ରଙ୍ଗିଲା ରମେଶର ଗୁମର ଖୋଲିଲେ ପଞ୍ଜାବୀ ଅଧ୍ୟାପିକା: ଦ୍ବିତୀୟ ସ୍ତ୍ରୀଙ୍କୁ ଡାକିଥିଲା ଭାଉଜ

ଗୁରୁଦ୍ବାରରୁ ଠକିଛି ୧୧ ଲକ୍ଷ, ଆଉ ଏକ କାର୍‌ ଖୋଜୁଛି ପୁଲିସ

ଭୁବନେଶ୍ବର: ନକଲି ଡାକ୍ତର ରଙ୍ଗିଲା ରମେଶର ବହୁ ବଡ଼ବଡ଼ ଗୁମର ଖୋଲିଦେଇଛନ୍ତି ପଞ୍ଜାବୀ ଅଧ୍ୟାପିକା। ତାଙ୍କୁ ବିବାହ କରିବାକୁ ସେ ବହୁ ମିଛ କହିବା ସହ ଭଲ ଅଭିନୟ ବି କରିଥିଲା ବୋଲି ସେ କହିଛନ୍ତି। ତେବେ ନିଜ ଦ୍ବିତୀୟ ସ୍ତ୍ରୀ କମଳାଙ୍କୁ ଭାଉଜ ବୋଲି ଡାକିବା ଥିଲା ତା’ର ବଡ଼ ନିଖୁଣ ଅଭିନୟ। ପଞ୍ଜାବୀ ଅଧ୍ୟାପିକା ଆଜି ତଦନ୍ତକାରୀ ଟିମ୍‌କୁ ଦେଇଥିବା ଏହି ତଥ୍ୟ କମିସନରେଟ୍‌ ପୁଲିସ ମହଲରେ ବେଶ୍ ହାସ୍ୟରୋଳ ସୃଷ୍ଟି କରିଥିବା ଜଣାପଡ଼ିଛି। ଅଧ୍ୟାପିକାଙ୍କ ବୟାନ ଅନୁସାରେ ସେ ତାଙ୍କଠାରୁ ନଗଦ ୯.୫ ଲକ୍ଷ ଟଙ୍କା, କିଛି ଗହଣା ନେଇଥିବା ବେଳେ ଗୁରୁଦ୍ବାର ମେଡିକାଲ ଓ ନର୍ସିଂ କଲେଜ ଲାଇସେନ୍‌ସ କରାଇ ଦେବା ପାଇଁ ୧୧ଲକ୍ଷ ଟଙ୍କା ଠକି ନେଇଛି। ତେଣୁ ପୁଲିସ ତା’ଠାରୁ ଉକ୍ତ ୧୧ଲକ୍ଷ ଟଙ୍କା ଫେରାଇ ଗୁରୁଦ୍ବାରକୁ ଦେବା ପାଇଁ ସେ ନିବେଦନ କରିଛନ୍ତି।

ପଞ୍ଜାବୀ ଅଧ୍ୟାପିକାଙ୍କ ବୟାନ ଅନୁସାରେ, ୨୦୧୮ ସେପ୍ଟେମ୍ବରରେ ଏକ ମାଟ୍ରିମୋନି ସାଇଟ୍‌ରେ ସେ ରମେଶ ସହ ପରିଚିତ ହୋଇଥିଲେ। ସେତେବେଳେ ସେ ତାକୁ ଡାକ୍ତର ବିଧୁପ୍ରକାଶ ସ୍ବାଇଁ ବୋଲି ଜାଣିଥିଲେ। ବେଙ୍ଗାଲୁରୁରେ ସ୍ବାସ୍ଥ୍ୟ ବିଭାଗ ଉପମହାନିର୍ଦ୍ଦେଶକ ଥିଲା ବୋଲି କହିଥିଲା। ଏମିତିକି ବିଧୁ ନାଁରେ ସେ ଆଧାର କା‌ର୍ଡ, ପାନ୍ କାର୍ଡ ଓ ବିଧୁ ପ୍ରକାଶ ସ୍ବାଇଁ ନାଁରେ ଥିବା ମାରୁତି ସିଆଜ୍(ଓଡି୦୨-ଏଆର୍-୨୨୪୦) କାର୍‌ର ରେଜିଷ୍ଟ୍ରେସନ କାଗଜପତ୍ର, ସ୍ବାସ୍ଥ୍ୟ ବିଭାଗର ନକଲି ଆଇଡି ଓ ଜାଲ୍‌ ଚିଠି କାଗଜପତ୍ର ଦେଖାଇଥିଲା। ତାଙ୍କ ମନରେ ଅଧିକ ବିଶ୍ବାସ ଜନ୍ମାଇବା ପାଇଁ ରମେଶ ସ୍ବାଇଁ ବୋଲି ତା’ର ଜଣେ ଭାଇ ଆମେରିକାରେ ଡାକ୍ତର ଅଛନ୍ତି ବୋଲି କହିଥିଲା। ଦ୍ବିତୀୟ ପତ୍ନୀ କମଳାଙ୍କୁ ଭାଉଜ ବୋଲି ଡାକିଥିଲା। କମଳା ଇଫ୍‌କୋରେ ଡାକ୍ତର ବୋଲି କହିଥିଲା। ଏତେ ସବୁ ପ୍ରମାଣ ପାଇବା ପରେ ଅଧ୍ୟାପିକା ଫସି ଯାଇଥିଲେ ଓ ବିବାହ ପାଇଁ ରାଜି ହୋଇଥିଲେ। ଏହା ଭିତରେ ସେ ଖଣ୍ଡଗିରି ଶ୍ରୀକ୍ଷେତ୍ର ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌କୁ ଆସିଥିଲେ। ସେଠାରେ ରମେଶ ଓରଫ୍ ବିଧୁପ୍ରକାଶ, ତା’ ଭିଣୋଇ ଗଣେଶ୍ବର ବେହେରା, ତାଙ୍କ ଝିଅ ଓ ଘରୋଇ ସହାୟକ ଥିଲେ। ଡିସେମ୍ବରରେ ବିବାହ ହେବା ପାଇଁ ତାରିଖ ସ୍ଥିର ହୋଇଥିଲା। ନିଟ୍ କାଉନ୍‌ସେଲିଂ ଦାୟିତ୍ବ ପାଇଁ ସେ ବ୍ୟସ୍ତ ଥିବାରୁ ବିବାହ ପୂର୍ବ ଦିନ ପଞ୍ଜାବରେ ପହଞ୍ଚିବ ବୋଲି କହିଥିଲା। ଧାର୍ଯ୍ୟ ଦିନ ଅନୁସାରେ ୨୦୧୮ ଡିସେମ୍ବର ୪ରେ ସେମାନଙ୍କର ଗୁରୁଦ୍ବାରରେ ବିବାହ ହୋଇଥିଲା। ରମେଶ ସେଠାରେ ଗୋଟିଏ ଦିନ ରହି ପଳାଇ ଆସିଥିଲା। ୨୦୧୯ରେ ଡେରାବିଶ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସେମାନଙ୍କ ବିବାହ ରେଜିଷ୍ଟ୍ରେସନ ହୋଇଥିଲା। ସେଠାରେ ମଧ୍ୟ ଜାଲ୍‌ ପରିଚୟପତ୍ର ବ୍ୟବହାର କରିଥିଲା ରମେଶ।

ଏହା ଭିତରେ ସେ ଫାର୍ମ ହାଉସ୍ କରିବ ବୋଲି କହି ତାଙ୍କଠାରୁ ୯ ଲକ୍ଷ ଟଙ୍କା ଆଣିଥିଲା। ନଣନ୍ଦ ପୁଟୁଳି ବାବଦରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୫୦ ହଜାର ଟଙ୍କା ମଧ୍ୟ ଆଣିଥିଲା। ତେବେ ଗୁରୁଦ୍ବାର ମେଡିକାଲ ଓ ନର୍ସିଂ କଲେଜ ଲାଇସେନ୍ସ ଦେବାକୁ କହି ଗୁରୁଦ୍ବାର କମିଟିରୁ ୧୧ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲା। ଜାଲ୍‌ ପରିଚୟପତ୍ରରେ କିଣା ଯାଇଥିବା କାର୍‌ଟିକୁ ପୁଲିସ ଖୋଜୁଛି।

ସମ୍ବନ୍ଧିତ ଖବର