନାହିଁ। ସଂଘର୍ଷରେ ମାତିଥିବା ଉନ୍ମାଦ ଯୁବକ ଯୁବତୀମାନେ ବି ପୁଲିସକୁ ଦେଖି ତିଳେ ମାତ୍ର ଖାତିର୍ କଲେ ନାହିଁ। ପିଟାପିଟି ପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଧମକ ଦେଇ ଘଟଣାସ୍ଥଳ ଛାଡ଼ିଲେ। କେହି ଥାନାକୁ ଗଲେ ନାହିଁ କି ପୁଲିସ ନିଜ ଆଡ଼ୁ କିଛି କଲାନାହିଁ। ମାମଲା ପବନରେ ମିଳେଇଗଲା। ଏହା କେବଳ ମାତ୍ର ଏକ ଉଦାହରଣ। ବିଳମ୍ବିତ ରାତିରେ ରାଜଧାନୀର ବହୁ ବାର୍‌ରେ ଘଟୁଛି ଏମିତି ଘଟଣା। ରାତିଅଧଯାଏ ବାର୍‌ ଭିତରେ ଯୁବକ ଯୁବତୀମାନେ ମତୁଆଲା ହୋଇ ବାର୍‌ରୁ ବାହାରି ବାହାରେ ଉତ୍ପାତ କରୁଛନ୍ତି, ବିଚ୍‌ ରାସ୍ତାରେ ଆତଙ୍କ ରଚୁଛନ୍ତି।

ରହସ୍ୟରେ ବାର୍‌ ଗାର୍ଲଙ୍କ ମୃତ୍ୟୁ

ରାଜଧାନୀ ଭୁବନେଶ୍ବରର କଟକ ରୋଡରେ ଥିବା ଦୀପାଳି ବାରରୁ ଜଣେ ଶୁଭଲକ୍ଷ୍ମୀ ସାହୁଙ୍କ ମୃତଦେହକୁ ଜବତ କରାଯାଇଥିଲା। ହୋଟେଲ୍‌ର ୨୦୫ରୁମ୍‌ରୁ ସନ୍ଦେହଜନକ ଅବସ୍ଥାରେ ଲକ୍ଷ୍ମୀସାଗର ଥାନା ପୁଲିସ ତାଙ୍କ ମୃତଦେହକୁ ଜବତ କରିଥିଲା। ତାଙ୍କ ମୃତ୍ୟୁ ପଛର କାରଣ ନେଇ ଭିନ୍ନ ଭିନ୍ନ କଥା ପଦାକୁ ଆସିଥିଲା। କେତେବେଳେ ପୁରୁଷବନ୍ଧୁଙ୍କୁ ନେଇ ତ କେତେବେଳେ ସମ୍ପର୍କୀୟ ଅଙ୍କଲଙ୍କୁ ନେଇ। ପୁଣି କେତେବେଳେ ହୋଟେଲ୍‌ କର୍ମଚାରୀ। ହେଲେ ଝିଅର ମୃତ୍ୟୁ ନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଏହା ଏବେ ବି ରହସ୍ୟ ହୋଇ ରହିଛି। ତେବେ କେବଳ ଶୁଭଲକ୍ଷ୍ମୀ ନୁହନ୍ତି, ଅନେକ ଘଟଣା ପଦାକୁ ଆସିପାରୁନାହିଁ। ବିଭିନ୍ନ ଚାପ ପକାଇ ଘଟଣାକୁ ଚାପିଦିଆଯାଉଛି।