ଭୁବନେଶ୍ବର: ୨୦୧୫ ମସିହାରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଭୁବନେଶ୍ବର ଏଡିଜେ-୪ (ପୋକ୍ସୋ)ଅଦାଲତର ବିଚାରପତି ପ୍ରଦୀପ କୁମାର ବେହେରା ଆସାମୀ ଭୀମ ମାଝୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହିତ ଆସାମୀ ଉପରେ ୧୦ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି ଏବଂ ଜରିମାନା ଅନାଦାୟ ହେଲେ ଭୀମକୁ ଅଧିକ ୧ବର୍ଷ ଜେଲ୍ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ ରହିଛି। ଏଥିସହିତ ପୀଡ଼ିତାଙ୍କୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇ ଦେବା ଲାଗି ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ମାମଲା ସହ ଚାଲିଥିବା ବାଲ୍ୟବିବାହ ମାମଲାରେ କୋର୍ଟ ୧୫ ଜଣଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଏହି ୧୫ଜଣ ଦୁଷ୍କର୍ମ ଆସାମୀ ଭୀମ ସହ ନାବାଳିକା ପୀଡ଼ିତାଙ୍କୁ ବିବାହ କରାଇବାକୁ ଯୋଜନା କରୁଥିବା ନେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଆସାମୀ ଭୀମର ସ୍ତ୍ରୀ ମଧ୍ୟ ସାମିଲ ଥିଲା ଏବଂ ୬ ମାସ ପୂର୍ବେ ଜେଲ୍ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ବାଲ୍ୟବିବାହ ମାମଲାରୁ ୧୫ଙ୍କୁ ମୁକ୍ତି
ଜେଲ୍ରେ ଆସାମୀର ସ୍ତ୍ରୀଙ୍କ ମୃତ୍ୟୁ
ଘଟଣାଟି ସେତେବେଳେ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ଆସାମୀ ଭୀମ ବିବାହିତ ହୋଇଥିଲେ ହେଁ ମାତ୍ର ୧୨ ବର୍ଷ ବୟସର ପଡ଼ୋଶୀ ନାବାଳିକାଙ୍କ ଉପରେ ଲୋଲୁପ ନଜର ପକାଇଥିଲା। ଏକଦା ନାବାଳିକାଙ୍କୁ ଫୁସୁଲାଇ ସେ ଦୁଷ୍କର୍ମ କରିଥିଲା। ନାବାଳିକାଜଣକ ଗର୍ଭବତୀ ହେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ଘଟଣା ପ୍ରଘଟ ହେବା ପରେ ଗାଁର କିଛି ଲୋକ ଏହି ମାମଲାର ଆପୋସ ସମାଧାନ କରାଇବାକୁ ଚେଷ୍ଟା କରିଥିଲେ। ଆସାମୀ ଭୀମ ହିଁ ନାବାଳିକାଙ୍କୁ ବାହା ହେଉ ବୋଲି ମତ ପ୍ରକାଶ ପାଇଥିଲା। ସ୍ବାମୀକୁ ଜେଲ୍ଦଣ୍ଡରୁ ମୁକୁଳାଇବାକୁ ପୀଡ଼ିତାଙ୍କୁ ବାହାହେବା ହିଁ ଏକମାତ୍ର ବିକଳ୍ପ ଥିବାରୁ ଭୀମର ସ୍ତ୍ରୀ ରାଜି ହୋଇଥିଲେ। ତେଣୁ ଏକ ମନ୍ଦିରରେ ଏହି ବିବାହର ଆୟୋଜନ କରାଯାଇଥିଲା। କିନ୍ତୁ କୌଣସି ସୂତ୍ରରୁ ଏହି ଖବର ଚାଇଲ୍ଡ ଲାଇନ୍ ନିକଟରେ ପହଞ୍ଚିଯାଇଥିଲା। ନିରାକାରପୁର ଥାନା ପୁଲିସ ସହଯୋଗରେ ଚାଇଲ୍ଡ ଲାଇନ୍ ମନ୍ଦିରରେ ଚଢ଼ଉ କରି ଏହି ବାଲ୍ୟବିବାହ ବନ୍ଦ କରିଥିଲା। ନାବାଳିକା ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ଦୁଷ୍କର୍ମକାରୀ ସହ ବାହା ଦେବା ଭଳି ସଂଗିନ୍ ଅପରାଧରେ ପୁଲିସ ଭୀମର ସ୍ତ୍ରୀ ସମେତ ଗାଁର ୧୬ଜଣଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିଥିଲା। ପୁଲିସ କେସ୍ ହେବା ଜାଣିବା ପରେ ଭୀମ ଓ ତା’ ସ୍ତ୍ରୀ ଫେରାର ହୋଇଯାଇଥିଲେ ଏବଂ ପରେ ପୁଲିସ ସେମାନଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା। ପୁଲିସର ୫୯ ପ୍ରଯୁଜ୍ୟ ଦସ୍ତାବିଜ୍ ଓ ୧୩ଜଣ ସାକ୍ଷୀଙ୍କ ବୟାନ ବଳରେ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ସୁବ୍ରତ ପ୍ରିୟଦର୍ଶୀ ଏହି ମାମଲା ପରିଚାଳନା କରୁଥିଲେ।