ବମିଖାଲରେ ରାପିଡ୍‌ ଟେଷ୍ଟ, ପ୍ରଥମ ଦିନରେ ୮୩୮ ନମୁନା ସଂଗ୍ରହ

୭ ଦିନରେ ୫ହଜାର ନମୁନା ସଂଗ୍ରହ ପାଇଁ ଜୋରଦାର ହେଲା ଅଭିଯାନ

ଭୁବନେଶ୍ବର : କରୋନା ହଟସ୍ପଟ୍‌ ପାଲଟିଥିବା ଭୁବନେଶ୍ବରରେ ଆଜିଠାରୁ ନମୁନା ସଂଗ୍ରହ ଜୋରଦାର୍ ହୋଇଛି। ୭ ଦିନରେ ୫ ହଜାର କୋଭିଡ୍‌-୧୯ ପରୀକ୍ଷା ହେବାକୁ ଥିବାରୁ ପ୍ରଥମ ଦିନରେ ୮୩୮ଜଣଙ୍କର ନମୁନା ସଂଗ୍ରହ ହୋଇଛି। ଏଥିରେ ବିଏମ୍‌ସିର ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୧୫୩ଜଣ, ଉତ୍ତର ଜୋନରେ ୯୬ଜଣ ଏବଂ ଦକ୍ଷିଣ-ପୂର୍ବ ଜୋନରେ ୫୮୯ଜଣଙ୍କର ନମୁନା ସଂଗ୍ରହ ହୋଇଛି। ଦକ୍ଷିଣ-ପଶ୍ଚିମ ଜୋନ୍‌ ଓ ଉତ୍ତର ଜୋନରେ ସମସ୍ତଙ୍କର ସ୍ବାବ୍ ଟେଷ୍ଟ ହୋଇଥିବାବେଳେ ଦକ୍ଷିଣ ପୂର୍ବ ଜୋନରେ ପୂର୍ବାହ୍ନରେ ସ୍ବାବ୍ ଟେଷ୍ଟ ଓ ଅପରାହ୍‌ଣରେ ରାପିଡ୍‌ ଟେଷ୍ଟ ହୋଇଛି। ବମିଖାଲ ଅଞ୍ଚଳରେ ରାପିଡ୍‌ ଟେଷ୍ଟ ହୋଇଥିବା ଜଣାପଡ଼ିଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରତି ଜୋନରେ ଦିନକୁ ୨୦୦ ନମୁନା ସଂଗ୍ରହ କରିବାକୁ ଟାର୍ଗେଟ୍‌ ଦିଆଯାଇଛି। ଏଥିପାଇଁ ପୂର୍ବାହ୍ନରେ ଗୋଟିଏ ଟିମ୍‌ ୧୦୦ ନମୁନା ଓ ଅପରାହ୍‌ଣରେ ଗୋଟିଏ ଟିମ୍ ୧୦୦ ନମୁନା ସଂଗ୍ରହ କରିବ। ଆଜି ପ୍ରଥମ ଦିନ ଥିବାରୁ ଦକ୍ଷିଣ-ପଶ୍ଚିମ ଓ ଉତ୍ତର ଜୋନରେ କମ୍‌ ନମୁନା ସଂଗ୍ରହ ହୋଇଛି। ଏହି ଦୁଇଟି ଜୋନରେ ଦୁଇଟି ଲେଖାଏ ଟିମ୍‌ ନମୁନା ସଂଗ୍ରହ କରିଥିବା ବେଳେ ୯ଟି ଟିମ୍‌ ଦକ୍ଷିଣ-ପୂର୍ବ ଜୋନରେ ନମୁନା ସଂଗ୍ରହ କରିଛି। ଭୁବନେଶ୍ବରରେ ଯେପରି କମ୍‌ ସମୟରେ ଅଧିକ ଲୋକଙ୍କର ନମୁନା ସଂଗ୍ରହ ହେବ, ସେଥିପାଇଁ ୧୩ଟି ଟିମ୍‌ ଗଠନ ହୋଇଛି। ପ୍ରତି ଟିମ୍‌ରେ ୬ ଜଣ ଲେଖାଏ ସଦସ୍ୟ ଅଛନ୍ତି। ଏଥିରେ ୩ଜଣ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ (ଜଣେ ଡାକ୍ତର), ଦୁଇ ଜଣ ଶିକ୍ଷକ ଏବଂ ଜଣେ ପରିମଳ କର୍ମଚାରୀ ଅଛନ୍ତି। ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ନମୁନା ସଂଗ୍ରହ କରିବେ, ଶିକ୍ଷକ ତଥ୍ୟ ରଖିବେ ଏବଂ ପରିମଳ କର୍ମଚାରୀ ସହାୟତା କରିବେ। ପ୍ରତି ଜୋନ୍‌କୁ ଦୁଇଟି ଲେଖାଏ ଟିମ୍ ଦିଆଯାଇଛି। ବାକି ୭ଟି ଟିମ୍‌କୁ ସଂରକ୍ଷିତ ରଖାଯାଇଛି। ଏହାକୁ ଭାଗଭାଗ କରି ଅନ୍ୟ ଜୋନ୍‌କୁ ପଠାଯିବ। ଯେଉଁଠି ୨୦୦ରୁ ଅଧିକ ନମୁନା ପରୀକ୍ଷା ହେବାର ଥିବ ଏବଂ ରାପିଡ୍‌ ଟେଷ୍ଟ ହେବାର ଥିବ, ସେଠାକୁ ଅଧିକ ଟିମ୍‌ ଯିବେ। ରବିବାର ଅନ୍ୟ ଦୁଇଟି ଜୋନରେ ରାପିଡ୍‌ ଟେଷ୍ଟ ହେବାକୁ ଥିବାରୁ ନିୟୋଜିତ ହୋଇଥିବା ଦୁଇଟି ଟିମ୍‌ ବାଦ୍‌ ଅଧିକ ଟିମ୍ ଯିବ ବୋଲି କୁହାଯାଇଛି। ସକାଳ ୮ଟାରୁ ଦିନ ୧୧ଟା ଏବଂ ଅପରାହ୍‌ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ଦୁଇଟି ସିଫ୍ଟ‌‌‌ରେ ଏହି ନମୁନା ସଂଗ୍ରହ ହେବ।

ସମ୍ବନ୍ଧିତ ଖବର