ସିଏଜି ଧରିଲେ ବିଏମ୍‌ସିର ଆର୍ଥିକ ହେରଫେର : ରଙ୍ଗମାଟିଆ ବସ୍ତିପୁଞ୍ଜ ପ୍ରକଳ୍ପରେ କେଳେଙ୍କାରୀ

ଭୁବନେଶ୍ୱର : ରାଜୀବ ଆବାସ ଯୋଜନାରେ ଗାଡ଼କଣରେ ନିର୍ମାଣ ହେଉଥିବା ରଙ୍ଗମାଟିଆ ବସ୍ତିପୁଞ୍ଜରେ ବଡ଼ ଧରଣର ଆର୍ଥିକ ହେରଫେର ହୋଇଥିବା ସିଏଜି ରିପୋର୍ଟରେ ଧରାପଡ଼ିଛି। ବିଏମ୍‌ସି କମିସନର ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିନା ଅନୁମୋଦନରେ ରଙ୍ଗମାଟିଆ ବସ୍ତିପୁଞ୍ଜର ସଂଶୋଧିତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିଥିବାରୁ ବିଏମ୍‌ସି ପ୍ରାୟ ୨୫.୧୬କୋଟି ଟଙ୍କା ଅଧିକ ବ୍ୟୟ କରିଛି। କର୍ତ୍ତୃପକ୍ଷଙ୍କ ଅବହେଳାରୁ ବିଏମ୍‌ସି ଅଯଥାରେ ୨୫କୋଟି ରାଜସ୍ୱ ହରାଇଲା ବୋଲି ସିଏଜି କହିଛନ୍ତି।

ଆଜି ବିଧାନସଭାରେ ପ୍ରସ୍ତୁତ ହୋଇଥିବା ସିଏଜି ରିପୋର୍ଟରେ ରାଜୀବ ଆବାସ ଯୋଜନା (ରେ)ରେ କିପରି ବ୍ୟାପକ ହେରଫେର ହୋଇଛି ତାହା ପଦାକୁ ଆସିଛି।

ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ସାଙ୍କସନିଂ ଆଣ୍ଡ ମନିଟରିଂ କମିଟି (ସିଏସ୍‌ଏମ୍‌ସି) ରଙ୍ଗମାଟିଆ ବସ୍ତିପୁଞ୍ଜ ପ୍ରକଳ୍ପକୁ ଜାନୁଆରି, ୨୦୧୨ରେ ଅନୁମୋଦନ କରିଥିଲା। ସିଏସ୍‌ଏମ୍‌ସି ଏହି ପ୍ରକଳ୍ପ ପାଇଁ ପ୍ରସ୍ତୁତି ହୋଇଥିବା ୪୪.୭୬କୋଟିର ଡିପିଆର୍‌କୁ ମଞ୍ଜୁର କରିଥିଲା। ଏଥିରେ ୧୫୭ଜଣ ହିତାଧିକାରୀଙ୍କୁ ଘର ଦେବା ପାଇଁ ୩.୬୬କୋଟି, ଟ୍ରାନଜିଟ୍‌ ହାଉସ୍‌ ନିର୍ମାଣ ପାଇଁ ୬.୨୬କୋଟି, ବାସଚ୍ୟୁତଙ୍କୁ ଘର ଦେବା ପାଇଁ ୬୦୮ଟି ଘର ନିର୍ମାଣ କରିବାକୁ ୧୮.୮୭କୋଟି, ଭିତ୍ତିଭୂମି ବିକାଶ ପାଇଁ ୬.୯୧କୋଟି, ମରାମତି ଓ ପରିଚାଳନା ପାଇଁ ୦.୭୧କୋଟି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୮.୩୫କୋଟି ଖର୍ଚ୍ଚ ହେବ ବୋଲି ମଞ୍ଜୁର ହୋଇଥିବା ଡିପିଆର୍‌ରେ ଦିଆଯାଇଥିଲା। କିନ୍ତୁ ପରେ ନଗର ଉନ୍ନୟନ ବିଭାଗ କହିଲା ୨୬ଜଣ ହିତାଧିକାରୀ ବାଦ୍‌ ପଡ଼ିଥିବାରୁ ୧୮୩ଜଣ ହିତାଧିକାରୀଙ୍କୁ ଘର ଦିଆଯିବ। ଏଥିରୁ ୧୦୦ଜଣ ସେମାନଙ୍କ ମାଟି ଘରକୁ ନିଜସ୍ୱ ଖର୍ଚ୍ଚରେ ପକ୍କା ଘର କରିଛନ୍ତି। ଏହାପରେ ବିଏମ୍‌ସି କହିଥିଲା ଇନ୍‌ସିଟୁ ଡେଭଲପମେଣ୍ଟରେ ୧୫୭ଜଣ ପକ୍କା ଘର କରିଛନ୍ତି। ଏହାପର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ୧୫୭ଜଣଙ୍କୁ ବାଦ୍‌ ଦେଇ ରଙ୍ଗମାଟିଆ ଗୃହ ପ୍ରକଳ୍ପ ପାଇଁ ୪୧.୦୪କୋଟି ଅନୁମୋଦନ କରିଥିଲା।

ଏହାପରେ ବିଏମ୍‌ସି କେଳେଙ୍କାରୀ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପର ଡିପିଆର୍‌ ୩ମାସରେ ଅନୁମୋଦନ କରିବା ସହ ୨୪ମାସରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସାରିବାକୁ ଥିଲେ ହେଁ କର୍ତ୍ତୃପକ୍ଷ ୧୫ମାସ ବିଳମ୍ବରେ ଅକ୍ଟୋବର ୨୦୧୩ରେ ଏନ୍‌ବିସିସି ସହ ଏନେଇ ଚୁକ୍ତି କରିଥିଲେ। ଚୁକ୍ତିରେ ବିଳମ୍ବ ହେବାରୁ ଏନ୍‌ବିସିସି ଏହାର ନୂଆ ଡିପିଆର୍‌ ପ୍ରସ୍ତୁତ କରି ୬୬.୨୦କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରିଥିଲା। ଜାନୁଆରି ୨୦୧୭ରେ ବିଏମ୍‌ସି କମିସନର ଏହାର କାଣ୍ଟଛାଣ୍ଟ ନକରି ଅନୁମୋଦନ କରିଦେଲେ। ଯେତେବେଳେ କି ଏହି ଡିପିଆର୍‌ ଏସ୍‌ଏଲ୍‌ଏସ୍‌ସି କି ସିଏସ୍‌ଏମ୍‌ସି ଅନୁମୋଦନ ପାଇଁ ପଠାଗଲାନି। ରଙ୍ଗମାଟିଆ ବସ୍ତିପୁଞ୍ଜ ପ୍ରକଳ୍ପ ପାଇଁ ଅଧିକ ୨୫.୧୬କୋଟି ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହେବା ପରେ ବି ଏହାକୁ ନଗର ଉନ୍ନୟନ ବିଭାଗକୁ ନ ପଠାଇ ବିଏମ୍‌ସି କମିସନର ଏହାକୁ ଅନୁମୋଦନ କରିଦେଲେ। ଯାହା ସଂପୂର୍ଣ୍ଣ ବେଆଇନ ଥିଲା। ବିଏମ୍‌ସି କର୍ତ୍ତୃପକ୍ଷ ଏବଂ ଏନ୍‌ବିସିସି ମଧ୍ୟରେ ଭିତିରିଆ କାରବାର ଯୋଗୁଁ ଏହି ପ୍ରକଳ୍ପ ପାଇଁ ଅଧିକ ୨୫.୧୬କୋଟି ଖର୍ଚ୍ଚ ହେଲା ବୋଲି ସିଏଜି ତାଙ୍କ ରିପୋର୍ଟରେ ପରୋକ୍ଷ ଭାବେ ଇଙ୍ଗିତ କରିଛନ୍ତି।

ଏପରିକି ଓଡ଼ିଶା ଅର୍ବାନ ହାଉସିଂ ମିସନ୍‌ର ଯୁଗ୍ମ ମିସନ୍‌ ନିର୍ଦ୍ଦେଶକ ଅଗଷ୍ଟ ୨୦୧୭ରେ କହିଛନ୍ତି ଯେ, ଅଧିକ ଅନୁମୋଦନ ହୋଇଥିବା ୨୫.୧୬କୋଟି ଅବଶ୍ୟମ୍ଭାବୀ ଥିଲା। ଏହି ଗୃହ ପ୍ରକଳ୍ପ ଅନୁମୋଦନ ପାଇଁ ଆସିଥିବା ଡିପିଆର୍‌ କିନ୍ତୁ ଅନୁମୋଦନ ହୋଇନି। କିନ୍ତୁ ଅଡିଟ୍‌ ସମୟରେ ଏହି ୨୫.୧୬କୋଟି ଅଧିକ ଖର୍ଚ୍ଚ କରିବା କାହିଁକି ଅବଶ୍ୟମ୍ଭାବୀ ଥିଲା ଏବଂ ଚୁକ୍ତିି ସ୍ୱାକ୍ଷର ବିଳମ୍ବ ହେଲା ତାହା ନଗର ଉନ୍ନୟନ ବିଭାଗ ଜଣାଇପାରିନି ବୋଲି ସିଏଜି କହିଛନ୍ତି।

କେବଳ ଏତିକି ନୁହେଁ, ଏନ୍‌ବିସିସି ଏହି ପ୍ରକଳ୍ପ ପାଇଁ ଅନଲାଇନ୍‌ ଟେଣ୍ଡର ଆହ୍ଵାନ କରିଥିଲା। ନିୟମ ଅନୁଯାୟୀ େଓ୍ଵବସାଇଟ୍‌ରେ ଟେଣ୍ଡର ଆହ୍ଵାନ ସହ ଗୋଟିଏ ଲେଖାଏଁ ଜାତୀୟସ୍ତରୀୟ ଖବରକାଗଜ ଏବଂ ଆଞ୍ଚଳିକ ଖବରକାଗଜରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। କିନ୍ତୁ ଏନ୍‌ବିସିସି କର୍ତ୍ତୃପକ୍ଷ ନିଜ ପସନ୍ଦର ସଂସ୍ଥାକୁ କାର୍ଯ୍ୟ ଦେବା ପାଇଁ ଖବରକାଗଜରେ ବିଜ୍ଞାପନ ଦେଲେ ନାହିଁ। ଏନ୍‌ବିସିସିର ପ୍ରି କ୍ୱାଲିଫାଏଡ୍‌ ଠିକାଦାରମାନଙ୍କ ପାଇଁ ଅନଲାଇନ୍‌ରେ ଟେଣ୍ଡର ଆହ୍ଵାନ କଲେ। ଆଶ୍ଚର୍ଯ୍ୟର ବିଷୟ ଏନ୍‌ବିସିସି ୬୬.୨୦କୋଟି ଟଙ୍କାରେ କାର୍ଯ୍ୟ କରିବା ପାଇଁ ଖର୍ଚ୍ଚ ଆକଳନ କରି ଡିପିଆର୍‌ ଅନୁମୋଦନ କରାଇ ନେଇଥିବାବେଳେ ନିଜେ ଯେଉଁ ଟେଣ୍ଡର ଡାକିଲା ସେଥିରେ ଏହି ପ୍ରକଳ୍ପର ଖର୍ଚ୍ଚ ଆକଳନ ୩୪.୧୮କୋଟି ରଖିଲା। ସେଥିରେ ଗୋଟିଏ ସଂସ୍ଥା ବିଶାଲ ବିଲଡର୍‌ ଭାଗ ନେଇଥିବାବେଳେ ଆକଳନ ଖର୍ଚ୍ଚଠାରୁ ୨୨.୫% ଅଧିକ ଅର୍ଥରେ ଟେଣ୍ଡର ଡାକିଥିଲା। ଏହି ସଂସ୍ଥା ସହ କର୍ତ୍ତୃପକ୍ଷ ମୂଲଚାଲ କରି ଏହାକୁ ୧୭%କୁ କମାଇଲେ। ଆଉ କାହାର ଅନୁମତି ନଆଣି କାର୍ଯ୍ୟାଦେଶ ଦେଇଦେଲେ। ଯେତେବେଳେକି ଅର୍ଥ ବିଭାଗର ନିୟମ ଅଛି ଟେଣ୍ଡର ପ୍ରିମିୟମରୁ ୧୦%ରୁ ଅଧିକ ଅର୍ଥରେ ଟେଣ୍ଡର ଡାକିଲେ ଏହାକୁ ଅନୁମୋଦନ ପାଇଁ ଅର୍ଥ ବିଭାଗକୁ ପଠାଯିବ। କିନ୍ତୁ ଏନ୍‌ବିସିସି ଏହାକୁ ମାନିଲାନି।

ଏହାପରେ ବିଏମ୍‌ସି ମାର୍ଚ୍ଚ ୨୦୧୭ ସୁଦ୍ଧା ହୋଇଥିବା କାର୍ଯ୍ୟ ପାଇଁ ଏନ୍‌ବିସିସିକୁ ୩୦.୭୬କୋଟି ଅର୍ଥ ପୈଠ କରିଥିବାବେଳେ ଏଥିରେ ୧୭% ଅଧିକ ଟେଣ୍ଡର ଡକାଯାଇଥିବା ମୂଲ୍ୟ ବାବଦକୁ ୪.୪୭କୋଟି ପ୍ରଦାନ କରାଯାଇଛି। ଯେତେବେଳେକି ବିଏମ୍‌ସି ସର୍ବାଧିକ ୧୦% ଅର୍ଥ (୨.୬୩କୋଟି) ଦେଇପାରିବ। ବିଏମ୍‌ସି କମିସନର ଯେଉଁ ୧.୮୪କୋଟି ଟଙ୍କା ଦେଇଛନ୍ତି ତାହା ସଂପୂର୍ଣ୍ଣ ବେଆଇନ୍‌।

ଏନେଇ ନଗର ଉନ୍ନୟନ ବିଭାଗ ସଚିବ ଅଡିଟ୍‌ ଅଧିକାରୀଙ୍କୁ କହିଛନ୍ତି ଯେ, ୧୦%ରୁ ଅଧିକ ଟେଣ୍ଡର ମୂଲ୍ୟ ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯିବା ଦରକାର। ଯେତେବେଳେ କି ଅର୍ଥ ବିଭାଗର ଏନେଇ ଅନୁମତି ନିଆଯାଇନି।

ସେହିପରି ରଙ୍ଗମାଟିଆ ବସ୍ତିପୁଞ୍ଜ ପ୍ରକଳ୍ପକୁ କେବଳ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଥିବାରୁ ଏହି ପ୍ରକଳ୍ପରେ ପ୍ରଥମରୁ ଟ୍ରାନଜିଟ୍‌ ହାଉସ୍‌ ପାଇଁ ଅନୁମୋଦିତ ହୋଇଥିବା ୪.୬୯କୋଟି ଅନାବଶ୍ୟକ। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଏହି ଅର୍ଥକୁ ଆଣି ଗୃହ ପ୍ରକଳ୍ପରେ ଖର୍ଚ୍ଚ କରିଛନ୍ତି। ସେହିପରି ପ୍ରକଳ୍ପ ଆରମ୍ଭ ବିଳମ୍ବ ଏବଂ ପ୍ରକଳ୍ପ ରଙ୍ଗମାଟିଆରୁ ଗାଡ଼କଣକୁ ସ୍ଥାନାନ୍ତର ହୋଇଥିବାରୁ ଭିତ୍ତିଭୂମି ଉନ୍ନତି ପାଇଁ ଖର୍ଚ୍ଚ ହୋଇଥିବା ୧.୧୯କୋଟି ଅଣଫଳପ୍ରଦ। ଏହାର ଆବଶ୍ୟକ ନଥିଲା।

ବିଏମ୍‌ସି କର୍ତ୍ତୃପକ୍ଷ ରଙ୍ଗମାଟିଆ ବସ୍ତିପୁଞ୍ଜ ପ୍ରକଳ୍ପରେ କୋଟି କୋଟି ଟଙ୍କାର ହେରଫେର କରିବା ଏବଂ ଅନାବଶ୍ୟକ ଭାବେ ଖର୍ଚ୍ଚ କରିଥିଲେ ହେଁ ଏହାକୁ ସ୍ୱୀକାର କରିନାହାନ୍ତି। ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ ଯାହା ଅର୍ଥ ଖର୍ଚ୍ଚ ହୋଇଛି ସବୁ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଆମେ କିଛି ନିଷ୍ପତ୍ତି ନେଇନୁ। ରଙ୍ଗମାଟିଆରୁ ଗାଡ଼କଣକୁ ପ୍ରକଳ୍ପ ସ୍ଥାନାନ୍ତର ହେବାରୁ ପ୍ରକଳ୍ପ ଖର୍ଚ୍ଚ ବଢ଼ିଗଲା।

ସମ୍ବନ୍ଧିତ ଖବର