ଭୁବନେଶ୍ବର: ବରା, ପିଆଜି ଦେବାର ଲୋଭ ଦେଖାଇ ଜଣେ ଲମ୍ପଟ ପରିବା ଦୋକାନୀ ଏକ ଗରିବ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଘଟଣା ଆଜି ତମାଣ୍ଡୋ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତମାଣ୍ଡୋ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସୈତାନ ପରିବା ବେପାରୀ ଫେରାର୍ ହୋଇଯାଇଛି। ଅଭିଯୋଗ ଅନୁସାରେ ୧୨ ବର୍ଷର ଏହି ନାବାଳିକାଙ୍କ ବାପା ଜଣେ ଦିନ ମଜୁରିଆ ଏବଂ ମା’ ଦିବ୍ୟାଙ୍ଗ(ଦୃଷ୍ଟିବାଧିତ)। ଅଭିଯୁକ୍ତ ପରିବା ଦୋକାନୀର ଲୋଲୁପଦୃଷ୍ଟି ନାବାଳିକା ଉପରେ ପଡ଼ିଥିଲା। ଏକଦା ଝିଅଟି ପରିବା କିଣିବାକୁ ଆସିଥିବା ବେଳେ ସେ ବରା ଓ ପିଆଜି ଖାଇବାକୁ ଦେବାକୁ କହି ତାକୁ ଦୋକାନ ଭିତରକୁ ଡାକିନେଇଥିଲା। ନିରୀହ ନାବାଳିକା ପିଶାଚ ପରିବା ଦୋକାନୀ କଥାରେ ଭଳିଯାଇ ଦୋକାନ ଭିତରକୁ ଚାଲିଯାଇଥିଲା।

Advertisment

ପରିବା ଦୋକାନୀ ନାବାଳିକାର ମୁହଁକୁ ଚାପି ଧରି ଦୁଷ୍କର୍ମ କରିଥିଲା ଏବଂ ୧୦୦ ଟଙ୍କା ଦେଇ ଛାଡ଼ିଦେଇଥିଲା। ଏକଥା କାହାକୁ କହିଲେ, ତା’ ବାପାଙ୍କୁ ବାଡ଼େଇବ ବୋଲି ଧମକ ଦେଇଥିଲା। ଏହାର କିଛି ଦିନ ପରେ ସେ ନାବାଳିକାକୁ ପୁଣଇ ଥରେ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା ଏବଂ ୨ ଶହ ଟଙ୍କା ଧରେଇ ଚୁପ୍‌ ରହିବାକୁ ଧମକ ଦେଇଥିଲା। ତେବେ ତୃତୀୟ ଥର ଯେତେବେଳେ ପରିବା ଦୋକ‌ାନୀ ନାବାଳିକାଙ୍କୁ ରାସ୍ତାରୁ ଟାଣି ନେଉଥିଲା, କଥା ପ୍ରଘଟ ହୋଇଗଲା। ନାବାଳିକାଟି କାନ୍ଦି କାନ୍ଦି ପାଖ ପଡ଼ୋଶୀମାନଙ୍କୁ ଜଣାଇବା ପରେ ପରିବା ଦୋକାନୀ ସେଠାରୁ ଦୌଡ଼ିଦୌଡ଼ି ଛୁ’ ମାରିଥିଲା। ମହିଳାମାନେ ନାବାଳିକାଙ୍କ ବାପାମା’ଙ୍କୁ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରାଇଛନ୍ତି। ପୁଲିସ ନାବାଳିକାଙ୍କୁ ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରିଛି।