ବାଲିପାଟଣା: କୁଶଭଦ୍ରା ନଦୀ ପଠାରେ ଛେଳି ଚରାଉଥିବା ବେଳେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି। ଏକୁଟିଆ ଦେଖି କାମୁକ ପୀଡ଼ିତାଙ୍କ ମୁହଁରେ ଗାମୁଛା ମାଡ଼ି ତାଙ୍କୁ ବଣ ଭିତରକୁ ଟେକିନେଇଥିଲା। କିନ୍ତୁ ସୌଭାଗ୍ୟକୁ ସମ୍ପର୍କୀୟ ଦାଦାଙ୍କ ନଜର ପଡ଼ିଯିବାରୁ ପୀଡ଼ିତା ବର୍ତ୍ତିଯାଇଥିଲେ। ଦାଦା ପାଟିକରି ଘଟଣାସ୍ଥଳକୁ ଧାଇଁ ଯିବାରୁ ଦୁର୍ବୃତ୍ତଜଣକ ଯୁବତୀଙ୍କୁ ଛାଡ଼ି ନଦୀକୁ ଡେଇଁ ପଡ଼ିଥିଲା ଏବଂ ଫେରାର ହୋଇଯାଇଥିଲା। ମାତ୍ର ପରିତାପର କଥା ରବିବାର ଘଟିଥିବା ଏହି ଘଟଣାକୁ ୪ଦିନ ବିତିଥିଲେ ହେଁ ପୁଲିସ ଅଭିଯୁକ୍ତକୁ ଗିରଫ କରିପାରିନାହିଁ। ଅଭିଯୁକ୍ତକୁ ବାନ୍ଧିବାରେ ପୁଲିସ ବିଳମ୍ବ କରୁଥିବାରୁ ଆଜି ପରିବାର ଲୋକେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି। ଘଟଣାକୁ ନେଇ ବାଲିପାଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ପୁଲିସର ନିଷ୍କ୍ରିୟତାକୁ ସାଧାରଣରେ ଦାୟୀ କରାଯାଇଛି। ଏମିତିକି ପୁଲିସ ଘଟଣାସ୍ଥଳକୁ ଯାଇନାହିଁ କି କୌଣସି ଜିନିଷ ଜବତ କରିନାହିଁ ବୋଲି ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଛେଳି ଚରାଉଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ଉଠାଇନେଇଥିଲା
ଦାଦା ଧାଇଁଆସିବାରୁ ନଦୀକୁ ଡେଇଁ ଛୁ ମାରିଲା
ମଝିହରା ପଞ୍ଚାୟତ ଧାନହରା ଅଞ୍ଚଳର ଏହି ୨୨ବର୍ଷୀୟା ଯୁବତୀ ସାମାନ୍ୟ ମାନସିକ ଅନଗ୍ରସର। ସବୁଦିନ ଭଳି ରବିବାର ମଧ୍ୟାହ୍ନରେ ପୀଡ଼ିତା କୁଶଭୁଦ୍ରା ନଦୀପଠାରେ ଛେଳି ଚରାଉଥିଲେ। ତାଙ୍କୁ ଏକୁଟିଆ ଦେଖି ଧାନହରା ଅଞ୍ଚଳର ଅଭିଯୁକ୍ତ ପୀଡ଼ିତାଙ୍କ ପଛ ପଟୁ ଆସି ମୁହଁରେ ଗାମୁଛା ମାଡ଼ିଦେଇଥିଲା ଏବଂ ବଣ ଭିତରକୁ ଉଠାଇ ନେଇଥିଲା। ସୌଭାଗ୍ୟକୁ ସେହି ସମୟରେ ଯୁବତୀଙ୍କ ସମ୍ପର୍କୀୟ ଦାଦା ସେହିବାଟ ଦେଇ ଯାଉଥିଲେ। ଛେଳିଗୋଠ ପାଖରେ ଝିଆରୀକୁ ନଦେଖି ତାଙ୍କର ସନ୍ଦେହ ହୋଇଥିଲା। ଝିଆରୀକୁ ଖୋଜିବାକୁ ସେ ବଣ ଭିତରକୁ ଯାଇଥିଲେ। ହଠାତ୍ ଏକ ବୁଦା ମୂଳରୁ ଜଣେ ମହିଳାଙ୍କ ଚିତ୍କାର ଶୁଣି ସେ ପାଟିକରି ଘଟଣାସ୍ଥଳକୁ ଧାଇଁଯାଇଥିଲେ। ତାଙ୍କ ପାଟିଶୁଣି କାମୁକ ପୀଡ଼ିତାଙ୍କୁ ଛାଡ଼ି ନଦୀକୁ ଡେଇଁ ପଡ଼ିଥିଲା। ତେଣୁ ଦାଦା ଅଭିଯୁକ୍ତକୁ ପିଛା ନକରି ଝିଆରୀକୁ ପ୍ରଥମେ ଉଦ୍ଧାର କରିଥିଲେ। ଖବର ପାଇ ପୀଡ଼ିତାଙ୍କ ଗାଁ ଲୋକେ ସେଠାରେ ପହଞ୍ଚିଥିଲେ। ଘଟଣାସ୍ଥଳର କିଛି ଦୂରରେ ଥିବା ହଳେ ଚପଲ ଓ ଏକ ବାଇକ୍କୁ କାମୁକ ଛାଡ଼ି ପଳାଇଥିବା ସନ୍ଦେହ କରି ସେମାନେ ସେଗୁଡ଼ିକୁ ଜବତ କରିଥିଲେ। ମାତ୍ର କିଛି ସମୟ ପରେ କାମୁକ ଗାଁର କିଛି ଯୁବକ ସେଠାରେ ପହଞ୍ଚି ବାଇକ୍ଟିକୁ ନିଜର ବୋଲି ଦାବି କରି ନେଇଯାଇଥିଲେ। ତେବେ ପୀଡ଼ିତାଙ୍କ ପରିବାର ଲୋକେ ହଳେ ଚପଲ ଓ ଗାମଛା ଜବତ କରିଛନ୍ତି। ଏନେଇ ପୀଡ଼ିତାଙ୍କୁ ନେଇ ମାଆ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ମାମଲା ରୁଜୁ କରିଛି। କିନ୍ତୁ ଅଭିଯୁକ୍ତକୁ ଠାବ କରିପାରିନାହିଁ। ମାମଲାକୁ ପୁଲିସ ଚାପିଦେବାକୁ ଉଦ୍ୟମ କରୁଛି ବୋଲି ପରିବାର ଲୋକେ ଆଜି କହିଛନ୍ତି। ବାଇକ୍, ଚପଲ ଓ ଗାମୁଛା କାହାର ବୋଲି ପୁଲିସ ଏପର୍ଯ୍ୟନ୍ତ ଖୋଳତାଡ଼ କରିନାହିଁ ବୋଲି ପୀଡ଼ିତାଙ୍କ ପରିବାର ଲୋକେ କହିଛନ୍ତି। ଅନ୍ୟପକ୍ଷରେ ବାଲିପାଟଣା ଥାନା ପକ୍ଷରୁ ମିଳିଥିବା ସୂଚନାନୁସାରେ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ ଗିରଫ କରିବାକୁ ଚଢ଼ଉ ଜାରି ରହିଛି।