କ୍ୟାମ୍ପସ୍‌ରେ ଛାତ୍ରଙ୍କୁ ର‍୍ୟାଗିଂ

ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଲେ, ଭିଡିଓ ସୁଟିଂ କରି ଅପଲୋଡ୍‌ କଲେ

ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ ଅଳସୁଆ ଅଞ୍ଚଳରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜ୍‌ରେ ର‍୍ୟାଗିଂ ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ କଲେଜର ପ୍ରଥମ ବର୍ଷ ଛାତ୍ରଙ୍କୁ ଶେଷବର୍ଷ ଛାତ୍ରମାନେ ମିଳିମିଶି କ୍ୟାମ୍ପସ୍‌ରେ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଛନ୍ତି। ଜଣେ ଛାତ୍ର ଏହାର ଭିଡିଓ ସୁଟିଂ କରି ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଦେଇଥିବା ଜଣାପଡ଼ିଛି। ତେବେ ଏହି ଭିଡିଓ ଦେଖି ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା। ସୂଚନା ଅନୁଯାୟୀ ଗତକାଲି କୌଣସି ଏକ ଘଟଣାକୁ କେନ୍ଦ୍ରକରି କଲେଜ ମଧ୍ୟରେ ନୂଆ ଓ ପୁରୁଣା ଛାତ୍ରମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଏହି ଘଟଣାରୁ ଦୁଇ ଛାତ୍ରଗୋଷ୍ଠୀ ପରସ୍ପର ମଧ୍ୟରେ ମାରପିଟ୍‌ କରିବା ପାଇଁ ଆଗେଇ ଆସିଥିଲେ। ତେବେ ଆଜି ସକାଳେ କିଛି ସମୟପାଇଁ କ୍ଲାସ୍‌ ବନ୍ଦଥିବା ବେଳେ ହଠାତ୍‌ କିଛି ଛାତ୍ର ପୁଣି ସେହି ପୂର୍ବକଥାକୁ ମନେପକାଇ ନୂଆ ଛାତ୍ରମାନଙ୍କୁ ର‍୍ୟାଗିଂ କରିବା ଆରମ୍ଭ କରିଦେଇଥିଲେ। ଫଳରେ ଗଣ୍ଡଗୋଳ ଲଙ୍କାକାଣ୍ଡ ରୂପ ନେଇଥିଲା। ଛାତ୍ରମାନେ କଲେଜ୍‌ କ୍ୟାମ୍ପସ୍‌ରେ ଫୁଲ ଗଛକୁଣ୍ଡ ଓ ଆସବାପତ୍ରକୁ ପରସ୍ପର ମଧ୍ୟରେ ଫୋପଡ଼ା ଫିଙ୍ଗା କରିଥିଲେ। ତେବେ ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଛୋଟ ଘଟଣା ବୋଲି ଅନୁଷ୍ଠାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର