ଭୁବନେଶ୍ୱର: ନିକଟ ଅତୀତରେ କମିସନରେଟ୍‌ ପୁଲିସ୍‌ ବାର୍ଷିକ ଅପରାଧ ପରିସଂଖ୍ୟାନ ପ୍ରକାଶ କରିଛି। ଏଥିରେ ଦୁଷ୍କର୍ମର ଚିତ୍ର ଉଦ୍‌ବେଗଜନକ ରହିଛି। କ୍ରମାଗତ ଭାବରେ ଏହି ସଂଖ୍ୟା ବର୍ଷକୁ ବର୍ଷ ବଢ଼ି ଚାଲିଛି। ମହିଳାଙ୍କୁ ଦୁଷ୍କର୍ମ କମୁଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ନାବାଳିକାଙ୍କୁ ଦୁଷ୍କର୍ମ ବଢ଼ିବାରେ ଲାଗିଛି। ଅଭିଯୁକ୍ତ ନାବାଳିକାଙ୍କୁ ଟାର୍ଗେଟ କରୁଥିବା ଏହି ପରିସଂଖ୍ୟାନ ସୂଚନା ଦେଉଛି। ଏହି ଦୁଷ୍କର୍ମ ମାମଲାର ୭୦ ପ୍ରତିଶତ କେବଳ ପ୍ରେମ ଓ ପଳାୟନ ଜନିତ ବୋଲି ଜଣାପଡ଼ିଛି। ଯାହା ଅଭିଭାବକଙ୍କ ଚିନ୍ତାର କାରଣ ସାଜିଛି। ପୁଲିସ୍‌ ପରିସଂଖ୍ୟାନ ମୁତାବକ ୨୦୧୩ରେ ନାବାଳିକା ଦୁଷ୍କର୍ମ ମାମଲା ସଂଖ୍ୟା ୨୭ ଥିବା ବେଳେ ୨୦୧୪ରେ ୪୩, ୨୦୧୫ରେ ୫୯, ୨୦୧୬ରେ ୪୯ ଓ ୨୦୧୭ରେ ଏହାର ସଂଖ୍ୟା ବୃଦ୍ଧି ପାଇ ୮୨ରେ ପହଞ୍ଚିଛି। ଅର୍ଥାତ୍‌ ୫ ବର୍ଷରେ ନାବାଳିକାଙ୍କୁ ଦୁଷ୍କର୍ମ ୩ ଗୁଣ ବଢ଼ିଛି। ସେହିଭଳି ୨୦୧୭ରେ ସାବାଳିକା ଦୁଷ୍କର୍ମ ମାମଲା ୪୩ଟି ପଞ୍ଜୀକୃତ ହୋଇଛି। ଏଭଳି ମୋଟ ୧୨୫ଟି ଦୁଷ୍କର୍ମ ମାମଲା ଭୁବନେଶ୍ୱର କମିସନରେଟ୍‌ ପୁଲିସ୍‌ ଅଧୀନରେ ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଛି। ଏହି ୧୨୫ ପଞ୍ଜୀକୃତ ମାମଲାରୁ ୮୦ ପ୍ରତିଶତ ବା ୧୦୦ଟି ମାମଲା ପ୍ରେମ ବା ପଳାୟନ ଯୋଗୁ ହୋଇଥିବା ପୁଲିସ୍‌ କହିଛି। ଏହା ବାଦ୍‌ ସମପରିମାଣର ମାମଲା ଆପୋସ ବୁଝାମଣାରେ ସମାଧାନ ହୋଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। କେତେକ ଘଟଣାରେ ଅଭିଯୁକ୍ତର ଧମକରେ ପୀଡ଼ିତା ଅଭିଯୋଗ କରିବା ପାଇଁ ଆସି ନଥିବା ବେଳେ କେତେକ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ସମାଧାନ ହୋଇଛି। କେତେକ ଲୋକଲଜ୍ଜ୍ୟାକୁ ଭୟ କରି ପୁଲିସ୍‌ ପାଖକୁ ଆସି ନଥିବା ବେଳେ କେତେକ ଘଟଣା ପୀଡ଼ିତାଙ୍କ ପାଖରେ ହିଁ ସୀମିତ ରହିଛି। ଆଉ କିଛି ଦୁଷ୍କର୍ମର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି। ଏହି ଅଘଟଣ ଦୁଷ୍କର୍ମ ଜନିତ ହୋଇଥିଲେ ମଧ୍ୟ ଅପମୃତ୍ୟୁ ଭାବରେ ପଞ୍ଜୀକୃତ ହୋଇଛି। ଏଣୁ ଏହି ସବୁ ତଥ୍ୟକୁ ବିଚାରକୁ ନେଲେ ନାବାଳିକା ଦୁଷ୍କର୍ମ ମାମଲା ପୁଲିସ୍‌ ପଞ୍ଜୀକୃତ ମାମଲାଠାରୁ ଢେର ଅଧିକା ହେବ ବୋଲି ଅନୁମେୟ ହେଉଛି। ବଡ଼କଥା ହେଉଛି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଉଥିଲେ ମଧ୍ୟ ପରବର୍ତୀ ସମୟରେ ସେମାନେ ବିନା ଦୋଷରେ ମୁକ୍ତ ହେଉଥିବା ପ୍ରମାଣ ରହିଛି।

Advertisment

ଏହି ପରିସଂଖ୍ୟାନକୁ ନେଇ ଅଭିଭାବକଙ୍କର ଚିନ୍ତା ବଢ଼ିଛି। ନାବାଳିକା ପ୍ରେମ ଫାସରେ ସହଜରେ ପଡ଼ି ଯାଉଥିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ଟାର୍ଗେଟ କରୁଛନ୍ତି। ନାବାଳିକାଙ୍କୁ ପ୍ରେମ ଫାସରେ ପକାଇ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଖସି ଯାଉଛି। ଏହାର ପରବର୍ତୀ ପରିସ୍ଥିତି ଭୟଙ୍କର ହେଉଛି। ମାନସିକ ନିର୍ଯାତନାରେ ନାବାଳିକା ଛଟପଟ ହେଉଥିବା ବେଳେ ତାର ଭବିଷ୍ୟତକୁ ନେଇ ପରିବାରବର୍ଗ ପ୍ରମାଦ ଗଣୁଛନ୍ତି। ଜୀବନସାରା ଅପବାଦର ଭୟ ମୁଣ୍ଡରେ ମୁଣ୍ଡାଇ ଉଭୟ ପରିବାର ବର୍ଗ ଓ ନାବାଳିକାକୁ ଚାଲିବା କଷ୍ଟକର ହେଉଥିବା ଅଭିଭାବକମାନେ କହିଛନ୍ତି।