ରାଜଧାନୀର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲା: ହାତଗୋଡ଼ ବାନ୍ଧି ଦେଉଥିଲେ, ଭିଡିଓ ରେକର୍ଡିଂ କରୁଥିଲେ ଅଭିଯୁକ୍ତ

ଭୁବନେଶ୍ବର: ରାଜଧାନୀରେ ଘଟିଥିବା ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲା ଅନ୍ତରାଳେ ଛପିଥିବା ବୀଭତ୍ସ ଓ ଭୟଙ୍କର କାହାଣୀ ଗୋଟିକ ପରେ ଗୋଟିଏ ହୋ‌ଇ ପଦାକୁ ଆସିବାରେ ଲାଗିଛି। ଏ ପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତମାନଙ୍କୁ ଠାବ କରିବାରେ ବିଫଳ ହୋଇଥିବା ବେଳେ ସେମାନଙ୍କ ନାରକୀୟ କାଣ୍ଡର କାହାଣୀ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଅଭିଯୁକ୍ତମାନେ ହାତଗୋଡ଼ ବାନ୍ଧି ନାବାଳିକାକୁ ଦୁଷ୍କର୍ମ କରୁଥିଲେ ବୋଲି ଆଜି ଜଣାପଡ଼ିବା ପରେ ପୁଣି ରାଜଧାନୀରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି।

ଆଜି ପୀଡ଼ିତାଙ୍କ ମା’ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଭିଯୁକ୍ତମାନଙ୍କ ବୀଭତ୍ସ କାଣ୍ଡ ବାବଦରେ ଲିଖିତ ଭାବେ ଜଣାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ସେ ଏକ ଘରୋଇ ଟିଭି ଚ୍ୟାନେଲ୍‌ର ପୂର୍ବତନ କର୍ମଚାରୀ। ଲକ୍‌ଡାଉନ୍ ସମୟରେ ସମ୍ପୃକ୍ତ ଟିଭି ଚ୍ୟାନେଲ୍‌ରେ ମହିଳାଙ୍କ ୧୩ବର୍ଷୀୟା ଝିଅର ଏକ ପ୍ରମୋ ପ୍ରସାରଣ ହେଉଥିଲା। ଉକ୍ତ ପ୍ରମୋ କେତେବେଳେ ସୁଟିଂ ହେଲା ଓ କିଏ ସୁଟିଂ କଲା, ଏ ସବୁ ସେ ଜାଣିନଥିଲେ। ତାଙ୍କ ଅଜାଣତରେ ଏସବୁ ହୋଇଥିଲା ବୋଲି ଜାଣିବା ପରେ ସେ ଘରକୁ ଫେରି ଝିଅକୁ ପଚାରିଥିଲେ। ଏହା ପରେ ନାବାଳିକା ପୂରା ଘଟଣା କହିଥିଲେ। ସମ୍ପୃକ୍ତ ଟିଭି ଚ୍ୟାନେଲର ଦୁଇଜଣ କର୍ମଚାରୀ, ଦୁଇ ସୁରକ୍ଷାକର୍ମୀଙ୍କ ସହ ଆଉ କିଛି ବ୍ୟକ୍ତି ଘରକୁ ଆସିଥିଲେ। ପ୍ରମୋ ସୁଟିଂ କରିବା ପରେ ସେମାନେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମବେଳେ ତାଙ୍କ ହାତ, ଗୋଡ଼ ବାନ୍ଧି ଦେଇଥିଲେ। ଏମିତିକି ଦୁଷ୍କର୍ମ ସମୟରେ ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ। ଏମିତି ପ୍ରାୟ ୧୫ ଦିନ ଧରି ଚାଲିଥିଲା ବୋଲି ନାବାଳିକା ତାଙ୍କ ମା’ଙ୍କୁ କହିଥିଲେ।

newsstate

ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଭିଡିଓ ଭାଇରାଲ୍ କରିବା ସହ ମା’ ଝିଅଙ୍କୁ ଜୀବନରୁ ମାରି ଦେବାକୁ ସେମାନେ ଧମକ ଦେଇଥିଲେ। ତୁରନ୍ତ ସେ ଏ ସମ୍ପର୍କରେ ଟିଭି ଚ୍ୟାନେଲ୍‌ର ଏମ୍‌ଡିଙ୍କୁ ଜଣାଇଥିଲେ। ତେବେ ଏଭଳି ଏକ ସମ୍ବେଦନଶୀଳ ମାମଲାକୁ ଅନ୍ତରୀଣ କମିଟିର ତଦନ୍ତ ଆଳରେ ଏମ୍‌ଡି ନଜର ଅନ୍ଦାଜ୍‌ କରି ଘୋଡ଼ାଇବାକୁ ଉଦ୍ୟମ କରିଥିଲେ ବୋଲି ମା’ ଅଭିଯୋଗରେ ଦର୍ଶାଇଛନ୍ତି। ତେଣୁ ବାଧ୍ୟ ହୋଇ ସେ ମହିଳା ଥାନାର ଦ୍ବାରସ୍ଥ ହେଲେ ବୋଲି କହିଛନ୍ତି। ପୁଲିସ ମଧ୍ୟ ତଦନ୍ତ ଆଳରେ ଅଭିଯୁକ୍ତମାନଙ୍କୁ ଗିରଫ କରୁନାହିଁ ବୋଲି ସେ ଆପତ୍ତି ଉଠାଇଛନ୍ତି।‌ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଡିସିପି ଓ ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେବା ଲାଗି ସେ ଶିଶୁ ସୁରକ୍ଷା‌ ଆୟୋଗଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର