ବାଲିପାଟଣା: ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରି ଫେରାର୍ ହୋଇଯାଇଥିବା ଅଭିଯୁକ୍ତକୁ ଦୀର୍ଘ ୬ ବର୍ଷ ପରେ ବାଲିପାଟଣା ଥାନା ପୁଲିସ ଝାଡ଼ଖଣ୍ଡରୁ ଗିରଫ କରିଛି। ଅଭିଯୁକ୍ତ ହେଲା, ଅଚ୍ୟୁତପୁର ଗାଁର ଅଞ୍ଜନ କୁମାର ଦତ୍ତ(୩୧)। ଏମିତିକି ଗିରଫଦାରୀ ଭୟରେ ଗାଁ ଛାଡ଼ି ଦେଇଥିବା ଅଞ୍ଜନ ତା’ ବାପାଙ୍କ ଶୁଦ୍ଧିକ୍ରିୟାରେ ବି ସାମିଲ୍‌ ହୋଇନଥିଲା। କିନ୍ତୁ ଶେଷରେ ପୁଲିସ ହାତରେ ଧରାପଡ଼ିଛି। ଆଜି ତାକୁ ଝାଡ଼ଖଣ୍ଡରୁ ବାଲିପାଟଣା ଅଣାଯାଇଛି ଏବଂ ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Advertisment

ପୁଲିସ ସୂଚନାନୁସାରେ ଅଞ୍ଜନ ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା। ଫଳରେ ନାବାଳିକା ଗର୍ଭବତୀ ହୋଇଯାଇଥିଲେ ଏବଂ ତୁରନ୍ତ ବିବାହ କରିବାକୁ କହିଥିଲେ। କିନ୍ତୁ ଧୂର୍ତ୍ତ ଅଞ୍ଜନ ବିଭିନ୍ନ ବାହାନା କରି ବାହାଘର ଗଡ଼ାଇବା ସହ ନାବାଳିକାଙ୍କ ଗର୍ଭପାତ କରାଇଥିଲା। ଏହା ଭିତରେ ନାବାଳିକାଙ୍କ ପରିବାରଲୋକେ ଅଞ୍ଜନଙ୍କ ବାପାମା’ଙ୍କୁ ସବୁକଥା ଜଣାଇ ବାହାଘର ପ୍ରସ୍ତାବ ଦେଇଥିଲେ। ମାତ୍ର ଗର୍ଭପାତ ହୋଇସାରିଥିବାରୁ ଧୂର୍ତ୍ତ ଅଞ୍ଜନ ଖେଳିଥିଲା। ନାବାଳିକାଙ୍କ ସହ ସବୁ ସମ୍ପର୍କକୁ ଫାଙ୍କିବା ସହ ଆଗକୁ ଏଭଳି ଅଭିଯୋଗ ଆଣିଲେ ସେ ନାବାଳିକାଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା। ତେଣୁ ବାଧ୍ୟ ହୋଇ ନାବାଳିକାଙ୍କ ପରିବାର ପକ୍ଷରୁ ବାଲିପାଟଣା‌ ଥାନାରେ ଅଭିଯୋଗ କରାଯାଇଥିଲା।

୨୦୧୭ ଜୁଲାଇରେ ଥାନାରେ ଦୁଷ୍କର୍ମ ମାମଲା ରୁଜୁ ହେବା ପରେପରେ ଅଞ୍ଜନ ଫେରାର୍‌ ହୋଇଯାଇଥିଲା। ବାଲିପାଟଣା ଥାନା ପୁଲିସ ବହୁ ଉଦ୍ୟମ କରି ତା’ର ଟେର୍‌ ପାଇଲା ନାହିଁ। ଏହା ଭିତରେ ଅଞ୍ଜନର ବାପାଙ୍କ ମୃତ୍ୟୁ ହେଲା। ମାତ୍ର ଅଞ୍ଜନ ଶୁଦ୍ଧିକ୍ରିୟାରେ ଯୋଗଦେଲା ନାହିଁ। ତେଣୁ ପୁଲିସ ସେଥର ବି ନିରାଶ ହେଲା ଏବଂ ଅଞ୍ଜନକୁ ଖୋଜିବା ବନ୍ଦ ହୋଇଗଲା। ତେବେ ଗତ କିଛି ତଳେ ଏସ୍‌ଆଇ ରାକେଶ ସାମଲ ଥାନାର ପୁରୁଣା ଫାଇଲ୍‌ ଖୋଜୁଖୋଜୁ ଅଞ୍ଜନ ଫେରାର୍ ଥିବା ଜାଣିବାକୁ ପାଇଥିଲେ। ଦୀର୍ଘ ୬ ବର୍ଷ ବିତିସାରିଥିବାରୁ ସେ ନିଶ୍ଚୟ ଘର ପରିବାର ସହ ଯୋଗାଯୋଗ କରିବା ଆରମ୍ଭ କରିଥିବ ବୋଲି ସନ୍ଦେହ କରି ସେ ଅଞ୍ଜନ ଫାଇଲ୍‌ ପୁଣି ଖୋଲିଥିଲେ। ସତକୁ ସତ ଏସ୍‌ଆଇ ଶ୍ରୀ ସାମଲଙ୍କୁ ସୁରାକ୍‌ ମିଳିଯାଇଥିଲା। ଗତ ଚାରିଦିନ ତଳେ ତାଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍‌ ଝାଡ଼ଖଣ୍ଡ ପଲାମୁ ଜିଲ୍ଲା ହୋସେନାବାଦ୍‌ ଗସ୍ତ କରିଥିଲା। ସେଠାରେ ଅଞ୍ଜନ ଏକ କ୍ରସର୍‌ରେ ସୁପରଭାଇଜର୍‌ ଭାବେ କାମ କରୁଥିଲା। ସାଦା ପୋଷାକରେ ଥିବା ପୁଲିସ ଟିମ୍‌ ଗ୍ରାହକ ସାଜି ଚିପ୍‌ସ କିଣିବା ବାହାନାରେ ଉକ୍ତ କ୍ରସର୍‌ରେ ପହଞ୍ଚି ଅଞ୍ଜନକୁ ଧରିଥିଲେ।