ଅବିରରେ ରଙ୍ଗେଇ ହେଲେ ଗ୍ରାମବାସୀ

ଜମିଲା ଦୋଳ ମେଳଣ, ଶ୍ୟାମପୁର ଉତ୍ସବମୁଖର

ଖଣ୍ଡଗିରି: ରଙ୍ଗର ପର୍ବ ହୋଲିର ଅବ୍ୟବହିତ ପୂର୍ବରୁ ରାଜଧାନୀରେ ଆରମ୍ଭ ହୋଇଛି ଅବିର ଖେଳ। ଫଗୁ ଦଶମୀ ତିଥି ଅବସରରେ ଭୁବନେଶ୍ୱର ମହାନଗର ନିଗମ ୨୩ ନମ୍ବର ଓ୍ଵାର୍ଡ ଶ୍ୟାମପୁର ଗାଁରେ ଆରମ୍ଭ ହୋଇଥିବା ଦୋଳ ମେଳଣର ଉଦ୍‌ଯାପନୀ ଦିବସରେ ଆଜି ଗ୍ରାମବାସୀମାନେ ଅବିରରେ ରଙ୍ଗେଇ ହୋଇଛନ୍ତି। ଧୂମ୍‌ଧାମ୍‌ରେ ଆଜି ପାଳିତ ହୋଇଯାଇଛି ଗାଁର ଦୋଳ ମେଳଣ ଓ ଅବିର ଖେଳ। ଗତ ଦୁଇ ଦିନ ଧରି ଗାଁର ଆରାଧ୍ୟ ଦେବତା ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଦୋଳ ମେଳଣ ଚାଲିଥିଲା। ପରମ୍ପରା ଅନୁସାରେ ଦଶମୀରୁ ଦ୍ୱାଦଶୀ ତିଥି ପର୍ଯ୍ୟନ୍ତ ଏହି ପର୍ବ ଚାଲେ। ଆଖପାଖ ୨୬ଖଣ୍ଡ ଗ୍ରାମର ଠାକୁରମାନେ ଅତିଥିଭାବେ ନିମନ୍ତ୍ରିତ ହୋଇ ସୁସଜ୍ଜିତ ବିମାନରେ ଏଠାକୁ ଆସନ୍ତି। ଚଳିତ ବର୍ଷ ମଧ୍ୟ ୨୬ ଅତିଥି ଠାକୁରଙ୍କୁ ନେଇ ଏହି ମେଳଣ ଅନୁଷ୍ଠିତ ହୋଇଥିଲା। ଦୁଇ ରାତି ଧରି ତ୍ରିନାଥ ଗଣନାଟ୍ୟ ଏଠାରେ ଅପେରା ପ୍ରଦର୍ଶନ କରିଥିଲା। ଆଜି ଥିଲା ଉଦ୍‌ଯାପନୀ ଦିବସ। ବିଧି ଅନୁସାରେ ମେଳଣ ପଡ଼ିଆରେ ଅତିଥି ଠାକୁରମାନଙ୍କୁ ଭୋଗ ଲାଗି କରାଯିବା ପରେ ହରିହର ଭେଟ ପର୍ବ ଅନୁଷ୍ଠିତ ହୋଇଥିଲା। ହରିହର ଭେଟ ବେଳେ ଲୋକେ ମାତି ଯାଇଥିଲେ ଅବିର ଖେଳରେ। ଛୋଟରୁ ବଡ଼, ମହିଳାଙ୍କଠାରୁ ପୁରୁଷଙ୍କ ପର୍ଯ୍ୟନ୍ତ ସମସ୍ତେ ବିମାନଗୁଡ଼ିକରେ ଅବିର ଲାଗି କରିବା ସହ ନିଜ ନିଜ ଭିତରେ ରଙ୍ଗ ବୋଳି ମଜା ଉଠାଇଥିଲେ। ଅପରାହ୍ଣ ପର୍ଯ୍ୟନ୍ତ ଲାଗି ରହିଥିଲା ଏହି ଯାତ୍ରା। ବେଶ୍‌ ଶାନ୍ତିଶୃଙ୍ଖଳାର ସହ ଅବିର ଖେଳ ସମାହିତ ହୋଇଥିଲା।

ରାସାୟନିକ ରଙ୍ଗ ଦୋକାନରେ ପୁଲିସର ଚଢ଼ଉ, ଜରିମାନା ଆଦାୟ

ଭୁବନେଶ୍ୱର: କମିସନରେଟ୍‌ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରେ ବିକ୍ରି ହେଉଥିବା ରାସାୟନିକ ରଙ୍ଗ ଦୋକାନରେ ଚଢ଼ଉ କରିଥିଲା। ଚଢ଼ଉ କରି ଦୋକାନୀମାନଙ୍କୁ ନୋଟିସ୍‌ କରିବା ସହିତ ସେମାନଙ୍କଠାରୁ ପୁଲିସର ଅର୍ବାନ ଆକ୍ଟ ଅନୁଯାୟୀ ଫାଇନ୍‌ ଆଦାୟ କରିଛି। ଏପରିକି ଦୋକାନୀମାନଙ୍କୁ ତାଗିଦ କରାଯାଇଛି ଏଭଳି ରାସାୟନିକ ରଙ୍ଗ ନ ବିକ୍ରି କରିବାକୁ।କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଏଭଳି ରାସାୟନିକ ରଙ୍ଗ ବିକ୍ରି ନ କରିବା ପାଇଁ ସଚେତନତା କରାଯାଉଛି। ଏହା ବଦଳରେ ହର୍ବାଲ ରଙ୍ଗରେ ହୋଲି ଖଳିବାକୁ କୁହାଯାଉଛି। ଏପରିକି ରାସାୟନିକ ରଙ୍ଗ ବିକ୍ରି ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ମଧ୍ୟ ନିର୍ଦେଶ ହୋଇଥିଲା। କିନ୍ତୁ ହୋଲି ପୂର୍ବରୁ ରାଜଧାନୀର ବିଭିନ୍ନ ସ୍ଥାନରେ ରାସାୟନିକ ରଙ୍ଗ ବିକ୍ରି ଆରମ୍ଭ ହୋଇ ଯାଇଥିବାରୁ ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା। କ୍ୟାପିଟାଲ, ଲକ୍ଷ୍ମୀସାଗର, ବଡ଼ଗଡ଼ ଓ ଶ୍ରୀଲିଙ୍ଗରାଜ ଥାନା ଅଧୀନରେ ଏଭଳି ଚଢ଼ଉ ଜୋରଦାର କରାଯାଇଥିଲା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ପାଖାପାଖି ୩୮ଟି ରଙ୍ଗ ଦୋକାନରେ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା।

ନିଆରା ଢଙ୍ଗରେ ଦୋଳ ପାଳିଲା ‘ଧର୍ମପଦ’
ବାରଙ୍ଗ: ପଞ୍ଚୁପାଳ ଗ୍ରାମରେ ନିଆରା ଢଙ୍ଗରେ ଦୋଳ ପର୍ବ ପାଳନ କରିଛି ଧର୍ମପଦ ଅନୁଷ୍ଠାନ। ପଣ୍ଡିତ ଶେଷଦେବ ଷଡ଼ଙ୍ଗୀଙ୍କ ଆବାହକତ୍ୱରେ ପଞ୍ଚୁପାଳ, କାନପୁର, ମଧୁସୂଦନପୁର, କଣ୍ଟାପାଟଣା ଓ ଶ୍ରୀବନ୍ତପୁର ଗ୍ରମବାସୀଙ୍କୁ ନେଇ ଗଠିତ ‘ଧର୍ମପଦ’ ଅନୁଷ୍ଠାନ ଦ୍ୱାଦଶୀ ତିଥି ମଙ୍ଗଳବାରକୁ ଭାଇଚାର ଦିବସ ଭାବେ ପାଳନ କରିଛି। ଦ୍ୱିତୀୟ ବାର୍ଷିକ ଉତ୍ସବରେ ବରିଷ୍ଠ, ଯୁବକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ବିଶାଳ ସମାବେଶ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ବ୍ୟକ୍ତି, କୃତୀ ଛାତ୍ରଛାତ୍ରୀ, କଳାକାର ଓ ସମାଜସେବୀଙ୍କୁ ଉତ୍ସାହିତ କରାଯାଇଥିଲା। ଗାଁର ଭାଇଚାର ବଜାୟ ରଖି ସମାଜ ମଙ୍ଗଳ କାର୍ଯ୍ୟକ୍ରମମାନ କରିବାକୁ ସଂଗଠନ ନିଷ୍ପତ୍ତି ନେଇଛି। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କାରାଯାଇଥିଲା।

ଉପକଣ୍ଠରେ ଜମୁଛି ଦୋଳଯାତ୍ରା
ଖୋଲା ମଞ୍ଚରେ କୋଣାର୍କ, କଳିଙ୍ଗ, ଗୌରୀ ଓ ରଙ୍ଗମହଲ

ଚନ୍ଦ୍ରଶେଖରପୁର: ଦୋଳଯାତ୍ରା ପାଇଁ ଏବେ ରାଜଧାନୀ ଉପକଣ୍ଠ ଉତ୍ତର ଭୁବନେଶ୍ୱର ହୋଇ ଉଠିଛି ଚଳଚଞ୍ଚଳ। ସବୁ ଗ୍ରାମାଞ୍ଚଳଗୁଡ଼ିକର ଦୋଳ ମଣ୍ଡପରେ ଚାଲିଛି ଫ୍ରିସେଲ୍‌ ଅପେରା। ବିନା ଟିକେଟ୍‌ରେ ଖୋଲା ମଞ୍ଚରେ ଅପେରା ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି। ଦୋଳ ଯାତ୍ରା ସାଙ୍ଗକୁ ନାମୀଦାମୀ ଅପେରା ଯୋଗୁଁ ଏବେ ଉପକଣ୍ଠ ଗ୍ରାମାଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଆଖପାଖ ଗ୍ରାମଞ୍ଚଳରେ ବିଭିନ୍ନ ଛୋଟ ବଡ଼ ଅପେରା ପାର୍ଟି ପଡ଼ିଥିବା ବେଳେ ପଟିଆ ଗ୍ରାମରେ କୋଣାର୍କ ଗଣନାଟ୍ୟ, ଡମଣାରେ କଳିଙ୍ଗ ଗଣନାଟ୍ୟ, ରଙ୍ଗମାଟିଆରେ ଗୌରୀ ଅପେରା ଓ ଗାଡ଼କଣରେ ରଙ୍ଗମହଲ ଅପେରା ବୋବାଲ କରୁଛି। ଉତ୍ତର ଭୁବନେଶ୍ୱର ଗ୍ରାମଞ୍ଚଳଗୁଡ଼ିକରେ ବର୍ତ୍ତମାନ ମୋଟ ୭ଟି ସ୍ଥାନରେ ଅପେରା ପାର୍ଟି ଯାତ୍ରା ପ୍ରଦର୍ଶନ କରୁଛନ୍ତି। ସନ୍ଧ୍ୟାରେ ଦୋଳ ବିମାନରେ ବୁଲି ବୁଲି ଠାକୁର ଭୋଗ ଖାଉଥିବାବେଳେ ରାତି ପ୍ରାୟ ସାଢ଼େ ଏଗାରଟାରୁ ଅପେରା ଆରମ୍ଭ ହେଉଛି। ପ୍ରଥମେ ଦର୍ଶକଙ୍କ ମନୋରଂଜନ ପାଇଁ ଅପେରା ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ହେଉଛି। ଏହାକୁ ଦେଖିବାପଇଁ ଦର୍ଶକଙ୍କ ଭିଡ଼ ଜମୁଛି। ଖଣ୍ଡଗିରି ଯାତ୍ରାରେ ଏସବୁ ଅପେରା ଦେଖିବାରୁ ବଞ୍ଚିତ ହୋଇଥିବା ଦର୍ଶକ ଏବେ ଦୋଳଯାତ୍ରାରେ ମାଗଣାରେ ଅପେରା ଦେଖିବାର ମଜା ଉଠାଉଛନ୍ତି। ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି, ଚନ୍ଦକା ଓ ନନ୍ଦନକାନନ ଥାନା ପୁଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ରାତିରେ ପାଟ୍ରୋଲିଂ କଡ଼ାକଡ଼ି କରିଛି।

ସମ୍ବନ୍ଧିତ ଖବର