ଦୁଷ୍କର୍ମ ଅଭିଯୁକ୍ତ ସବ୍‌ଇନ୍ସପେକ୍ଟରଙ୍କ ପତ୍ତା ମିଳୁନି, ମହିଳା ଥାନାରେ ମାମଲା ରୁଜୁ, ଅଭିଯୁକ୍ତ ଏସ୍ଆଇ ନିଲମ୍ବିତ

ଦୁଇଥର ଗର୍ଭପାତ କରାଇଥିବା ଅଭିଯୋଗ
ଅଢ଼େଇ ମାସ ହେଲା ଥାନାକୁ ଆସି ନାହାନ୍ତି

ଭୁବନେଶ୍ବର : ଦିନେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ପୁଲିସ ଅଧିକାରୀ ନିଜେ ପାଲଟି ଯାଇଛନ୍ତି ଦୁଷ୍କର୍ମ ଅଭିଯୁକ୍ତ। ଖାଲି ଦୁଷ୍କର୍ମ ନୁହେଁ, ଦୁଇଦୁଇ ଥର ଗର୍ଭପାତ କରାଇଥିବା ଭଳି ଆସିଛି ସଙ୍ଗିନ ଅଭିଯୋଗ। କ୍ୟାପିଟାଲ ଥାନା ସବ୍‌ଇନ୍ସପେକ୍ଟର ରାକେଶ ସାମଲଙ୍କ ବିରୋଧରେ ଦୁଷ୍କର୍ମ, ଗର୍ଭପାତ ମାମଲା ରୁଜୁ ହେବା ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ମହିଳା ଥାନା ପୁଲିସ ମାମଲା ରୁଜୁ କରିବା ସହ ଅଭିଯୋଗକାରୀ ଯୁବତୀଙ୍କ ଡାକ୍ତରୀମାଇନା କରାଇଛି। ପୁଲିସ ତଦନ୍ତ ଆରମ୍ଭ କରିଥିଲେ ବି ଅଭିଯୁକ୍ତ ଏସ୍ଆଇ ରାକେଶ ସାମଲଙ୍କ ପତ୍ତା ପାଉନି। ରାକେଶ ପ୍ରାୟ ଅଢ଼େଇ ମାସ ହେଲା ବିନା ଛୁଟି ଦରଖାସ୍ତରେ ଥାନାକୁ ଆସୁ ନାହାନ୍ତି। ଅପରପକ୍ଷେ ମାମଲା ରୁଜୁ ହେବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ବରୂପ ରାକେଶଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ଯୁବତୀଙ୍କ ସହ ଗତବର୍ଷ ଅଗଷ୍ଟ ମାସରେ ଫେସବୁକ୍‌ରେ ରାକେଶଙ୍କ ସହ ବନ୍ଧୁତା ହୋଇଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା। ରାକେଶ ଯୁବତୀଙ୍କ ପରିବାରଲୋକଙ୍କୁ ବିବାହ ପ୍ରସ୍ତାବ ଦେଇ ରାଜି କରାଇଥିଲେ। ଏହା ପରେ ଯୁବତୀଙ୍କ ସହ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିଲେ। କିଛି ମାସ ତଳେ ଯୁବତୀ ଗର୍ଭବତୀ ଥିବା ଜଣାପଡ଼ିବାରୁ ରାକେଶ ବନ୍ଧୁକ ଦେଖାଇ ତାଙ୍କୁ ଦୁଇଥର ଗର୍ଭପାତ କରାଇଥିବା ଯୁବତୀ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ, ଏକ ଦାମୀ ଚୋରା କାର୍‌ କମ୍ ଦାମରେ ଦେବା ପାଇଁ ରାକେଶ ଯୁବତୀଙ୍କଠାରୁ ୫ଲକ୍ଷ ଟଙ୍କା ନେଇଥିଲେ। ରାକେଶ ଯୁବତୀଙ୍କୁ ବିଭିନ୍ନ ସମୟରେ ଧମକଚମକ ଦେଉଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ଯୁବତୀ। କିନ୍ତୁ ଅଢ଼େଇ ମାସ ହେଲା ରାକେଶ ହଠାତ୍ ଅନ୍ତଧ୍ୟାନ ହୋଇଗଲେ। ତାଙ୍କର ମୋବାଇଲ ଫୋନ୍ ମଧ୍ୟ ସୁଇଚ୍‌-ଅଫ୍ ହୋଇଯାଇଥିଲା। ଯୁବତୀ ଫୋନ୍ କରି ନିରାଶ ହେବା ପରେ ରାକେଶଙ୍କ ସମ୍ପର୍କରେ ଜାଣିବା ଲାଗି କ୍ୟାପିଟାଲ ଥାନାକୁ ଆସିଥିଲେ। କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ପାଇ ପାରି ନ ଥିଲେ। ପ୍ରାୟ ମାସକ ତଳେ ୧୫ଦିନ ଭିତରେ ଯୁବତୀଙ୍କ ସହ ବିବାହ ହେବ ବୋଲି ଏକ ଚୁକ୍ତିନାମା ମଧ୍ୟ ହୋଇଥିଲା। ଯଦି ବିବାହ ନ ହୁଏ, ତାହାଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସେତେବେଳେ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହା ପରେ ବି ରାକେଶଙ୍କ ପତ୍ତା ନ ମିଳିବାରୁ ଯୁବତୀ ଗତକାଲି ପୁଣି ଥରେ ମହିଳା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ମାମଲା ରୁଜୁ କରିଛି। ସିଆରପିସି ଧାରା-୧୬୧ ଅନୁସାରେ ଯୁବତୀଙ୍କ ବୟାନ ରେକର୍ଡ କରିଛି ପୁଲିସ। ଏଠାରେ ପ୍ରଶ୍ନ ଉଠୁଛି ଅଭିଯୁକ୍ତ ଏସ୍ଆଇ ରାକେଶ ଏବେ କେଉଁଠି? ତାଙ୍କୁ ଫେରାର କରାଇବାରେ କାହାର ହାତ ରହିଛି? ଘଟଣାର ତଦନ୍ତ ଜାରି ରହିଛି ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର