ନିଶା ଦେଇ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ପୁଲିସ ପାଉନି ନା ଖୋଜୁନି?

ଚନ୍ଦ୍ରଶେଖରପୁର: କରୋନା ସଂକଟ ସମୟରେ ଜଣେ ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଦୀର୍ଘ ଦିନ ହେଲା ଫେରାର୍ ରହିଛି। ଏମିତିକି ସଂଜ୍ଞାହୀନ ଅବସ୍ଥାରେ ଅଭିଯୁକ୍ତ ଦୁଷ୍କର୍ମ ସମୟର ଭିଡିଓ ଉତ୍ତୋଳନ କରିଛି ବୋଲି ଅଭିଯୋଗ ହୋଇଛି। ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରୁନଥିବାରୁ ମହିଳା ଜଣକ ଘୋର ମାନସିକ ବିଷାଦରେ ଦିନ କାଟୁଛନ୍ତି। କରୋନା ସଂକଟ ଆଳରେ ପୁଲିସ ଅଭିଯୁକ୍ତକୁ ଖୋଜୁ ନାହିଁ ବୋଲି ଅଭିଯୋଗକାରିଣୀ କହିଛନ୍ତି। ଦିନ ଗଡ଼ିବା ମଉକାରେ ମାମଲାକୁ ହାଲୁକା କରିବାକୁ ପୁଲିସ ଉଦ୍ୟମ କରୁଛି ବୋଲି ମହିଳା ଆପତ୍ତି ଉଠାଇଛନ୍ତି। ସୂଚନା ଅନୁଯାୟୀ, ନୀଳାଦ୍ରିବିହାର ଅଞ୍ଚଳର ଏକ ବସ୍ତିରେ ରହୁଥିବା ଏହି ମହିଳାଙ୍କୁ ଜଣେ ପଡ଼ୋଶୀ ଯୁବକ ସୁଯୋଗ ଉଣ୍ଡି ଖାଦ୍ୟରେ ନିଶା ଦେଇଥିଲା। ମହିଳା ଜଣକ ଚେତାଶୂନ୍ୟ ହୋଇଯିବା ପରେ ତାଙ୍କୁ ଏକ ନିଛାଟିଆ ସ୍ଥାନ‌କୁ ଟେକି ନେଇ ସେ ଦୁଷ୍କର୍ମ କରିଥିଲା।

ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଚେତା ଫେରିବା ବେଳକୁ ଅଭିଯୁକ୍ତ ଆପତ୍ତିଜନକ ଭିଡିଓ କରି ସାରିଥିଲା ବୋଲି ସେ ଜାଣିବାକୁ ପାଇଥିଲେ। ଘଟଣା ବାବଦରେ ଚୁପ୍ ରହିବା ପାଇଁ ଅଭିଯୁକ୍ତ ତାଙ୍କୁ ଧମକ ଦେଇଥିଲା। ଘଟଣା ପ୍ରଘଟ କଲେ, ସେ ଭିଡିଓ ଭାଇରାଲ୍‌ କରିଦେବ ବୋଲି ଚେତାବନୀ ଦେଇଥିଲା। କିନ୍ତୁ ମହିଳା ଜଣକ ନିଜ ପରିବାର ସହ ଆଲୋଚନା କରି ଥାନାରେ ଅଭିଯୋଗ କରିଥିଲେ। ତେବେ ସେତେବେଳକୁ ଅଭିଯୁକ୍ତ ବସ୍ତି ଛାଡ଼ି ଫେରାର୍ ହୋଇଯାଇଥିଲା। ଏନେଇ ମହିଳାଜଣକ ବାରମ୍ବାର ଥାନାକୁ ଯାଇ ଅଭିଯୁକ୍ତକୁ ଗିରଫ କରାଯାଉ ବୋଲି ଦାବି କରୁଛନ୍ତି। ମାତ୍ର ‌ଅଭିଯୁକ୍ତ ବସ୍ତିକୁ ନ ଫେରିବା ଯାଏ କିଛି କରିହେବ ନାହିଁ ବୋଲି ପୁଲିସ ତାଙ୍କୁ କହୁଥିବା ସେ କହିଛନ୍ତି। ଏମିତିକି କୌଣସି ଗଣମାଧ୍ୟମକୁ ନଜଣାଇବା ପାଇଁ ମଧ୍ୟ ପୁଲିସ୍ ତାଙ୍କ ଉପରେ ଚାପ ପକାଇଥିବା ସେ କହିଛନ୍ତି। ଜଣାପଡ଼ିଛି। ପୁଲିସ ଅଭିଯୁକ୍ତକୁ ନିଜ ଆଡ଼ୁ ଖୋଜାଖୋଜି ମଧ୍ୟ କରୁନାହିଁ ବୋଲି ପୀଡ଼ିତା କହିଛନ୍ତି। ତେବେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ସୂଚନା ମୁତାବକ ମାମଲାକୁ ଗୁରୁତ୍ବର ସହ ନିଆଯାଇଛି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି।

ସମ୍ବନ୍ଧିତ ଖବର