କମିସନରେଟ୍ ପୁଲିସକୁ ଆଉ ଭୟ ନାହିଁ! ପୂଜାରେ କମ୍ପୁଛି ରାଜଧାନୀ, ପୁଲିସ ମାଳମାଳ, ଗାନ୍ଧୀମାର୍ଗରେ ଦୁଷ୍କର୍ମ ଉଦ୍ୟମ

ଧାରଣାରତ ଦୁଇ ଭଉଣୀଙ୍କୁ ବି ଛାଡ଼ିଲେନି, ବାପା ହତ୍ୟାକାରୀଙ୍କୁ ଧରାଇଦେବା ଦାବିରେ ଦେଇଆସୁଛନ୍ତି ଧାରଣା, ବର୍ଷାଧିକ କାଳ ବସି ରହିଛନ୍ତି, ସରକାରଙ୍କ ନଜର ପଡୁନି

ଭୁବନେଶ୍ବର : ରାଜଧାନୀର ରାଜରାସ୍ତା ଉପରେ ଦୁଷ୍କର୍ମ ଉଦ୍ୟମ। ତାହା ପୁଣି କମିସନରେଟ ପୁଲିସର କ୍ୟାମ୍ପ ସମ୍ମୁଖରେ। ମା’ ଦୁର୍ଗାଙ୍କ ପୂଜା ପାଇଁ ମାଳ ମାଳ ପୁଲିସ ରାଜଧାନୀରେ ପଇଁତରା ମାରୁଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା ଗାନ୍ଧୀମାର୍ଗରେ। ଦାବି ପୂରଣ ପାଇଁ ଲୋୟର ପିଏମଜିରେ ଦୀର୍ଘ ଦିନ ହେବ ଧାରଣା ଦେଇଥିବା ଦୁଇ ଭଉଣୀଙ୍କୁ ହୋଇଥିଲା ଦୁଷ୍କର୍ମ ଉଦ୍ୟମ। ଘଟଣା ଘଟିଥିଲା ୭ ତାରିଖ ଅର୍ଥାତ୍ ନବମୀ ସଂଧ୍ୟାରେ। ମା’ ଦୁର୍ଗାଙ୍କ ପୂଜା‌ରେ ସାରା ରାଜଧାନୀବାସୀ ମସଗୁଲ ଥିବାବେଳେ ଦୁଇ ଭଉଣୀ କିନ୍ତୁ ପିଶାଚ କବଳରୁ ବର୍ତିବା ଲାଗି ଚିତ୍କାର ଛାଡୁ ଥିଲେ। ସେହି ରାସ୍ତାରେ ଶହ ଶହ ଲୋକ ଯାଉଥିଲେ ମଧ୍ୟ ପୂଜାର କୋଳାହଳ ଭିତରେ ଶୁଭି ନ ଥିଲା ଦୁଇ ଭଉଣୀଙ୍କ ସ୍ବର। ଜଣେ ଭଉଣୀ ଏହି ନର ପିଶାଚ କବଳରୁ ଖସି ଯାଇ ନିକଟରେ ଥିବା ପୁଲିସ କ୍ୟାମ୍ପରେ ଜଣାଇବା ପରେ ପୁଲିସ ସେହି ପିଶାଚକୁ ଗିରଫ କରିଥିଲା। ଗିରଫ ଯୁବକ ଜଣକ ହେଉଛି କାଳୁ ନାୟକ। ଘର ମୟୂରଭଞ୍ଜରେ। ଏଠାରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ରହି ଶ୍ରମିକ ଭାବେ କାମ କରେ। ତାକୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ନିଜ ଦାବି ପୂରଣ ପାଇଁ ଭୁବନେଶ୍ବର ଯାଏ ଦୌଡ଼ି ଆସିଥିବା ଦୁଇ ଭଉଣୀଙ୍କୁ ଶେଷରେ ଏଭଳି ‘ନ୍ୟାୟ’ ମିଳିଛି।

୭ ତାରିଖ ଦିନ ସଂଧ୍ୟାରେ ଦୁଇ ଭଉଣୀ ଲୋୟର ପିଏମଜିରେ ଜରିପାଲ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ନିଶାସକ୍ତ ଅବସ୍ଥାରେ କାଳୁ ସେଠାରେ ପହଞ୍ଚିଥିଲା। ଦୁହିଁଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା।

କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳର ଦୁଇ ଭଉଣୀଙ୍କ ଅଭିଯୋଗ ଯେ ସେମାନଙ୍କ ବାପାଙ୍କୁ ହତ୍ୟା କରିବା ସହ ତାଙ୍କ ଜମିବାଡ଼ିକୁ ହଡ଼ପ କରି ନେଇଛନ୍ତି ସେମାନଙ୍କ ସମ୍ପର୍କୀୟ। ଏ ନେଇ ସେମାନେ ସ୍ଥାନୀୟ ପୁଲିସଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ମଧ୍ୟ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ କେଉଁଠୁ ବି ସେମାନେ ନ୍ୟାୟ ପାଇ ନ ଥିଲେ। ଶେଷରେ ନ୍ୟା‌ୟ ପାଇବା ଲାଗି ଭୁବନେଶ୍ବର ଚାଲି ଆସିଥିଲେ। ଜରି ପାଲ ଖଣ୍ଡେ ଟାଣି ତା’ରି ତଳେ ଧାରଣା ଦେଇଥିଲେ। ଏହାରି ମଧ୍ୟରେ କେତେ ଥର ବିଧାନସଭାର ଅଧିବେଶନ ଆରମ୍ଭ ହୋଇ ସରିଗଲାଣି। କିନ୍ତୁ ସରକାରଙ୍କ ନଜର ପଡ଼ିନାହିଁ ଏହି ଦୁଇ ଭଉଣୀଙ୍କ ଉପରେ। ଦାବି ପୂରଣ କରିବା ପାଇଁ ଗତ ଦୁଇ ବର୍ଷ ହେବ ରାଜଧାନୀର ଗାନ୍ଧୀମାର୍ଗ ତଥା ଲୋୟର ପିଏମଜିରେ ଧାରଣା ଦେଇ ଆସୁଛନ୍ତି। ନ୍ୟାୟ ଭିକ୍ଷା କରି ଅହରହ ସଂଗ୍ରାମ ଜାରି ରଖଛିନ୍ତି ଏହି ଦୁଇ ଭଉଣୀ। ତଥାପି ସରକାରଙ୍କ କାନକୁ ଶୁଭିଲା ନାହିଁ ସେମାନଙ୍କ ସ୍ବର। ଶେଷରେ ଦୁଷ୍କର୍ମ ଉଦ୍ୟମର ଶିକାର ହେଲେ।

ବଡ଼ କଥା ହେଉଛି ଲୋୟର ପିଏମଜିରେ ଦୁଇ ଭଉଣୀ ଦୁଷ୍କର୍ମ ଉଦ୍ୟମର ଶିକାର ହେବା କମିସନରେଟ ପୁଲିସ ପ୍ରତି ଆଙ୍ଗୁଳି ନିର୍ଦେଶ କରିଛି। କେଉଁଠି ନାଁ କେଉଁଠି ପୁଲିସ ପ୍ରଶାସନ ପ୍ରତି ସାଧାରଣ ଲୋକଙ୍କ ଭୟ କମିଯାଉଥିବା ବାରି ହୋଇ ପଡିଲାଣି।

ପ୍ରାୟ ୨୦ ବର୍ଷ ପୂର୍ବେ ନିଜ ଗାଁରୁ ବିସ୍ଥାପିତ ହୋଇ ଲମତାପୁଟରେ ଆଶ୍ରୟ ନେଇଥିଲେ ଉକ୍ତ ଦଳିତ ପରିବାର। ଗତ ୨୦୧୬ ମସିହା ଡିସେମ୍ବର ୫ ତାରିଖରେ ସେମାନଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ବାପାଙ୍କ ମୃତ୍ୟୁ ପରେ ‌ପୈତୃକ ଗାଁକୁ ଶବ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କ ବାପାଙ୍କ ଶବକୁ ଫିଙ୍ଗିଦେବା ସହ ଦୁଇ ଭଉଣୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଜମିବାଡ଼ି ହଡପ କରିନେଇଥିବା ଦୁଇ ଭଉଣୀ ଅଭିଯୋଗ କରିଛନ୍ତି। ବାପାଙ୍କ ମୃତ୍ୟୁ ପରେ ଜାତିଆଣ ଆକ୍ଷେପ କରି ବାପାଙ୍କ ଶେଷ କୃତ୍ୟ କରାଇ ନ ଦେବା ସହିତ ଉଚ୍ଚ ବର୍ଗର ଲୋକେ ନିର୍ଯାତନା ଦେଇଥିଲେ। ଦୁହେଁ ପୁଲିସ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ଥିଲେ। କୌଣସି ସୁଫଳ ନ ପାଇ ଶେଷରେ ସାରା ରାଜ୍ୟରେ ପଦଯାତ୍ରା କରିଥିଲେ। ଦିଲ୍ଲୀ ଯାଇ ରାମଲୀଳା ମୈଦାନରେ ଆତ୍ମାହୁତି ଦେବେ ବୋଲି ଚେତାଇ ଦେଇଛନ୍ତି ଦୁଇ ଭଉଣୀ।

ସମ୍ବନ୍ଧିତ ଖବର