ପିଶାଚ ପ୍ରେମିକର ଲୋମଟାଙ୍କୁରା ହତ୍ୟାକାଣ୍ଡ

ଦୁଷ୍କର୍ମ ପରେ ହତ୍ୟା କରିଥିଲା ଯୁଧିଷ୍ଠିର

ଭୁବନେଶ୍ବର: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଗୋଲ ବିଞ୍ଝେଇପଡ଼ା ଗାଁର ସସ୍ମିତା ବିଶ୍ବାଳଙ୍କ ମୃତ ଦେହ ଭୁବନେଶ୍ବର ଚନ୍ଦକା ଥାନା ଅଞ୍ଚଳରୁ ଜବତ କରିବା ପରେ ପୁଲିସ ତନାଘନା ଆରମ୍ଭ କରିଛି। ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଯୁଧିଷ୍ଠିର ସ୍ବାଇଁ (୩୫)କୁ ଜେରା କରି ପୁଲିସ ଗୋଟିଏ ପ‌ରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆଣିଛି। ପ୍ରଥମେ ପୁଲିସକୁ ଭୂଆଁ ବୁଲାଇଥିଲା ଯୁଧିଷ୍ଠିର। ତେବେ ପୁଲିସର ଚାପ ଓ କୌଶଳ ଆଗରେ ସତ ମାନିଛି ଅଭିଯୁକ୍ତ। ସବୁଠୁ ବଡ଼ କଥା ହେଲା, ସସ୍ମିତାଙ୍କୁ ହତ୍ୟା କରାଯିବା ପୂର୍ବରୁ ତାଙ୍କ ସହ ଦୁଷ୍କର୍ମ ମଧ୍ୟ କରାଯାଇଛି। ଗିରଫ ଅଭିଯୁକ୍ତ ନାମରେ ହତ୍ୟା ଓ ଦୁଷ୍କର୍ମ ମାମଲା ରୁଜୁ କରି ପୁଲିସ ଆଜି ତାକୁ କୋର୍ଟ ଚାଲାଣ କରିଛି। ସେପଟେ ଅଭିଯୁକ୍ତକୁ ଅଧିକ ଜେରା ପାଇଁ ପୁଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଛି। ଏହି ଘଟଣାରେ ଯୁଧିଷ୍ଠିର କେବଳ ଏକା ନୁହେଁ, ଏକାଧିକ ଅଭିଯୁକ୍ତ ତାକୁ ସହଯୋଗ କରିଥିବା ପୁଲିସ ହାତରେ ତଥ୍ୟ ଲାଗିଛି। ଆଜି ଡେଲାଙ୍ଗ କୁଂଜର ଗାଁରେ ଅଭିଯୁକ୍ତ ଯୁଧିଷ୍ଠିର ଘରେ ପୁଲିସ ଚଢ଼ଉ କରି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏହାଛଡ଼ା ପୁଲିସ ଅଭିଯୁକ୍ତର ଦୁଇ ଜଣ ବନ୍ଧୁଙ୍କୁ ଘରୁ ନ ପାଇ ତାଙ୍କ ଅଭିଭାବକଙ୍କୁ ପଚରାଉଚରା କରି ଫେରିଛି। ଗତକାଲି ଓ ଆଜି ଜେରା ବେଳେ ପୁଲିସ ଅଭିଯୁକ୍ତ ଯୁଧିଷ୍ଠିରଠାରୁ ବହୁ ତଥ୍ୟ ହାସଲ କରିଥିଲା।

ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି
ବାଇକ୍ ଜବତ, ରିମାଣ୍ଡ ପାଇଁ ପୁଲିସର ଆବେଦନ
ଅଭିଯୁକ୍ତ ଘରେ ଚଢଉ, ଦୁଇ ବନ୍ଧୁଙ୍କୁ ଜେରା

ଅଭିଯୁକ୍ତ ବ୍ୟବହାର କରିଥିବା ଏକ ନାଲିରଙ୍ଗର ପଲସର ବାଇକକୁ ଆଜି ଜବତ କରାଯାଇଛି। ସୂଚନା ମୁତାବକ, ହତ୍ୟା ପୂର୍ବରୁ ଅଭିଯୁକ୍ତ ଯୁଧିଷ୍ଠିର ପ୍ରେମିକାର ମନ ଜିଣିବାକୁ ଉଦ୍ୟମ କରିଥିଲା। ଘରୁ ବାହାରିବା ପରେ ଉଭୟ ଏକାଠି ମରିବା ଓ ଏକାଠି ଜିଇଁବା ପାଇଁ ପ୍ରତିଜ୍ଞା କରିଥିଲେ। କିଛି ବାଟ ଗଲା ପରେ ଉଭୟ ଆତ୍ମହତ୍ୟା କରିବାକୁ ଯୋଜନା ମଧ୍ୟ କରିଥିଲେ। ତେବେ ମରିବା ପୂର୍ବରୁ ଯୁଧିଷ୍ଠିର ପ୍ରେମିକା ସହିତ ବଳପୂର୍ବକ ଦୁଷ୍କର୍ମ କରିଥିବା ପୁଲିସ ଜାଣିବାକୁ ପାଇଛି। ଦୁଷ୍କର୍ମରେ ଯୁଧିଷ୍ଠିର ଏକୁଟିଆ ସଂପୃକ୍ତ ନା ଏଥିରେ ଅନ୍ୟ କାହାରି ସଂପୃକ୍ତି ରହିଛି ସେ ସଂପର୍କରେ ପୁଲିସ କିଛି ସ୍ପଷ୍ଟ କରିନ‌ାହିଁ। ସମସ୍ତ ତଥ୍ୟ ଓ ଅଭିଯୋଗକୁ ଅଧାର କରି ସତ୍ୟବାଦୀ ଥାନା କେସ୍‌ ନଂବର ୩୬୬ରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ଆଇପିସି ୩୪, ୩୦୨, ୩୭୬, ୩୧୩, ୩୬୪,୨୦୧ ଭଳି ସଂଗିନ ଦଫା ଲଗାଇଛି। ଏଠାରେ ସୂଚନାଯୋଗ୍ୟ, ଗତ ୧୩ ତାରିଖ‌ରେ ଅଭିଯୁକ୍ତ ଯୁଧିଷ୍ଠିର ପ୍ରେମିକା ସସ୍ମିତା ବିଶ୍ବାଳ (୨୫)ଙ୍କୁ ଘରୁ ଡାକି ନେଇ ଅତି ବୀଭତ୍ସ ଭାବେ ହତ୍ୟା କରିବା ପରେ ଚନ୍ଦକା ଜଙ୍ଗଲରେ ଫିଙ୍ଗି ଦେଇଥିଲା। ଗତକାଲି ଅଭିଯୁକ୍ତକୁ ନେଇ ପୁଲିସ ଘଟଣାର ସରଜମିନ ତଦନ୍ତ କରିବା ସହ ମୃତ ସସ୍ମିତାର ମୁଣ୍ଡ ଓ ଗଣ୍ଡିକୁ ଚନ୍ଦକା ଜଙ୍ଗଲରୁ ପୃଥକ ଭାବେ ଜବତ କରିଥିଲା।

ସମ୍ବନ୍ଧିତ ଖବର