ଚନ୍ଦ୍ରଶେଖରପୁର: କରୋନା ମୁକ୍ତ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ଜୀବନ କାମନା କରି ଜଲିଉଡ୍ କଳାକାର ରାଣୀ ପଣ୍ଡା ଅଖଣ୍ଡ ଦୀପ ଜାଳିଛନ୍ତି। ନିଜ ଘରେ ଆୟୋଜନ କରିଥିବା ଏକ ହୋମ ଯଜ୍ଞରେ ସେ ସମଗ୍ର ଓଡ଼ିଶାବାସୀଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି। ଆଜି ସକାଳେ ପୁରୁଣା ଭୁବନେଶ୍ବର ସାମାନ୍ତରାୟପୁରସ୍ଥିତ ନିଜ ଭଡ଼ା ଘରେ ଏହି ଯଜ୍ଞ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଦୁଇ ଜଣ ବ୍ରାହ୍ମଣ ମନ୍ତ୍ର ପାଠ କରିଥିଲେ ଓ ରାଣୀ ଏହି ହୋମର ପୁରୋଧା ସାଜିଥିଲେ। କରୋନା କଟକଣାର ସମସ୍ତ ନିୟମ ପାଳନକୁ ସେ ଗୁରୁତ୍ବ ଦେଇଥିଲେ। ପାଖାପାଖି ୩ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଯଜ୍ଞରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ଅଖଣ୍ଡ ଦୀପରେ ଅଗ୍ନି ସଂଯୋଗ କରାଯାଇଥିଲା।
ଏହା ପୂର୍ବରୁ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିବା ଓଡ଼ିଆ ଆଲବମ୍ କୁଇନ୍ ଦୀପା ସାହୁଙ୍କୁ ଭେଟିଥିଲେ ବିବାଦୀୟ ଯାତ୍ରା କଳାକାର ରାଣୀ ପଣ୍ଡା। ସେ କ୍ୟାପିଟାଲ ହସ୍ପିଟାଲ ଯାଇ ଦୀପାଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଏହାସହ ତାଙ୍କ ଚିକିତ୍ସା ପାଇଁ କିଛି ଆର୍ଥିକ ସହାୟତା କରିଥିଲେ। ହସ୍ପିଟାଲ ଭିତରର ଏକ ଫଟୋ ରାଣୀଙ୍କ ଫେସ୍ବୁକ୍ ଫ୍ୟାନ୍ ପେଜ୍ରେ ସେୟାର୍ ହୋଇଥିଲା, ଯେଉଁଥିରେ ଦୀପାଙ୍କ ସହ ସେଲ୍ଫି ନେଉଥିଲେ ରାଣୀ। ଏପରି ବଦାନ୍ୟତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ଫ୍ୟାନ୍।
କେବଳ ଦୀପା ନୁହେଁ, କିଛି ଦିନ ତଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଅଭିନେତା ବିଜୟ ମହାନ୍ତିଙ୍କୁ ମଧ୍ୟ ରାଣୀ ଭେଟିଥିଲେ। ତାହାର ଏକ ଫଟୋ ମଧ୍ୟ ରାଣୀଙ୍କ ଫ୍ୟାନ୍ ପେଜ୍ରେ ସେୟାର କରାଯାଇଥିଲା। ଫଟୋରେ ସେ ବିଜୟ ମହାନ୍ତିଙ୍କ ଧର୍ମପତ୍ନୀ ତନ୍ଦ୍ରା ରାୟଙ୍କ ସହ ଠିଆ ହୋଇଛନ୍ତି। ସେହିପରି କରୋନା ମହାମାରୀ ସହ ଲଢ଼େଇରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି ରାଣୀ ଚର୍ଚ୍ଚାକୁ ଆସିଥିଲେ।