ବାପା-ମା’ ଛେଉଣ୍ଡ ରଂଜିତାଙ୍କ ଗୁହାରି, ମୁଖ୍ୟମନ୍ତ୍ରୀ ମହୋଦୟ, ମୁଁ ପଢ଼ିବି..

ଭୁବନେଶ୍ବର : ସ୍ବପ୍ନ ଥିଲା ବହୁତ ପାଠ ପଢ଼ିବେ। କିଛି କରି ଦେଖାଇବେ। ହେଲେ ତାଙ୍କ ପରିବାରକୁ ଧସେଇ ପଶି ଆସିଥିଲା କ୍ୟାନ୍ସର। ଜଣକ ପ‌ରେ ଜଣେ ହୋଇ ଉଭୟ ବାପା ମା’ କ୍ୟାନ୍ସରରେ ମୃତ୍ୟୁ ବରଣ କଲେ। ଏ ଝଡ଼ ପରେ ତାଙ୍କ ପାଠରେ ‌ଡୋରି ବନ୍ଧା ହେଲା। ‌ହେଲେ ପାଠ ବିନା ଯେ ସେ ଆଗକୁ ବଢ଼ିପାରିବେନି, ଭାବିବା ବେଳକୁ ତାଙ୍କ ସ୍କୁଲ୍‌ ପଢ଼ା ବୟସ ଅତିକ୍ରାନ୍ତ ହୋଇଯାଇଛି। ତଥାପି ଇଚ୍ଛା, ସେ ପାଠ ପଢ଼ି ସ୍ବାବଲମ୍ବୀ ହେବେ। କିନ୍ତୁ ଏ ଇଚ୍ଛାକୁ ସାକାର କରିବା ପାଇଁ ନା ତାଙ୍କ ପାଖେ ସମ୍ବଳ ଅଛି ନା ଆଗକୁ ପଛକୁ କେହି ଅଛି। ଏହି ଦୁର୍ଦ୍ଦିନ ମଧ୍ୟରେ ଗତି କଲା‌ ବେଳେ ରଂଜିତା ବିଶ୍ବାଳଙ୍କର ଇଚ୍ଛା ସେ ପଢ଼ି ନିଜକୁ ସଶକ୍ତ କରିବେ। ତେଣୁ ୨୧ ବର୍ଷ ବୟସରେ ରଂଜିତା ଚାକିରି ନୁହେଁ, ବରଂ ପଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଲୋଡ଼ିଛନ୍ତି।

ଖୋର୍ଧାର ହରିକୁଣ୍ଡବରଡ଼ିର ସ୍ବର୍ଗତ ଅମିୟ ବିଶ୍ବାଳ ଓ କୁମାରୀ ବିଶ୍ବାଳଙ୍କ ୪ ଝିଅ ମଧ୍ୟରେ ସବା ସାନ ଝିଅ ହେଉଛନ୍ତି ରଂଜିତା। ୩ ଭଉଣୀ ବାହା ହୋଇ ସାରିଥିବା ବେଳେ ରଂଜିତାଙ୍କ ମା’ ରକ୍ତ କର୍କଟ ସହ ଲଢ଼େଇ କରି ଶେଷରେ ୨୦୧୭ ମସିହା ସେପ୍ଟେମ୍ବରରେ ମୃତ୍ୟୁ ବରଣ କଲେ। ମା’କୁ ହରାଇ ଅଲିଅଳ ରଂଜିତାଙ୍କ ଆଖିରୁ ଲୁହ ଶୁଖିନଥିବା ବେଳେ ୨୦୧୮ ମସିହା ଅକ୍ଟୋବରରେ ବାପା ଅମିୟ ବିଶ୍ବାଳ ବି କ୍ୟାନ୍ସରରେ ଆରପାରିକୁ ଚାଲିଗଲେ। ବ‌ାଧ୍ୟ ହୋଇ ରଂଜିତା ଦାଦା ଖୁଡ଼ିଙ୍କ ପାଖରେ ଭାଗ୍ୟକୁ ଆଦରି ପଡ଼ି ରହିଲେ। ହେଲେ ପରବର୍ତୀ ସମୟରେ ସେଠି ବି ସେ ଅସହଜ ହୋଇପଡ଼ିଲେ। ନିଜ ଭବିଷ୍ୟତ କଥା ଚିନ୍ତା କରି ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁଜିକେୱାଇ)ରେ ରିଟେଲ୍‌ରେ ୬ ମାସର ଟ୍ରେନିଂ ନେଇ ଏକ ସପିଂ ମଲ୍‌ରେ କାମ କଲେ। ପରବର୍ତୀ ସମୟରେ ଆଗକୁ ବଢ଼ିବା ପାଇଁ ସେ ଯେଉଁଠି ବି ସାକ୍ଷାତକାର ଦେବାକୁ ଯାଉଥିଲେ; ୯ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବାରୁ ଶିକ୍ଷାଗତ ଯୋଗ୍ୟତା ଯୋଗୁଁ ବାଦ ପଡ଼ୁଥିଲେ। ସେବେଠୁ ରଂଜିତାଙ୍କ ସାଙ୍ଗ ପଢ଼ିବାକୁ ପରାମର୍ଶ ଦେ‌ବାରୁ ତାଙ୍କ ଭିତ‌ରେ ପୁଣି ପଢ଼ିବାର ଚାରା ଅଙ୍କୁରୋଦଗମ ହେଲା। ତେବେ ୩ ଭଉଣୀ ଓ ଦାଦା ଖୁଡ଼ିଙ୍କ ପାଖରୁ ସହଯୋଗ ମିଳୁନଥିବାରୁ ସେ କୌଣସି ଏକ ସ୍କୁଲ୍‌ ହଷ୍ଟେଲ୍‌ରେ ରହି ପଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ରାଜ୍ୟ ସରକାର ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯଦି ତାଙ୍କୁ ପଢ଼ିବା ପାଇଁ ସ୍କୁଲ୍‌ରେ ଆଡ୍‌ମିସନ ଓ ରହିବା ପାଇଁ ହଷ୍ଟେଲ୍‌ର ସୁବିଧା କରିଦିଅନ୍ତେ ତେବେ ସେ ସାରା ଜୀବନ ଋଣୀ ରହିବେ ବୋଲି କହିଛନ୍ତି। ବହୁ ସ୍ବେଚ୍ଛାସେବୀ ସଂଗଠନ ଓ ବଦାନ୍ୟ ବ୍ୟକ୍ତି କିଛି ପିଲାଙ୍କ ପଢ଼ା ଖର୍ଚ୍ଚ ବହନ କରିବାର ନଜିର ରହିଥିବା ବେଳେ ବାପା ମା’ ଛେଉଣ୍ଡ ରଂଜିତାଙ୍କ ଉପରେ ଦୃଷ୍ଟି ପଡ଼ୁ ବୋଲି ସମାଜସେବୀ ଗଗନ ବିହାରୀ ପାଇଟାଳ ଅନୁରୋଧ କରିଛନ୍ତି। ରଂଜିତାଙ୍କୁ ସାହାଯ୍ୟ ପାଇଁ ଗଗନଙ୍କ ଫୋନ୍‌ ନମ୍ବର ୮୨୪୯୦୮୫୭୦୫ ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର