ରାଜଧାନୀରେ ଝଡ଼ାଫୁଙ୍କା, ଇଜ୍ଜତ ଲୁଟିଲା ବେଳେ ଧରିଲେ ଲୋକେ

ପୁରୁଣା ଭୁବନେଶ୍ୱର: ଭୂତ ଛଡ଼ାଇବାକୁ ଘର ଭିତରେ ପୂଜା କଲା ବେଳେ ମହିଳାଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି ଆତ୍ମଘୋଷିତ ବାବା। କଟକର ଏହି ଯୁବକକୁ ଏୟାରଫିଲ୍ଡ ପୁଲିସ ଗିରଫ କରିଛି। ସେ ହେଉଛି ଜଗତ୍‌ସିଂହପୁର ଜିଲ୍ଲା ବିରିଡ଼ି ଥାନା ଚାନ୍ଦିପୁରର ଗଣେଶ ନାଥ। ଆଉ କେଉଁଠି ଏଭଳି କାଣ୍ଡ କରିଛି କି ନାହିଁ ବା କେତେଦିନ ହେଲା ଏଭଳି କାଣ୍ଡ କରୁଛି ସେ ନେଇ ଅଧିକ ପଚରା ଉଚରା ଚାଲିଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

କେଉଁ ଉପାନ୍ତ କିମ୍ବା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନୁହେଁ, ବରଂ ରାଜଧାନୀରେ ଚାଲିଛି ଝଡ଼ାଫୁଙ୍କା। କପିଳେଶ୍ବରପୁରରେ ଏକ ଶିଶୁ ଅସୁସ୍ଥ ଥିଲା। ତା’ର ମୁଣ୍ଡ ବୁଲାଇବା ସହ କାନକୁ ଶୁଭୁନଥିଲା। ଚିକିତ୍ସା କରିବା ପାଇଁ ପରିବାରବର୍ଗ ଗଣେଶ ସହ ଯୋଗାଯୋଗ କରିଥିଲେ। ପୂର୍ବରୁ ଗଣେଶ ଏହି ଅଞ୍ଚଳରେ ଏଭଳି ଝଡ଼ାଫୁଙ୍କ କରି ରୋଗ ଭଲ କରିଥିବା ପ୍ରଚାର ହୋଇଥିବାରୁ ପରିବାରବର୍ଗ ତାକୁ ଯୋଗାଯୋଗ କରିଥିଲେ। ପ୍ରଥମେ ୫ ହଜାର ଟଙ୍କା ନେଇ ପୂଜା କରିଥିବା ବେଳେ ରୋଗ ଭଲ ହୋଇନଥିଲା। ପରେ ସେ ଆହୁରି ୫ ହଜାର ଟଙ୍କା ସହ ମଦ ନେଇଥିଲା। ‘ଶିଶୁ ଦେହରେ ଭୂତ ଲାଗିଛି, ଲାଗିଥିବା ଭୂତ ମଦ ଖାଉଥିବାରୁ ତାକୁ ମଦ ଦିଆଯିବ’ ବୋଲି ସେ କହିଥିଲା। ପରିବାର ସଦସ୍ୟ ଦିନ ମଜୁରିଆ ହୋଇଥିଲେ ମଧ୍ୟ ଯୋଗାଡ଼ କରି ୧୦ ହଜାର ଟଙ୍କା ଓ ମଦ ଦେଇଥିଲେ। ଶିଶୁକନ୍ୟାକୁ ଧରି ସେ ଆଜି ଅପରାହ୍ନ ୩ଟା ୩୦ ମିନିଟ୍‌ରେ ଗୋଟିଏ ଘରେ ପଶି ପୂଜାର୍ଚ୍ଚନା କରିଥିଲା। ସନ୍ଧ୍ୟା ୫ଟା ବେଳେ ଶିଶୁର ମା’ଙ୍କୁ ଡାକିଥିଲା। ମା’ ଭିତରକୁ ଯିବା ପରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ସେ ଚିତ୍କାର କରିବାରୁ ଗଣେଶ ତାଙ୍କ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିଥିଲା। ବାହାରେ ଲୋକ ଜମା ହେବା ସହ କବାଟ ବାଡ଼େଇବାରୁ ‌ଛାଡ଼ି ଦେଇଥିଲା। ଏହା ପରେ ଲୋକମାନେ ତାକୁ ଧରି ଉତ୍ତମ ମଧ୍ୟମ ଦେବା ସହ ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର