‌ବସ୍ତିରୁ ଟେକିନେଇ ମହିଳାଙ୍କୁ ଗଣଦୁଷ୍କର୍ମ, ୪୮ ଘଣ୍ଟା ପରେ ଜଣେ ଗିରଫ

ଚନ୍ଦ୍ରଶେଖରପୁର: ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ନୀଳାଦ୍ରିବିହାର ଅଞ୍ଚଳରେ ଥିବା ଏକ ବସ୍ତିରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ନୀଳ ପଟ୍ଟନାୟକ (୨୮)। ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ସାଗର ନାୟକ ଫେରାର୍‌ ହୋଇଯାଇଛି। ପୁଲିସ ତାକୁ ଧରିବା ପାଇଁ ତନାଘନା ଚଳାଇଛି।

ଅଭିଯୋଗ ଅନୁଯାୟୀ, ଦୁଇ ଦିନ ତଳେ ସ୍ଥାନୀୟ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ସାଗର ଓ ନୀଳ ସଂଧ୍ୟା ସମୟ‌ରେ ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ଏହାସହ ସେମାନେ ଦୁଷ୍କର୍ମ ସମୟରେ ମହିଳାଙ୍କର ଭିଡିଓ ସୁଟିଂ ମଧ୍ୟ କରିଥିଲେ। ଏନେଇ ଥାନାରେ ଅଭିଯୋଗ କଲେ ଉକ୍ତ ଭିଡିଓକୁ ଭାଇରାଲ୍‌ କରିଦେବେ ବୋଲି ଅଭିଯୁକ୍ତଦ୍ବୟ ତାଙ୍କୁ ଧମକ ଦେଇଥିଲେ। ମାତ୍ର ମହିଳାଜଣଙ୍କ ଏନେଇ ପରିବାରଲୋକଙ୍କୁ ସୂଚନା ଦେବା ପରେ ଥାନାରେ ଅଭିଯୋଗ ହୋଇଥିଲା। ସାଗର ଓ ନୀଳ ପୂର୍ବରୁ ମଧ୍ୟ ମହିଳାଜଣଙ୍କୁ ବାରମ୍ବାର ଅସଦାଚରଣ କରୁଥିବା ନେଇ ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ୍ ସେମାନଙ୍କୁ ଗିରଫ କରିବା ପରିବର୍ତ୍ତେ ତାଗିଦ୍‌ କରି ଛାଡ଼ି ଦେଇଥିଲା। ତେଣୁ ରାଗ ଶୁଝାଇବା ପାଇଁ ସେମାନେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି କୁହାଯାଉଛି। ପୁଲିସ୍‌ ସୂଚନା ଅନୁଯାୟୀ, ନୀଳ ଓ ତା’ ବାପା ପେସାଦାର ଅପରାଧୀ। ସେମାନେ ପାଖାପାଖି ୧୫ରୁ ଅଧିକ ଥର ବିଭିନ୍ନ ‌ମାମଲାରେ ଜେଲ୍‌ ଯାଇ ଫେରିଥିବା ପୁଲିସ୍ କହିଛି।

ସମ୍ବନ୍ଧିତ ଖବର