ରଙ୍ଗମାଟିଆ ଲଣ୍ଡା ହତ୍ୟାକାଣ୍ଡ : ୨୪ ଘଣ୍ଟା ବିତିଲା, ପୁଲିସ ହାତ ଖାଲି

ଚନ୍ଦ୍ରଶେଖରପୁର : ରାଜଧାନୀ ଉପକଣ୍ଠ ରଙ୍ଗମାଟିଆ ଲଣ୍ଡା ହତ୍ୟାକାଣ୍ଡରେ ପୁଲିସ କୌଣସି ସୁରାକ ପାଇନାହିଁ। ଗତକାଲି ରାତି ୯ଟାରେ ତଳସାହିର ଦୀପକ ବେହେରା(ଲଣ୍ଡା)କୁ କିଛି ଯୁବକ ଧାରୁଆ ଅସ୍ତ୍ରରେ ୧୪ ଚୋଟ ହାଣି ହତ୍ୟା କରିଥିବା ବେଳେ ଆଜି କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଶବ ବ୍ୟବଚ୍ଛେଦ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଲଣ୍ଡାର ଦୁଇ ଗୋଡ଼ରେ ୮, ପିଠିରେ ୪ ଓ ମୁଣ୍ଡରେ ୨ଟି ଖଣ୍ଡା ଓ ଭୁଜାଲି ଚୋଟ ରହିଛି। ପ୍ରତିଶୋଧର ଭୟଙ୍କର ରୂପ ଏପରି ବିଭତ୍ସ ହୋଇପାରେ ଅନୁଭବ କରି ଗ୍ରାମରେ କୋକୁଆ ଭୟ ଖେଳିଯାଇଛି।

ହତ୍ୟାକଣ୍ଡକୁ ୨୪ ଘଣ୍ଟା ବିତିଯାଇଥିଲେ ହେଁ ପୁଲିସ ହତ୍ୟାକାରୀଙ୍କ ସମ୍ପର୍କରେ କୌଣସି ସୂଚନା ପାଇନାହିଁ। ଅପରପକ୍ଷରେ ପୁଲିସ ସନ୍ଦେହରେ ଗୋଟିଏ ପରିବାରର ଦୁଇଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।  ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଆଶଙ୍କାରେ ପୁଲିସ ପ୍ରହରା ଦେବାସହ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି। ଏହା ବ୍ୟତୀତ ଗ୍ରାମର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କ୍ୟାମ୍ପ ବସାଇଛି।

ଅଭିଯୁକ୍ତ ଫେରାର

ଲଣ୍ଡା କିଛିଦିନ ପୂର୍ବରୁ ବାପା ଚକ୍ରଧର ଓ ଭାଇମାନଙ୍କୁ ଶତ୍ରୁତା ଥିବା ଯୁବକଙ୍କ ନାମ କହିଥିଲା। ହତ୍ୟାକାଣ୍ଡ ପରେ ପରିବାର ଲୋକ ମଞ୍ଚେଶ୍ବର ଥାନାରେ ୬ଜଣ ଅଭିଯୁକ୍ତଙ୍କ ନାମରେ ଏତଲା ରୁଜୁ କରିଛନ୍ତି। ଏବେ ଏହି ଅଭିଯୁକ୍ତମାନେ ଗ୍ରାମରୁ ଫେରାର୍ ହୋଇ ଯାଇଥିବା ବେଳେ ସେମାନଙ୍କ ପରିବାରର ଅନ୍ୟ ପୁରୁଷମାନେ ମଧ୍ୟ ଭୟରେ କେଉଁଆଡ଼େ ପଳାଇଛନ୍ତି।

୯ମାସ‌ରେ ୩ ମୃତ

ଲଣ୍ଡା ପରିବାର ଗତ ୯ମାସ ମଧ୍ୟରେ ୩ଟି ‌ମୁଣ୍ଡ ହରାଇଲାଣି। ୨୦୧୯ ଜାନୁୟାରୀରେ ଲଣ୍ଡାର ବୁଢ଼ି ମା’ଙ୍କର ଦେହାନ୍ତ ହୋଇଥିଲା। ପରେ ଲଣ୍ଡାର ଦାଦା ଶିବ ବେହେରା ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଥିଲେ। ଶେଷରେ ଲଣ୍ଡାର ଜୀବନ ଯାଇଛି।

କଡ଼ା ସୁରକ୍ଷା ବଳ‌ୟରେ ଗାଁର ଦୁଇ ସାହି

ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଆଶଙ୍କାରେ ମଞ୍ଚେଶ୍ବର ଥାନା ଆଇଆଇସି ଯତୀନ୍ଦ୍ର‌ ସେଠୀ ୪ପ୍ଲାଟୁନ୍ ପୁଲିସ୍ ମୁତୟନ କରିଛନ୍ତି। ଏହା ବ୍ୟତୀତ ଅଭିଯୁକ୍ତଙ୍କୁ ଦେଖିବା ମାତ୍ରେ ଗିରଫ କରିବା ନେଇ ‌ଆଦେଶ ଦେଇଛନ୍ତି। ଗାଁ ମୁଣ୍ଡରେ ଗୋଟିଏ ପ୍ଲାଟୁନ୍ ପୁଲିସ କ୍ୟାମ୍ପ କରି କଡ଼ା ପ୍ରହରା ଦେଉଛି।

ପୁଣି ମୁଣ୍ଡ ଗଡ଼ିବା ଆଶଙ୍କା

ପୂର୍ବ ଶତ୍ରୁତା ଓ ଜମି କଣାବିକା ନେଇ ଆରମ୍ଭ ହୋଇଥିବା ଗଣ୍ଡଗୋଳ ରଙ୍ଗମାଟିଆ ଗ୍ରାମରେ ଥମିବାର ନାଁ ନେଉନାହିଁ। ପୂର୍ବରୁ ଏହି ଗ୍ରାମରେ ମଢ଼ ମହାନ୍ତି, ରଞ୍ଜନ ବେହେରାଙ୍କର ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏବେ ଲଣ୍ଡା ହତ୍ୟାକାଣ୍ଡ ସମସ୍ତଙ୍କ ନିଦ ହଜାଇଦେଇଛି। ଏହି ପ୍ରତିଶୋଧ ନିଆଁ ଆଗାମୀ ଦିନରେ ବିସ୍ଫୋରକ ଭା‌ବେ ଦୁଇ ସାହି ମଧ୍ୟରେ ପୁଣି ମୁଣ୍ଡ ଗଡ଼ାଇବା ସେ ନେଇ ଆଶଙ୍କା ପ୍ରକାଶ ପାଇଛି। ଫଳରେ ପୁଲିସ ପ୍ରାୟ ସମସ୍ତ ଅଭିଯୁକ୍ତଙ୍କୁ ନଧରିବା ପର୍ଯ୍ୟନ୍ତ ଗ୍ରାମରେ କ୍ୟାମ୍ପ ବସାଇ କଡ଼ା ନଜର ରଖିବା ସହ ପାଟ୍ରୋଲିଂ କରିବ ବୋଲି ଜଣାପଡ଼ିଛି।

ପୁଲିସ କାର୍ଯ୍ୟରେ ଅସନ୍ତୁଷ୍ଟ ଲୋକେ

ପୂର୍ବରୁ ଲଣ୍ଡା ଫେରାର ଅଭିଯୁକ୍ତଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏକ ବିବାହ ଶୋଭାଯାତ୍ରାରେ ଅଭିଯୁକ୍ତମାନେ ଯୋଗଦେଇଥିବା ବେଳେ ଲଣ୍ଡା ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଚୋଟମାରି ରକ୍ତାକ୍ତ କରିଥିଲା। ଯାହାକୁ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ କୋହଳ କରି ଦେଇଥିଲା। ଫଳରେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତମାନେ ଲଣ୍ଡାକୁ ହତ୍ୟା କଲେ। ପୁଲିସ୍ ଉକ୍ତ ଗ୍ରାମର ଗଣ୍ଡଗୋଳକୁ ଖାମଖିଆଲି ଭାବେ ନେଇଥିବାରୁ ସ୍ଥାନୀୟ ଲୋକ ପୁଲିସ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର