ଗୁଣ୍ଡାଗିରି କରି ଜେଲ୍‌ ଗଲେ ରାଓଡି ଦମ୍ପତି

ଭୁବନେଶ୍ବର : ରାଜଧାନୀର ବମିଖାଲ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ଏକ ରାଓଡି ଦମ୍ପତି। ଟିକେ ଟିକେ କଥାରେ ଲୋକଙ୍କୁ ପିଟୁଛନ୍ତି। ପୂର୍ବରୁ ଏକାଧିକ ଥର ପୁଲିସ ନୋଟିସ୍ କରି ଛାଡ଼ି ଦେଇଥିଲେ। ଏଥର କିନ୍ତୁ ଆଉ ନିସ୍ତାର ମିଳିନି। ଦମ୍ପତିଙ୍କୁ ବାନ୍ଧି ଜେଲ୍ ପଠାଇଛି ପୁଲିସ। ଗିରଫ ଦମ୍ପତି ହେଲେ ବମିଖାଲ ଅଞ୍ଚଳର ଶିଶିର ରଞ୍ଜନ ଶତପଥୀ ଓ ତାଙ୍କ ପତ୍ନୀ ପ୍ରଜ୍ଞା ଶତପଥୀ। ଦୁଇଟି ମାମଲାରେ ପୁଲିସ ସେମାନଙ୍କୁ ଗିରଫ କରିଛି।

ପୁଲିସ ସୂଚନା ଅନୁସାରେ, ଗତ ୨୯ ତାରିଖରେ ହୋଲି ଦିନ ଦେବେନ୍ଦ୍ର ଘଡ଼େଇ ନାମକ ଜଣେ ବ୍ୟକ୍ତିଙ୍କୁ ଶିଶିର ଗାଡ଼ିରେ ଧକ୍କା କଲେ। ତାଙ୍କ ପାଦରେ ଗାଡ଼ି ଚକା ଚଢ଼ି ଯିବାରୁ ଗୋଟିଏ ଆଙ୍ଗୁଠି ଭାଙ୍ଗି ଯାଇଥିଲା। ଦେବେନ୍ଦ୍ର ଏହାର ପ୍ରତିବାଦ କରି କେମିତି ଗାଡ଼ି ଚଲାଉଛ ବୋଲି ପ୍ରଶ୍ନ କରିଥିଲେ। ଗାଡ଼ିରେ ଧକ୍କା ହୋଇଥିବାରୁ ସମବେଦନା ଜଣାଇବା କିମ୍ବା ଚିକିତ୍ସା ପାଇଁ ହସ୍ପିଟାଲକୁ ନେବା ପରିବର୍ତ୍ତେ ଚିହିଙ୍କି ଉଠିଥିଲେ ଶିଶିର। ଆଉ ଦେବେନ୍ଦ୍ରଙ୍କୁ ମାଡ଼ ମାରି ତାଙ୍କ ହାତ ଭାଙ୍ଗି ଦେଇଥିଲେ। ଖାଲି ସେତିକି ନୁହେଁ, ମୁଥ ମାରି ମୁହଁ ଫଟାଇ ଦେବା ସହ ଦାନ୍ତ ଭାଙ୍ଗି ଦେଇଥିଲେ। ଶିଶିରଙ୍କ ସହ ମିଶି ଯାଇଥିଲେ ତାଙ୍କ ପତ୍ନୀ ପ୍ରଜ୍ଞା। ସେ ବି ମାଡ଼ ମାରି ଚାଲିଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା।

ଗାଡ଼ି ଧକ୍କା କଲେ, ମାଡ଼ ମାରି ହାତ ଓ ଦାନ୍ତ ଭାଙ୍ଗିଦେଲେ
ଯୁବତୀଙ୍କୁ ମାଡ଼ ମାରି ମୁହଁ ଫଟାଇଦେଲେ
ପୂର୍ବରୁ ନୋଟିସ୍ କରି ଛାଡ଼ିଥିଲା ପୁଲିସ

ଏହି ଗୋଟିଏ ଘଟଣା ନୁହେଁ; ଗତ ୧ ତାରିଖ ଉତ୍କଳ ଦିବସରେ ଏ ଦମ୍ପତି ଆଉ ଏକ କାଣ୍ଡ ଘଟାଇଥିଲେ। ବମିଖାଲ ଏକାମ୍ର ଟକିଜ ନିକଟରେ ଥିବା ଡ୍ରେନ୍ କଲଭର୍ଟର ଗୋଟିଏ ପାର୍ଶ୍ବରେ ପିଲାର ଭାଙ୍ଗି ଯାଇଥିଲା। ନିରୁପମା ନାମକ ଜଣେ ଯୁବତୀ ସେହି ପିଲାରକୁ ମରାମତି କରୁଥିଲେ। କାହିଁକି ଏହାକୁ ମରାମତି କରୁଛ ଓ ତିଆରି କରିବାକୁ ତମେ କିଏ ବୋଲି ପ୍ରଶ୍ନ କରି ପ୍ରଜ୍ଞା ଅତର୍କିତ ପିଟିବା ଆରମ୍ଭ କରି ଦେଇଥିଲେ। ଏହି ଆକ୍ରମଣରେ ସ୍ବାମୀ ଶିଶିର ସାଥ୍ ଦେଇଥିଲେ। ଦୁହେଁ ମିଶି ନିରୁପମାଙ୍କୁ ନିସ୍ତୁକ ପିଟିଥିଲେ। ଏପରିକି ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଏ ନେଇ ନିରୁପମା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା।

ଶିଶିର ପେସାରେ ଜଣେ ଇଞ୍ଜିନିୟର ବୋଲି ଜଣାପଡ଼ିଛି। କିନ୍ତୁ କଥାକଥାକେ ଲୋକଙ୍କ ସହ ଗଣ୍ଡଗୋଳ କରିବା ତାଙ୍କର କାମ ବୋଲି ସ୍ପଷ୍ଟ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଦମ୍ପତି ବାରମ୍ବାର ଆତଙ୍କ ଖେଳାଉଥିଲେ। ଛୋଟମୋଟ କଥାକୁ ନେଇ ଯାହାକୁ ପାଉଥିଲେ ତାକୁ ପିଟୁଥିଲେ, ଭଙ୍ଗାରୁଜା କରୁଥିଲେ। ଅନେକ ଘଟଣାରେ ନିଜ ଆଡ଼ୁ ଗଣ୍ଡଗୋଳ ଆରମ୍ଭ କରୁଥିଲେ। ସେମାନଙ୍କ ଉଗ୍ରରୂପରେ ଲୋକ ଭୟଭୀତ ମଧ୍ୟ ହେଉଥିଲେ। ପୂର୍ବରୁ ଦମ୍ପତିଙ୍କ ବିରୋଧରେ ଅନେକ ଥର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଥାନାକୁ ଡକାଇ ଭବିଷ୍ୟତରେ ଗଣ୍ଡଗୋଳ ନ କରିବା ପାଇଁ ତାଗିଦ୍ କରିବା ସହ ନୋଟିସ୍ ଦେଇ ଛାଡ଼ିଥିଲା। କିନ୍ତୁ ଦମ୍ପତି ସୁଧୁରି ନ ଥିଲେ। ଶେଷରେ ଜେଲ୍ ଗଲେ।

ସମ୍ବନ୍ଧିତ ଖବର