ବିବାହିତା ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା: ୬ରୁ ଅଧିକ କରିଥିଲେ ଦୁଷ୍କର୍ମ

ମା’ ପାଇଁ ନ୍ୟାୟ ମାଗିବାକୁ ଆସିଲା ୧୦ ବର୍ଷର ପୁଅ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଡେଙ୍ଗସରଗି ଅଞ୍ଚଳର ବିବାହିତା ଆଦିବାସୀ ମହିଳାଙ୍କୁ ୪ ନୁହେଁ ବରଂ ପ୍ରାୟ ୬ରୁ ଅଧିକ ଯୌନ ପିଶାଚ ଗଣଦୁଷ୍କର୍ମ କରିଥିବା କୁହାଯାଉଛି। ଏହି ଘଟଣାରେ ଅଇଁଠାପାଲି ପୁଲିସ ୫୫୭/୧୯ରେ ମାମଲା ରୁଜୁ କରି ସୋମବାର ସୁଦ୍ଧା ୪ ଜଣ ଯୁବକଙ୍କୁ ଗିରଫ କରିଥିଲା। ତେବେ ଆଜି ଏହି ଘଟଣାରେ ଆଉ ୨ଜଣଙ୍କୁ ପୁଲିସ ଅଟକ ରଖିଛି। ଏହି ୨ ନାବାଳକ ଅଭିଯୁକ୍ତ ମଧ୍ୟ ସେହି ଗ୍ରାମର ହୋଇଥିବାବେଳେ ସେମାନଙ୍କର ସିଧାସଳଖ ସମ୍ପୃକ୍ତି ଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ପୁଲିସ ନିକଟରେ ଥିବା ତଥ୍ୟ ମୁତାବକ, ଉକ୍ତ ୪ ଅଭିଯୁକ୍ତ ଗଣଦୁଷ୍କର୍ମ କରିବା ପରେ ଏହି ୨ ନାବାଳକ ସେଠାରେ ପହଞ୍ଚି ବ୍ଲାକ୍‌ମେଲ କରିବାକୁ ଚେଷ୍ଟା କରିଥିଲେ। ଶେଷରେ ‌ସେମାନେ ମଧ୍ୟ ଦୁଷ୍କର୍ମ କରିଥିଲେ ବୋଲି ଜଣାପଡ଼ିଛି। ଅପରପ‌କ୍ଷେ, ଏହି ଘଟଣାରେ ସମ୍ପୃକ୍ତ ଥିବା‌ ଆଉ ୨ ଜଣ ସନ୍ଦିଗ୍ଧଙ୍କୁ ମଧ୍ୟ ପୁଲିସ ଖୋଜୁଥିବା ସୂଚନା ମିଳିଛି।

ଦୁଇ ନାବାଳକଙ୍କୁ ଅଟକ ରଖି ପଚରାଉଚରା
ଡାକ୍ତରଖାନାରେ ପୀଡ଼ିତାଙ୍କ ବୟାନ ରେକର୍ଡ

ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ମଙ୍ଗଳବାର ବୁର୍ଲା ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ‌ରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଅପରପକ୍ଷେ ଘଟଣାସ୍ଥଳରୁ ପୁଲିସ ଜବତ କରିଥିବା ଜୋତା, ମଦ ପାଉଚ୍‌, ପିନ୍ଧା ଲୁଗା‌ ଆଦିକୁ ବୁଧବାର କୋର୍ଟରେ ଜମା କରାଯିବା ପରେ ସେଗୁଡ଼ିକ ଯାଞ୍ଚ ପାଇଁ ଫରେନ୍‌ସିକ ଲାବୋରେଟୋରିକୁ ପଠାଯିବ। ରବିବାର ସକାଳୁ ଅଇଁଠାପାଲି ପୁଲିସ ପୀଡ଼ିତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିବା ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୀଡ଼ିତା ଆଉ ୫-୬ ଦିନ ମଧ୍ୟରେ ପୀଡ଼ିତା ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବାର ସମ୍ଭାବନା ରହିଥିବା ବୁର୍ଲା ଡାକ୍ତରଖାନା ଭାରପ୍ରାପ୍ତ ନିର୍ଦେଶକ ପ୍ରଫେସର ବର୍ଷା ଟୁଡୁ କହିଛନ୍ତି।

Deccan Herald

ଅଇଁଠାପାଲି ଡେଙ୍ଗସରଗି ଅଞ୍ଚଳରେ ହୋଇଥିବା ଗଣଦୁଷ୍କର୍ମ ଘଟଣା ରାଜ୍ୟବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ସମୟରେ ମଙ୍ଗଳବାର ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଏକ ଅମାନବୀୟ ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପୀଡ଼ିତାଙ୍କ ୧୦ ବର୍ଷର ଶିଶୁ ପୁଅ ମଙ୍ଗଳବାର ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ କନୱର ବିଶାଳ ସିଂଙ୍କ ଦ୍ବାରସ୍ଥ ହୋଇ ମା’ଙ୍କ ପାଇଁ ନ୍ୟାୟ ଭିକ୍ଷା କରିଥିଲା। ୨ ବର୍ଷ ବୟସରୁ ବାପାଙ୍କୁ ହରାଇଥିବା ଏହି ଶିଶୁଟି ଏବେ ମା’ଙ୍କ ଜୀବନକୁ ନେଇ ବି ଚିନ୍ତାରେ ଅଛି। ଏହି ସମୟରେ ପୀଡ଼ିତାଙ୍କ ଶ୍ବଶୁର ମଧ୍ୟ ଉପସ୍ଥିତ ଥିଲେ। ବୋହୂକୁ କିଭଳି ଭାବେ ଠିକ୍‌ରେ ଚିକିତ୍ସା ମିଳିପାରିବ ଓ ଦୋଷୀକୁ ଫାଶୀ ଖୁଣ୍ଟରେ ଝୁଲାଯିବ ସେଥିପାଇଁ ପୁଲିସ ବ୍ୟବସ୍ଥା କରୁ ବୋଲି ପୀଡ଼ିତାଙ୍କ ଶ୍ବଶୁର ଦାବି କରିଥିଲେ। ପୀଡ଼ିତାଙ୍କ ପୁଅ, ଝିଅଙ୍କ ପାଠ ପଢ଼ା ଯେପରି କୌଣସି ବ୍ୟାଘାତ ନହୁଏ ସେଥିପାଇଁ ମଧ୍ୟ ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର