କୋହଳ ପରୀକ୍ଷା ଓ ସ୍ବତନ୍ତ୍ର ସଂରକ୍ଷଣ ପାଇଁ ଦାବି, ପୁଲିସ ଚାକିରିରେ କିନ୍ନରଙ୍କୁ ସୁଯୋଗ ପ୍ରସଙ୍ଗ

ସଫଳ ହେଲା ରଞ୍ଜିତାଙ୍କ ଲଢ଼େଇ

ଭୁବନେଶ୍ବର: ପୁଲିସ ଚାକିରିରେ ନିଯୁକ୍ତି ପାଇବା ଲାଗି କିନ୍ନରମାନଙ୍କୁ ସୁଯୋଗ ମିଳିଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କିନ୍ନର ସଂଘ ସ୍ବାଗତ କରିଛି। ପ୍ରଥମଥର ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବାରୁ କିନ୍ନରମାନେ ସମାଜରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାର ବଡ଼ ସୁଯୋଗ ସୃଷ୍ଟି ହୋଇଛି। ତେବେ କିନ୍ନରମାନଙ୍କ ପାଇଁ କୋହଳ ପରୀକ୍ଷା ଓ ସ୍ବତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ନ ହେଲେ, ସରକାରଙ୍କ ଏହି ଯୋଜନା କୌଣସି ସୁଫଳ ଦେବ ନାହିଁ ବୋଲି ସଂଘ କହିଛି। ତେଣୁ କେବଳ ଆବେଦନ କରିବାକୁ ସୁଯୋଗ ଦେଲେ ହେବ ନାହିଁ, ବରଂ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ବୋଲି ସଂଘ ଦାବି କରିଛି।

ସଂଘ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଓଡ଼ିଶାରେ ପଞ୍ଜୀକୃତ ଏବଂ ଅଣପଞ୍ଜୀକୃତ କିନ୍ନର ସଂଖ୍ୟା ମିଶି ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ବ ହେବ। ତନ୍ମଧ୍ୟରୁ ମାତ୍ର ୧୫୦ଜଣ ଯୋଗ୍ୟ ପ୍ରାର୍ଥୀ ସବ୍-ଇନ୍‌ସ୍ପେକ୍ଟର ପାଇଁ ଆବେଦନ କରୁଥିବା ବେଳେ କନଷ୍ଟେବଳ ପଦ ପାଇଁ ୩୫୦ଜଣ ଆବେଦନ କରୁଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବେଶି ଫଳପ୍ରଦ ହେବ ନାହିଁ ବୋଲି ଓଡ଼ିଶା କିନ୍ନର ମହାସଂଘର ସଭାପତି ପ୍ରତାପ ସାହୁ କହିଛନ୍ତି। ଅନ୍ୟମାନଙ୍କ ପାଇଁ ଯେମିତି ସଂରକ୍ଷଣ ବ୍ୟବସ୍ଥା ରହିଛି, ସେମିତି କିନ୍ନରମାନଙ୍କ ପାଇଁ ନାହିଁ। ତେଣୁ ସେମାନେ କେଉଁ ଭଳି ଭାବେ ଆବେଦନ କରିବେ ବୋଲି ଦ୍ବନ୍ଦ୍ବରେ ଅଛନ୍ତି। ଶିକ୍ଷାଗତ ଯୋଗ୍ୟତା ଏବଂ ବୟସସୀମା ଯାହା ରଖାଯାଇଛି, ତାହା ଭିତରେ ବହୁତ କମ୍ କିନ୍ନର ଆବେଦନ କରିପାରିବେ। ତେଣୁ ସରକାର କିନ୍ନରମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। ତେବେ ନିଖିଳ ଓଡ଼ିଶା ତୃତୀୟ ଲିଙ୍ଗ ଉନ୍ନୟନ ପରିଷଦର ସଭାପତି ମୀରା ପରିଡ଼ା ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଆବେଦନ କରିବାକୁ ଥିବା ଯୋଗ୍ୟ କିନ୍ନରଙ୍କ ପାଇଁ ସେ ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା କରୁଛନ୍ତି। ଏକ ପ୍ରଶିକ୍ଷଣ ଶିବିର କରି ସେଠାରେ ସେମାନଙ୍କୁ ଲିଖିତ ପରୀକ୍ଷା ଏବଂ ଶାରୀରିକ ଯୋଗ୍ୟତା ଭିତ୍ତିକ ପରୀକ୍ଷା ପାଇଁ ତାଲିମ ପ୍ରଦାନ କରୁଛନ୍ତି। ଏହାଦ୍ବାରା ବହୁ କିନ୍ନର ଉପକୃତ ହେବେ ବୋଲି ସେ କହିଛନ୍ତି।

ଭୁବନେଶ୍ବର: ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ତୃତୀୟ ଲିଙ୍ଗୀ ବା କିନ୍ନରଙ୍କୁ ସୁଯୋଗ ମିଳିଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁ ମହଲରୁ ସ୍ବାଗତ କରାଯାଇଛି। ତେବେ ଏଥିରେ ବେଶି ଖୁସି ହୋଇଛନ୍ତି ମହିଳା ଆଇନଜୀବୀ ରଞ୍ଜିତା ପ୍ରିୟଦର୍ଶନୀ। କାରଣ ତାଙ୍କ ଲଢ଼େଇ ସଫଳ ହୋଇଛି। କିନ୍ନରମାନଙ୍କୁ ପୁଲିସରେ ନିଯୁକ୍ତି ମିଳୁ ବୋଲି ସେ ୨୦୧୯ ମସିହାରେ ଉଚ୍ଚ ନ୍ୟାୟାଳୟରେ ଏକ ପିଟିସନ୍‌ ଦାଖଲ କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଗୃହ ବିଭାଗକୁ ଅବଗତ କରାଇବା ଲକ୍ଷ୍ୟରେ ସେ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ। ରଞ୍ଜିତାଙ୍କ ଦସ୍ତଖତ ଅଭିଯାନରେ ସାଂସଦ ସୁରେଶ ପୂଜାରୀ, ବିଧାୟକ ମୁକେଶ ମହାଲିଙ୍ଗ, ସୁପ୍ରିମକୋର୍ଟର ଆଇନଜୀବୀ ତୀର୍ଥ ସାହୁ, ପୂର୍ବତନ ଡିଏସ୍‌ପି ଗୀତରାଣୀ ପଣ୍ଡା, କିନ୍ନର ସଂଘ ସଭାପତି ପ୍ରିୟନ୍ସି ଦାସ, ବିଜେଡି ସମ୍ପାଦକ ଷ୍ଟାଲିନ୍‌ ପରିଜା, କେନ୍ଦ୍ର ଆଇନ ସହାୟତା ନିର୍ଦ୍ଦେଶିକା ଜୟଶ୍ରୀ ମହାପାତ୍ର, ଆଇଆରଏସ୍ ନମଃ ନାରାୟଣ ମିନା, ଶ୍ରୀମନ୍ଦିର ସେବାୟତ ଗୌରୀଶଙ୍କର ସିଂହାରୀଙ୍କ ସମେତ ବହୁ ବି‌ଦେଶୀ ସଂସ୍ଥା, ଜାତିସଂଘ ସମର୍ଥିତ ବ୍ୟକ୍ତିବିଶେଷ ଓ ଜାତୀୟ, ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ତାଙ୍କୁ ସମର୍ଥନ ମିଳିଛି।

ସମ୍ବନ୍ଧିତ ଖବର