ବନ୍ଧୁକ ମୁନରେ ଦୁଷ୍କର୍ମ ମାମଲା : ଅଭିଯୁକ୍ତ ସୁବେଦାର୍‌ ଫେରାର୍‌

ଭୁବନେଶ୍ବର : ସରକାରୀ କ୍ବାର୍ଟର୍ସରେ ଯୁବତୀଙ୍କୁ କରାଯାଇଥିବା ଦୁଷ୍କର୍ମ ଘଟଣାରେ କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁ କରିଛି। ସପ୍ତମ ବାଟାଲିଅନର ଅଭିଯୁକ୍ତ ସୁବେଦାର ଦେବାଶିଷ ସ୍ବାଇଁଙ୍କ ବିରୋଧରେ ଆଇପିସି ଦଫା – ୩୭୬(୨)(ଏ), ୩୪୪, ୫୦୬ ଏବଂ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଧାରା – ୨୫ ଏବଂ ୨୭ ଅନୁସାରେ ମାମଲା ରୁଜୁ ହୋଇଛି। ଆଜି ପୁଲିସ ପୀଡ଼ିତାଙ୍କର ବୟାନ ରେକର୍ଡ କରିବା ସହ ଡାକ୍ତରୀମାଇନା କରାଇଛି। ତେବେ ଅଭିଯୁକ୍ତଙ୍କ ସରକାରୀ କ୍ବାର୍ଟର୍ସରେ ଚଢ଼ଉ କରିବା ପୂର୍ବରୁ ଅଭିଯୁକ୍ତ ସେ ଫେରାର ହୋଇ ଯାଇଛନ୍ତି। ଅଭିଯୁକ୍ତ ସୁବେଦାର ଦେବାଶିଷ ଏବେ କେଉଁଠି ଆତ୍ମଗୋପନ କରିଛନ୍ତି, ତାହା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।

ଆଜି ପୀଡ଼ିତାଙ୍କ ବୟାନରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଦେବାଶିଷ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁଷ୍କର୍ମ କରିଥିଲେ ବୋଲି ଯୁବତୀ ସଂଗିନ୍ ଅଭିଯୋଗ ଆଣିଛନ୍ତି। ତାଙ୍କ ବୟା‌ନ ଅନୁସାରେ ଗତ ମାର୍ଚ୍ଚ ୨୮ ତାରିଖରେ ଦେବାଶିଷ ଘରେ କାମ କରିବା ଲାଗି ତାଙ୍କୁ ତାଙ୍କ ୟୁନିଟ୍-୧ସ୍ଥିତ କ୍ବାର୍ଟର୍ସକୁ ଆଣିଥିଲେ। ଖାଇବା ପିଇବା ସହ ମାସକୁ ୪ ହଜାର ଟଙ୍କା ଦେବେ ବୋଲି କହିଥିଲେ। ସେ‌ହି ସମୟରେ ଦେବାଶିଷଙ୍କ ପତ୍ନୀ ଓ ପିଲାଛୁଆ ସେଠାରେ ନଥିଲେ। ଲକ୍‌ଡାଉନ୍‌ ପାଇଁ ସେମାନେ ଗାଁକୁ ଯାଇଛନ୍ତି ବୋଲି ଦେବାଶିଷ ତାଙ୍କୁ କହିଥିଲେ। ତେଣୁ ପରିବାରଲୋକ ଗାଁରୁ ଫେରିବା ପରେ ସେ ତାଙ୍କ ଘରେ କାମ ଆରମ୍ଭ କରିବେ ବୋଲି ପୀଡ଼ିତା କରିଥିଲେ ଓ ସେଠାରୁ ଯିବା ପାଇଁ ବାହାରିଥିଲେ। କିନ୍ତୁ ଦେବାଶିଷ ହଠାତ୍ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଚୁପ୍‌ ରହିବାକୁ ନିର୍ଦ୍ଦେଶ ଦେବା ସହ ଗୋଟିଏ ରୁମ୍‌ରେ ପୂରାଇ ତାଲା ପକାଇ ଦେଇଥିଲେ। ଏହା ପରେ ସେ ନିୟମିତ ଡ୍ୟୁଟିରୁ ଫେରିବା ପରେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଦୁଷ୍କର୍ମ କରୁଥିଲେ। ଏମିତିକି ତାଙ୍କୁ ବିବାହର ପ୍ରଲୋଭନ ମଧ୍ୟ ଦେଖାଇଥିଲେ ବୋଲି ପୀଡ଼ିତା ଆଜି ବୟାନ ଦେଇଛନ୍ତି। ଗତ ୧ ତାରିଖରେ ପୀଡ଼ିତାଙ୍କୁ ନେଇ ସେ ଜାଭିଅର୍‌ ଛକ ନିକଟରେ ଛାଡ଼ି ଦେଇଥିଲେ। ଘଟଣା ସମ୍ପର୍କରେ କାହା ଆଗରେ କହିଲେ ଗୁଳି କରିଦେବାକୁ ଦେବାଶିଷ ଧମକ ଦେଇଥିଲେ ବୋଲି ପୀଡ଼ିତା କହିଛନ୍ତି।

ଅଭିଯୋଗରୁ ଜଣାପଡ଼ିଛି ଯେ ୨୫ ବର୍ଷୀୟା ଏହି ପୀଡ଼ିତାଙ୍କ ଘର ଯାଜପୁର ଧର୍ମଶାଳା ଅଞ୍ଚଳରେ। ସେ ଜାଭିଅର୍‌ ଛକ ନିକଟରେ ରୁହନ୍ତି। ଦୁଇ ବର୍ଷ ତଳେ ଆଚାର୍ଯ୍ୟ ବିହାର ଛକ ନିକଟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ସେହି ବାଟ ଦେଇ ଯାଉଥିବା ଦେବାଶିଷ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ଚିକିତ୍ସା କରାଇବା ପରେ ଦେବାଶିଷ ତାଙ୍କୁ ଘରେ ଛାଡ଼ି ଦେଇଥିଲେ। ସେବେଠାରୁ ସେମାନଙ୍କ ଭିତରେ ପରିଚୟ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର