ଭୁବନେଶ୍ବର: କମିସନରେଟ ମୁଖ୍ୟାଳୟ ନିକଟ ପାଵାର ହାଉସ ଛକରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ରେଞ୍ଜ ରୋଭର ଗାଡ଼ି (ଓଡି୨୩-କେ-୦୦୦୬) ଧକାରେ ଯୁବତୀଙ୍କ ମୃତ୍ୟୁ ଓ ଯବାନ ଗୁରୁତର ହେବା ଘଟଣା ଏବେ ଦିନକୁ ଦିନ ଉଗ୍ରରୂପ ଧାରଣ କରିଛି। ଏହି ଗାଡ଼ି ବିଶାଲ ଚଳାଉଥିବା ନେଇ ବିଜେପି, କଂଗ୍ରେସ ଠାରୁ ଆରମ୍ଭ କରି ମୃତ ଯୁବତୀଙ୍କ ପରିବାର ଲୋକ ଓ ସାଧାରଣରେ ଅଭିଯୋଗ ହୋଇ ଆସୁଛି। ରାଜରାସ୍ତାରେ ଆନ୍ଦୋଳନ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ପୁଲିସକୁ ତୀବ୍ର ସମାଲାଚନା କରାଯାଉଛି। ଦୁର୍ଘଟଣା ଦିନ ପୁଲିସ ଝାରସୁଗୁଡ଼ାର ଏକ ଗାଡ଼ି ନମ୍ବର ଜାରି କରିବା ପରେ ତାହାକୁ ସଂଶୋଧନ କରିଥିଲା। ତେଣୁ ଆରମ୍ଭରୁ ପୁଲିସ ସନ୍ଦେହଘେରରେ ରହିଥିଲା, ଏଯାଏ ସେଥିରୁ ମୁକୁଳି ପାରୁନି। ତା’କୁ ନେଇ ପୁଲିସର କାର୍ଯ୍ୟକଳାପ ଅଧିକ ସନ୍ଦେହ ଭିତରକୁ ଠେଲି ହୋଇ ଯାଉଥିବା ବିରୋଧୀମାନେ ଅଭିଯୋଗ କରିଛନ୍ତି।

Advertisment

ଦୁର୍ଘଟଣା ଦିନ କମିସନରେଟ ପୁଲିସ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଥିଲା। ସେଥିରେ ଧକା ଦେଇଥିବା ଗାଡ଼ିର ନମ୍ବର (ଓଡି୩୩-ଏଏଫ୍-୬୭୨୬) ଦର୍ଶାଯାଇଥିଲା। କିନ୍ତୁ କିଛି ସମୟ ପରେ ପ୍ରକୃତ ଧକା ଦେଇଥିବା ରେଞ୍ଜ ରୋଭର ଗାଡ଼ି ନମ୍ବର (ଓଡି୨୩-କେ-୦୦୦୬) ଦର୍ଶା ଯାଇଥିଲା। ଏହି ଗାଡ଼ି ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ କମ୍ପାନି ନାଁରେ ଥିବା ଜଣାପଡ଼ିଥିଲା। ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିନ ନଵାଜଙ୍କ କହିବା ଅନୁସାରେ, ଆରମ୍ଭରୁ ବିଶାଲଙ୍କୁ ସୁରକ୍ଷା ଦେବାପାଇଁ ଏପରି କରାଯାଇଛି। ଯଦି ସବୁ କିଛି ଠିକ୍ ଅଛି, ତାହେଲେ ପୁଲିସ ସିସିଟିଭି ଫୁଟେଜ ଜାରି କଲେ ଅସୁବିଧା କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରକୃତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମୃତ ଯୁବତୀଙ୍କ ପରିବାରକୁ କ୍ଷତିପୂରଣ ଓ ଆହତ ଯବାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ଗତକାଲି ଠାରୁ ପୁଲିସ କମିସନରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ୭୨ ଘଣ୍ଟାରେ ଦାବି ପୂରଣ ନ ହେଲେ ନବୀନ ନିବାସ ଘେରାଉ ହେବ ବୋଲି ୟାସିର ଚେତାବନୀ ଦେଇଛନ୍ତି। ସେହିପରି ଆଇନଜୀବୀ ବନ ମହାନ୍ତି କହିଛନ୍ତି, ଘଟଣାକୁ ନେଇ ପୁଲିସ ଉପରେ ସନ୍ଦେହ ବଢ଼ିବାରେ ଲାଗିଛି। ସାରା ରାଜ୍ୟରେ କମିସନରେଟ ପୁଲିସ ବିରୋଧରେ ପ୍ରଶ୍ନ ଉଠିଥିବା ବେଳେ ସିସିଟିଭି ଫୁଟେଜ ସାର୍ବଜନୀନ କଲେ ଅସୁବିଧା କଣ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ସେହିପରି ବିଜେପି ମଧ୍ୟ ଘଟଣାକୁ ନେଇ ପୁଲିସ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି।

ସିସିଟିଭି ଦେଖାଇ ଦ୍ବନ୍ଦ୍ବ ଦୂର କରିଥିଲେ ତତ୍କାଳୀନ ପୁଲିସ କମିସନର ଆର.ପି ଶର୍ମା
୨୦୧୪ ଜୁଲାଇରେ ଭୁବନେଶ୍ବର ଓକିଲ ସଂଘର ଜଣେ ସଦସ୍ୟଙ୍କୁ ପୁଲିସ ମାଡ଼ ମାରିଥିବା ନେଇ ଅଭିଯୋଗ ଆସିବା ପରେ ରାଜଧାନୀରେ ସାଂଘାତିକ ଆଇନଶୃଙ୍ଖଳା ସୃଷ୍ଟି ହୋଇଥିଲା। ଘଟଣାକୁ ନେଇ ଓକିଲମାନଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ, ରାସ୍ତାରୋକ ହୋଇଥିଲା। ଏପରିକି ରାଜଧାନୀ ରାସ୍ତା ଉପରେ ଦୁର୍ବୃତ୍ତ ପୁଲିସ ଗାଡ଼ି ପୋଡ଼ି ଦେବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଘଟଣାକୁ ନେଇ ଅନେକ ସନ୍ଦେହ ମଧ୍ୟ ସୃଷ୍ଟି ହୋଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖି ଘଟଣାସ୍ଥଳ ଠାରୁ ଆରମ୍ଭ କରି ହସ୍ପିଟାଲ ପର୍ଯ୍ୟନ୍ତ ସିସିଟିଭି ଫୁଟେଜ ସଂଗ୍ରହ କରିଥିଲା ପୁଲିସ। ଏହାକୁ ଗଣମାଧ୍ୟମ ଜରିଆରେ ସାର୍ବଜନୀନ କରିଥିଲା। ଏହା ପରେ ଅନେକ ଦ୍ବନ୍ଦ୍ବ ଦୂର ହୋଇଥିଲା। ରେଞ୍ଜ ରୋଭର ଦୁର୍ଘଟଣା ମାମଲାରେ ଅନେକ ସନ୍ଦେହ ରହିଥିବା ବେଳେ ପୁଲିସ ଦ୍ବନ୍ଦ୍ବ ଦୂର ନ କରିବା ସାଧାରଣରେ ଅନେକ ପ୍ରଶ୍ନ ଛିଡ଼ା କରିଛି।