ସରିଲା ରଙ୍ଗିଲା ରମେଶର ରିମାଣ୍ଡ: ବିଫଳତା ବେଶି, ସଫଳତା କମ୍

ପୁଳା ପୁଳା ଅଫିସର ନିକିମା, ସମୟ ନଷ୍ଟ

ଅଭିଯୋଗକାରୀ ଯେତିକି ପ୍ରମାଣ ଯୋଗାଇଲେ ସେତିକିରେ ତଦନ୍ତ ସୀମିତ
ତୃତୀୟ ପର୍ଯ୍ୟାୟରେ କିଛି ତଥ୍ୟ ପାଇଲାନି ତଦନ୍ତକାରୀ ଟିମ୍
ଫେରାର ଦ୍ବିତୀୟ ପତ୍ନୀ, ଭିଣୋଇ, ଡ୍ରାଇଭର ପତ୍ତା ମିଳିଲାନି
ଜେଲକୁ ଫେରିଲା, ମିଛଧରା ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ବର: ରାଜ୍ୟରେ ପ୍ରାୟ ୨୫ ଦିନ ଧରି ହଇଚଇ ସୃଷ୍ଟି କରିଥିବା ନକଲି ଡାକ୍ତର ରମେଶ ସ୍ବାଇଁକୁ ତୃତୀୟ ପର୍ଯ୍ୟାୟରେ ୫ ଦିନ ଲାଗି ରିମାଣ୍ଡରେ ଆଣିଥିଲା ମହିଳା ଥାନା ପୁଲିସ। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୮ଦିନ ରିମାଣ୍ଡରେ ଆଣିଥିବା ବେଳେ ଶେଷ ପର୍ଯ୍ୟାୟ ଥିଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସ୍ପେସାଲ ସ୍କ୍ବାଡ୍, ମହିଳା ଥାନା ପୁଲିସ, ସାଇବର ଓ ଅର୍ଥନୈତିକ ଅପରାଧ ଥାନା ସହ ବଛା ବଛା ଅଫିସର ଲାଗିଥିଲେ। ଅତିରିକ୍ତ ଡିସିପିଙ୍କ ତତ୍ତ୍ବାବଧାନରେ ଚାଲିଥିଲା ତଦନ୍ତ ପ୍ରକ୍ରିୟା। କିନ୍ତୁ ସବୁ ଫସର ଫାଟିଯାଇଛି, ଫେଲ୍ ମାରିଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍। ଗଲା ୫ ଦିନ ଧରି ରମେଶକୁ ଜେରା କରୁଥିବା ପୁଲିସ ସେମିତି କିଛି ତଥ୍ୟ ପ୍ରମାଣ ହାସଲ କରିପାରି ନାହିଁ। ଯାହା ପ୍ରଶ୍ନ ପଚାରୁଥିଲା ରମେଶ ସବୁ ଫାଙ୍କି ଚାଲିଥିଲା।

ଖାଲି ସେତିକି ନୁହେଁ, ରମେଶର ପ୍ରମୁଖ ସହଯୋଗୀ ତଥା ଭାଗୀଦାର ଦ୍ବିତୀୟ ପତ୍ନୀ ଡାକ୍ତର କମଳା ତିର୍କୀ, ଭିଣୋଇ ଗଣେଶ୍ବର, ଡ୍ରାଇଭର ପପୁର ପତ୍ତା ବି ପାଇଲାନି। ସେହିପରି ରମେଶର ଠାବ ହୋଇଥିବା କାମାକ୍ଷାନଗର କୋଠା, ଖୁଣ୍ଟୁଣୀ ଫାର୍ମ ହାଉସ୍, କାର୍, ପାହାଳରେ ଜମି ବାଦ୍ ରାଜ୍ୟ ତଥା ବାହାରେ ଆଉ କେଉଁଠି ସମ୍ପତ୍ତି ରହିଛି? କେତେ ବ୍ୟାଙ୍କ ଆକାଉଣ୍ଟ ରହିଛି? ସବୁ ଆକାଉଣ୍ଟରେ ମୋଟ୍ କେତେ ଟଙ୍କା ରହିଛି? ନିଜେ ନକଲି ଡାକ୍ତର ସାଜି ଲୋକଙ୍କୁ ଚିକିତ୍ସା ବାହାନାରେ କେମିତି ଠକୁଥିଲା? ରାଜ୍ୟରେ ଆହୁରି କେତେ ଠକେଇ କରିଛି? ଏ ସବୁର ରହସ୍ୟ ଖୋଲିବାରେ ପୁଲିସ ବିଫଳ ହୋଇଛି।

ଅନ୍ୟପକ୍ଷରେ ଅଭିଯୋଗକାରୀମାନେ ଯେତିକି ତଥ୍ୟ ପ୍ରମାଣ ଦେଇଥିଲେ, ପୁଲିସ ତଦନ୍ତ ସେତିକିରେ ଅଟକି ଯାଇଛି। ଦିଲ୍ଲୀର ଶିକ୍ଷୟିତ୍ରୀ ଓ ଗୌହାଟୀର ଡାକ୍ତରାଣୀ ଯେଉଁ ତଥ୍ୟ ଦେଇଥିଲେ, ସେହି ଅନୁଯାୟୀ ପୁଲିସ ରମେଶର ଭଉଣୀ ରଶ୍ମିତାଙ୍କୁ ଗିରଫ କରିଥିଲା। କିନ୍ତୁ ସେ ନେଇଥିବା ବିପୁଳ ପରିମାଣର ସୁନା ଅଳଙ୍କାର, ଦାମୀ ଉପହାରରୁ ପୁଲିସ କାଣିଚାଏ ବି ଜବତ କରିପାରିନାହିଁ। କେବଳ ଆନ୍ଧ୍ରପ୍ରଦେଶ ବ୍ୟବସାୟୀଙ୍କୁ ପୁଲିସ ତାଙ୍କର ଲକ୍ଷାଧିକ ଟଙ୍କାର ଚାରା ଓ କୋଲକାତାର ବ୍ୟବସାୟୀଙ୍କୁ କୁକୁଡ଼ା ଅଣ୍ଡାରୁ ଚିଆଁ ଫୁଟା ମେସିନ୍ ଫେରାଇ ପାରିଛି ପୁଲିସ।

ମେଡିକାଲ ଆଡମିସନ୍‌ ନାଁରେ କେମିତି ଠକୁଥିଲା? କେମିତି ଚାକିରି ନାଁରେ ଠକେଇ କରୁଥିଲା? ସେ ସମ୍ପର୍କରେ ମଧ୍ୟ ସେମିତି କିଛି ତଥ୍ୟ ଯୋଗାଡ଼ ପୁଲିସ କରିପାରିଲା ନାହିଁ। କେବଳ ମୋବାଇଲ ଫୋନ୍ ଓ ଅଭିଯୋଗକାରୀଙ୍କ ତଥ୍ୟକୁ ହାସଲ କରି ଯେତିକି ପ୍ରମାଣ ଯୋଗାଡ଼ କରାଯାଇଛି, ତଦନ୍ତକାରୀ ଟିମ୍‌କୁ ସେତିକିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟ ଥାନାରେ ଥିବା ମାମଲାର ତଦନ୍ତକାରୀ ଅଧିକାରୀମାନେ ମଧ୍ୟ ସେମିତି କିଛି ତଥ୍ୟ ପ୍ରମାଣ ଯୋଗାଡ଼ କରି ପାରିନାହାନ୍ତି। ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ କେବଳ ସମୟ ନଷ୍ଟ କରିବା ଛଡ଼ା ଅନ୍ୟ କିଛି ଲାଭ ମିଳିଲା ନାହିଁ। ଆଜି ୫ଦିନିଆ ରିମାଣ୍ଡ ଶେଷ ହେବା ପରେ ରମେଶକୁ କୋର୍ଟରେ ହାଜର ପରେ ଜେଲ୍ ପଠାଇ ଦିଆଯାଇଛି। ଅପରପକ୍ଷରେ ରମେଶର ମିଛଧରା ପରୀକ୍ଷା ପାଇଁ କୋର୍ଟରେ ରିମାଣ୍ଡ ଆବେଦନ କରାଯାଇଥିବା ଜଣାପଡ଼ିଛି।

ଦ୍ବିତୀୟ ପତ୍ନୀଙ୍କ ସହ ଟାଣୁଥିଲା ରଥ: ଭାଇରାଲ୍ ହେଲା ଭିଡିଓ

ରମେଶ ଖାଲି ଯେ ଠକେଇ କରୁଥିଲା, ତା’ ନୁହେଁ, ଧାର୍ମିକ କାର୍ଯ୍ୟରେ ସମୟ ଦେଉଥିଲା। ରଥ ଯାତ୍ରାରେ ରଥ ଟାଣୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏକୁଟିଆ ନୁହେଁ ବରଂ ଦ୍ବିତୀୟ ପତ୍ନୀଙ୍କ ସହ ମିଶି ରଥ ଟାଣୁଥିବା ଭିଡିଓ ଦେଖିବାକୁ ମିଳିଛି। ଏହା କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ନୂଆଦିଲ୍ଲୀର ବୋଲି ଅନୁମାନ କରାଯାଉଛି। ସେହିପରି ଭିଡିଓଟି କେଉଁ ବର୍ଷର ତାହା ମଧ୍ୟ ଜଣାପଡ଼ି ନାହିଁ। ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। କେବଳ ଏତିକି ଭିଡିଓ ନା ଆହୁରି ରହିଛି ତାକୁ ନେଇ ଖୋଳତାଡ଼ ଚଳାଇଛି ପୁଲିସ।

କାନ୍ଦୁଥିଲା, ସାଲାଇନ୍ ଲଗାଇ ଭିଡିଓ ପଠାଉଥିଲା

ଭିଡିଓ ଦେଖି ସବୁ ପତ୍ନୀଙ୍କ ମନ ତରଳି ଯାଉଥିଲା

ବ୍ଲାକମେଲ୍‌ କରି ଲୁଟିବା ଥିଲା ଯୋଜନା

ଏମିତି କାନ୍ଦୁଥିଲା ଯେ, ଆଖିରୁ ଲୁହ ଶୁଖୁ ନ ଥିଲା। ହାତରେ ଲୁହ ପୋଛି ସକେଇ ହେଉଥିଲା। ସବୁ ପତ୍ନୀଙ୍କ ପାଖକୁ ଭିନ୍ନ ଭିନ୍ନ ସମୟରେ ହ୍ବାଟ୍‌ସଆପରେ ଭିଡିଓ ପଠାଉଥିଲା। ସେଥିରେ ଲେଖୁଥିଲା ମୁଁ ତୁମର। ଏହି ଭିଡିଓକୁ ଦେଖି ପତ୍ନୀମାନଙ୍କର ମନ ତରଳି ଯାଉଥିଲା। ସୁଯୋଗକୁ ଅପେକ୍ଷା କରି ରହିଥିବା ଧୂର୍ତ୍ତ ରମେଶ ବ୍ଲାକମେଲ୍‌ କରି ଶାରୀରିକ ସମ୍ପର୍କ ରଖୁଥିଲା, ଟଙ୍କା ଓ ସୁନା ଗହଣା ଲୁଟୁଥିଲା। ଖାଲି ସେତିକି ନୁହେଁ, ଖଟରେ ଶୋଇ ରହି ହାତରେ ମିଛରେ ସାଲାଇନ୍ ଲଗାଇବା ଫଟୋ ବି ପଠାଉଥିଲା। ସହାନୁଭତି ହାତେଇବା ପାଇଁ ଏ ସବୁ କରୁଥିଲା। ରମେଶ ମୋବାଇଲ ଫୋନରୁ ତଦନ୍ତକାରୀ ଟିମ୍‌ ଏଭଳି କିଛି ଭିଡିଓ ପାଇବା ପରେ ପୂରା ଘଟଣା ପଦାକୁ ଆସିଛି। ଏହାକୁ ନେଇ ପୁଲିସ ପଚରାଉଚରା ମଧ୍ୟ କରିଛି। କିନ୍ତୁ ରମେଶ ପୁରୁଣା ଷ୍ଟାଇଲରେ ସବୁ ଫାଙ୍କି ଦେଇଛି।

ସମ୍ବନ୍ଧିତ ଖବର