ରହସ୍ୟ‌ଘେରରେ ରଞ୍ଜିତାଙ୍କ ମୃତ୍ୟୁ: ହତ୍ୟା ପରେ ଆତ୍ମହତ୍ୟାର ରୂପ

ଶୁଣୁନି ଦିଲ୍ଲୀ ପୁଲିସ

ଭୁବନେଶ୍ବର: ଦୀର୍ଘ ବର୍ଷ ହେଲା ‌ଯୌତୁକ ନିର୍ଯାତନା ଦେଇ ଆସୁଥିବା ସ୍ବାମୀ ଓ ପରିବାର ଲୋକେ ମିଳିତ ଭାବେ ରଞ୍ଜିତାଙ୍କୁ ହତ୍ୟା କରିଛନ୍ତି। ମାତ୍ର ଏହାକୁ ଏକ ଆତ୍ମହତ୍ୟାର ରଙ୍ଗ ଦେଇ ସେମାନେ ଖସିଯିବାକୁ ବସିଛନ୍ତି। ଏଥିରେ ଦିଲ୍ଲୀ ପୁଲିସ ଅଭିଯୁକ୍ତମାନଙ୍କୁ ସହଯୋଗ କରୁଛି। ରଞ୍ଜିତାଙ୍କ ପରିବାର ଲୋକଙ୍କର ଓଡ଼ିଶାରୁ ଯାଇ ଦିଲ୍ଲୀରେ ଆଇନଗତ ଲଢ଼େଇ କରିବାର ସାମର୍ଥ୍ୟ ନଥିବାରୁ ଅଭିଯୁକ୍ତମାନେ ଖସିଯିବାକୁ ବସିଛନ୍ତି। ବିଚରା ବୃଦ୍ଧ ବାପା ଏବେ ଦୋଷୀମାନଙ୍କୁ ଦଣ୍ଡ ଦେବା ସହ ତାଙ୍କ ଝିଅକୁ ନ୍ୟାୟ ଦେବା ଆଶାରେ କୌଣସି ସଂଗଠନ ବା ବ୍ୟକ୍ତିବିଶେ‌ଷଙ୍କ ସହଯୋଗ ଲୋଡ଼ୁଛନ୍ତି।

ସୂଚନା ଅନୁଯାୟୀ, ଡୁମୁଡୁମା ଖଣ୍ଡୁଆଳ ନଗରରେ ରହୁଥିବା ରମାକାନ୍ତ ସାହୁଙ୍କ ଝିଅ ରଂଜିତା ପ୍ରିୟଦର୍ଶିନୀ ସାହୁ (୩୭) ୨୦୦୩ ମସିହାରେ ବାଲେଶ୍ବର ସଦର ଥାନା ଅନ୍ତର୍ଗତ ସତ୍ୟନଗର ବାସିନ୍ଦା ଜଗନ୍ନାଥ ବେହେରାଙ୍କ ପୁଅ ଡା. ବି. ଅମିତାଭ୍‌ଙ୍କୁ ବିବାହ କରିଥିଲେ। ସେମାନଙ୍କର ୧୩ ବର୍ଷ ବୟସର ଏକ ପୁଅ ରହିଛି। କିନ୍ତୁ ରମାକାନ୍ତଙ୍କ ଅଭିଯୋଗ ଅନୁସାରେ ବିବାହ ପରଠାରୁ ତାଙ୍କ ଜ୍ବାଇଁ, ସମୁଦି ଓ ସମୁଦୁଣି ସମସ୍ତେ ରଂଜିତାଙ୍କୁ ନିର୍ଯାତନା ଦେଇଆସୁଥିଲେ। ଯୌତୁକ ପାଇଁ ଅଧିକ ଟଙ୍କା ଦାବି କରି ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିଲା। ଅମିତାଭ୍‌ ଦିଲ୍ଲୀରେ ସରକାରୀ ହୋମିଓପାଥିକ୍ ଡାକ୍ତର ଭାବେ ନିଯୁକ୍ତି ପାଇବା ପରେ ସେମାନେ ଦିଲ୍ଲୀରେ ରହୁଥିଲେ। ମାତ୍ର ଅମିତାଭ୍‌ଙ୍କ ବାପା ଜଗନ୍ନାଥ ଓ ମା’ ଗୌରୀ ‌ଯେତେଥର ଦିଲ୍ଲୀ ଯାଆନ୍ତି, ସେତେଥର ସମସ୍ତେ ମିଶି ରଂଜିତାଙ୍କୁ ଅଧିକ ନିର୍ଯାତନା ଦେଉଥିଲେ। ଗତ ୨୭ ତାରିଖରେ ହଠାତ୍ ରମାକାନ୍ତ ଫୋନ୍‌ ପାଇଲେ ଯେ ରଂଜିତା ଖୁବ୍ ଅସୁସ୍ଥ ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରଦିନ ସକାଳେ ରମାକାନ୍ତ ଓ ତାଙ୍କ ପୁଅ ରଂଜିତ୍ ଦିଲ୍ଲୀରେ ପହଞ୍ଚିବା ବେଳକୁ ରଂଜିତାଙ୍କ ମୃତଦେହ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିଲା। ଭରତନଗର ଥାନା ପୁଲିସ ପୂର୍ବ ଦିନ ରାତିରେ ଶବ ଜବତ କରି ନେଇଥିଲା ଓ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ପୁଲିସ ଯେଉଁ ଫଟୋ ଦେଖାଇଥିଲା, ସେଥିରୁ ରମାକାନ୍ତଙ୍କ ସନ୍ଦେହ ଆହୁରି ଦୃଢ଼ୀଭୂତ ହୋଇଥିଲା। ଫ୍ୟାନ୍‌ରେ ଝୁଲୁଥିବା ରଂଜିତାଙ୍କ ଗୋଡ଼ ଖଟ ଉପରେ ମୋଡ଼ି ହୋଇ ଲାଗି ରହିଥିଲା। ପୁଣି ଘରେ ଅମିତାଭ୍‌, ବାପା ଜଗନ୍ନାଥ ଓ ମା’ ଗୌରୀ ଆଦି ଏତେ ଲୋକ ଥାଉ ଥାଉ ସନ୍ଧ୍ୟା ବେଳଟାରେ ରଂଜିତା ଆତ୍ମହତ୍ୟା କଲେ କିପରି ଓ କେହି କିଛି ଜାଣିପାରିଲେ ନାହିଁ କେମିତି, ରମାକାନ୍ତ ପ୍ରଶ୍ନ କରିଛନ୍ତି। ତେବେ ଗତ ୨୭ ତାରିଖ ଦିନ ରଂଜିତା ଫୋନ୍‌ ଯୋଗେ ନିଜ ବାପା ଓ ଭୁବନେଶ୍ବରରେ ରହୁଥିବା ଜଣେ ସାଙ୍ଗଙ୍କ ସହ କଥା ହୋଇଥିଲେ। ଦିନ ସାରା ସେ ବେଶ୍ ଖୁସି ଥିଲେ। ତେଣୁ ସନ୍ଧ୍ୟା ବେଳେ କ’ଣ ଏମିତି ଘଟିଲା ଯେ ସେ ଆତ୍ମହତ୍ୟା କରି ବସିବେ? ଦିଲ୍ଲୀ ପୁଲିସ ରଂଜିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ଗ୍ରହଣ କରିଥିଲେ ମଧ୍ୟ ଏତଲା ହୋଇନଥିବା ଜଣାପଡ଼ିଛି। ପୀଡ଼ିତାଙ୍କ ପରିବାର ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର