ନାବାଳିକା ଗଣଦୁଷ୍କର୍ମ ମାମଲା: ଓଟିଭି ସାମ୍ବାଦିକଙ୍କୁ ମହିଳା ଥାନାରେ ଜେରା

ଚିହ୍ନଟ ହୋଇନାହାନ୍ତି ଅଭିଯୁକ୍ତ ପୁଲିସ ଅଧିକାରୀ, ରାଜ୍ୟପାଳଙ୍କୁ ଫେରାଦ ହେଲା ଷ୍ଟେଟ୍ ପ୍ରୋଗ୍ରେସିଭ୍ ଓମେନ୍ସ ଫୋରମ୍‌

ଭୁବନେଶ୍ବର: ଲକ୍‌ଡାଉନ୍‌ରେ ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଆଜି ମହିଳା ଥାନାରେ ଓଟିଭିର ଆଉଟପୁଟ୍ ମୁଖ୍ୟଙ୍କୁ ଜେରା କରାଯାଇଛି। ତାଙ୍କୁ ପ୍ରାୟ ସାଢେ ୩ ଘଣ୍ଟା ଧରି ଜେରା କରାଯାଇଛି। କିନ୍ତୁ ଏ ନେଇ ପୁଲିସ ମୁହଁ ଖୋଲି ନ ଥିବାବେଳେ ପୀଡ଼ିତାଙ୍କ ମା’ ଏବଂ ଓଟିଭି କର୍ମଚାରୀଙ୍କ ମଧ୍ୟରେ ଯେଉଁ ଟେଲିଫୋନ ବାର୍ତ୍ତାଳାପର ଅଡିଓ ଟେପ୍ ଟିଭିରେ ପ୍ରସାରଣ ହେଉଥିଲା, ତାହା ଉପରେ ଜେରା କରାଯାଇଥିବା ସୂଚନା ମିଳିଛି।

ଗତକାଲି ଓଟିଭିର ଇନ୍‌ପୁଟ୍‌ ମୁଖ୍ୟଙ୍କୁ ଜେରା କରାଯାଇଥିଲା। ଟିଭିରେ ପ୍ରସାରଣ ହେଉଥିବା ଅଡିଓ ଟେପ୍‌କୁ କାହିଁକି ପୁଲିସ ତଦନ୍ତ ସମୟରେ ଦାଖଲ କରାଯାଇ ନ ଥିଲା, ସେ ସମ୍ପର୍କରେ ଜେରା କରାଯାଇଥିଲା। ଦୁଇ କର୍ମଚାରୀଙ୍କୁ ଜେରା କରାଯାଇଥିବା ସମ୍ପର୍କରେ ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସେମାନଙ୍କ ପାଖରୁ ତଥ୍ୟ ମିଳିବା ଆଶା ରହିଛି। ତେଣୁ ସେମାନଙ୍କୁ ପଚରାଉଚରା କରାଯାଉଛି। ଅଧିକ ତଥ୍ୟ ହାସଲ ଲାଗି ଏତଲାରେ ନାଁ ନ ଥିବା କିଛି ଲୋକଙ୍କୁ ମଧ୍ୟ ପଚରାଉଚରା କରାଯିବ। ଏହି ମାମଲାରେ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି। ସାକ୍ଷୀମାନଙ୍କୁ ପଚରାଉଚରା କରାଯାଉଛି। ସମ୍ବେଦନଶୀଳ ମାମଲା ହୋଇଥିବାରୁ ତଦନ୍ତକାରୀ ଟିମ୍ ସବୁ ଦିଗକୁ ଆଧାର କରି ତଦନ୍ତ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ରାଜ୍ୟପାଳଙ୍କ ନିକଟରେ ଫେରାଦ୍ ହୋଇଛି ଷ୍ଟେଟ୍ ​​ପ୍ରୋଗ୍ରେସିଭ୍ ଓମେନ୍ସ ଫୋରମ୍। ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଫୋରମ୍‌ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯାଇଛି। ଏହି ମାମଲାରେ ରାଜ୍ୟପାଳ ହସ୍ତକ୍ଷେପ କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଫୋରମ୍ ଅଧ୍ୟକ୍ଷା ମମତା ସାମନ୍ତରାୟ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର